ଓଡ଼ିଶା

ସ୍ୱପ୍ନ ସଫଳ: କ୍ୟାପିଟାଲ ହସ୍ପିଟାଲରେ ହେବ ପିଜି ଇନଷ୍ଟିଚ୍ୟୁଟ୍‌

ଭୁବନେଶ୍ୱର: ଉନ୍ନୀତ ହେବ କ୍ୟାପିଟାଲ ହସ୍ପିଟାଲ ଓ ବଦଳିବ ନାଁ । ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ରିସର୍ଚ୍ଚ ଆଣ୍ଡ କ୍ୟାପିଟାଲ ହସ୍ପିଟାଲରେ ପରିବର୍ତ୍ତିତ ହେବ କ୍ୟାପିଟାଲ୍ ହସ୍ପିଟାଲ । ନାଁ ବଦଳିବା ସହ ବଦଳିବା ଭିତ୍ତିଭୂମି । ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ । ମଡେଲ ହସ୍ପିଟାଲରେ ପରିଣତ ହେବ କ୍ୟାପିଟାଲ୍ ହସ୍ପିଟାଲ । ହସ୍ପିଟାଲରେ ପିଜି ଓ କ୍ୟାନସର ଇନଷ୍ଟିଚ୍ୟୁଟ ସହିତ ଟ୍ରମା କେୟାର ସେଣ୍ଟର ରହିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୮୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି । କ୍ୟାନସର ଇନଷ୍ଟିଚ୍ୟୁଟ ପାଇଁ ସ୍ବତନ୍ତ୍ର ପ୍ଳାନ ପ୍ରସ୍ତୁତ ହୋଇଛି ।
ଆସନ୍ତା ୨ ବର୍ଷ ଭିତରେ ଏଠାରେ ପିଜି ପାଠପଢ଼ା ଆରମ୍ଭ ହେବ । ପିଜିରେ ୧୫ଟି କୋର୍ସରେ ୬୦ଟି ସିଟ୍ ରହିବ । ଏଥିପାଇଁ ଆନୁଷ୍ଠାନିକ ଭିତ୍ତିଭୂମି ନିର୍ମାଣ କାମ ସରିଛି । କେବଳ ନ୍ୟାସନାଲ ମେଡିକାଲ କାଉନସିଲର ଅନୁମୋଦନକୁ ଅପେକ୍ଷା କରାଯାଇଛି  । ଚଳିତ ମାର୍ଚ୍ଚ ମାସ ଶେଷ କିମ୍ବା ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହରେ ଭିତ୍ତିଭୂମି ଅନୁଧ୍ୟାନ ପାଇଁ ଟିମ୍ ଆସିବ । ୬ରୁ ୭ ବର୍ଷ ମଧ୍ୟରେ କ୍ୟାପିଟାଲ ହସ୍ପିଟାଲରେ ଏମବିବିଏସ୍ ପଢ଼ିବେ ଛାତ୍ରଛାତ୍ରୀ । ହସ୍ପିଟାଲ ସମ୍ପ୍ରସାରଣକୁ ସରକାର ଗୁରୁତ୍ବ ଦେଇଛନ୍ତି । ଏଥିପାଇଁ ସରକାରୀ କ୍ବାର୍ଟର୍ସ ଏବଂ ବସ୍ତି ଉଚ୍ଛେଦ ହେବ ।
ଆଗାମୀ ୫୦ବର୍ଷକୁ ଦୃଷ୍ଟିରେ ରଖି ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଛି । ଡାକ୍ତରଖାନା ପରିସରରେ ଜି-ପ୍ଳସ ୭ ଏବଂ ଜି-ପ୍ଳସ ୮ ଅଟ୍ଟାଳିକା ନିର୍ମାଣ ହେବ । କେବଳ ଭୁବନେଶ୍ବର ନୁହେଁ, ସାରା ରାଜ୍ୟର ରୋଗୀଙ୍କୁ ସେବା ଯୋଗାଇବ କ୍ୟାପିଟାଲ ହସ୍ପିଟାଲ । ଏବେ ଦୈନିକ ସାଢେ ଚାରି ହଜାର ରୋଗୀ କ୍ୟାପିଟାଲ ହସ୍ପିଟାଲ ଆସୁଛନ୍ତି । ପ୍ରତିଦିନ ୩ ଶହ ରୋଗୀ ଆଡମିଶନ ହେଉଛନ୍ତି । କ୍ୟାପିଟାଲ ହସ୍ପିଟାଲର ବେଡ୍ ସଂଖ୍ୟା ଏବେ  ୭୬୦ ଅଛି । ଏହାକୁ ବଢ଼ାଇ ୨ହଜାର କରାଯିବ । ହସ୍ପିଟାଲର ରୂପରେଖ ବଦଳିଗଲେ ଏଠାରେ ୯୦ ପ୍ରତିଶତ ରୋଗୀ ଚିକିତ୍ସିତ ହେବେ ଏବଂ ୧୦ ପ୍ରତିଶତ ରେଫର ହୋଇପାରନ୍ତି ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି  ।

Related Articles

Back to top button
WP Twitter Auto Publish Powered By : XYZScripts.com