ଅନ୍ତର୍ଜାତୀୟ

ୟୁକ୍ରେନକୁ ବିମାନ ସେବା ବନ୍ଦ କଲେ ଅନେକ ଦେଶ, ସମ୍ଭାବ୍ୟ ଯୁଦ୍ଧକୁ ନେଇ ବିଶ୍ୱବାସୀ ଆତଙ୍କିତ

କିଭ୍‌() ୟୁକ୍ରେନ୍‌ ଉପରେ ରୁଷ ଆକ୍ରମଣ କରିବା ପ୍ରାୟ ନିଶ୍ଚିତ ବୋଲି ଅନେକ ରାଷ୍ଟ୍ର ଅନୁମାନ କରିସାରିଲେଣି। ଏଥିପାଇଁ ସେମାନେ ନିଜ ନାଗରିକଙ୍କୁ ତୁରନ୍ତ ୟୁକ୍ରେନ୍‌ରୁ ପଳାଇ ଆସିବା ଲାଗି ପରାମର୍ଶ ଦେଇଛନ୍ତି । ଜରୁରି ନ ଥିଲେ ଅଯଥା ସେଠାକୁ ନ ଯିବା ପାଇଁ ବି କୁହାଯାଇଛି । ଏଭଳି ସ୍ଥିତିରେ କିଛି ବିମାନ ସେବା ପ୍ରଦାନକାରୀ କମ୍ପାନି (ଏୟାରଲାଇନ୍ସ) ୟୁକ୍ରେନ୍‌କୁ ବିମାନ ଉଡ଼ାଣ ବାତିଲ କରିଦେଇଛନ୍ତି।

ରୁଷକୁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଯେତେ ବୁଝାଇଲେ ବି ଆକ୍ରମଣ ପାଇଁ ରୁଷ ନିଜକୁ ପ୍ରସ୍ତୁତ କରିବାରେ ଲାଗିଛି । ଯୁଦ୍ଧ ସଂକଟ ଟାଳିବା ପାଇଁ ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ସହ ଘଣ୍ଟାଏରୁ ଅଧିକ ସମୟ ଧରି ଫୋନ୍‌ରେ କଥା ହୋଇଥିଲେ । ଉଭୟ କେବଳ ୟୁକ୍ରେନ୍‌ ବିବାଦ ଉପରେ ଫୋକସ୍‌ କରିଥିଲେ ।

ସୂତ୍ର ମୁତାବକ ଆଲୋଚନା ବେଳେ ପୁଟିନ୍‌ଙ୍କ ତରଫରୁ କୌଣସି ନରମ ମନୋଭାବ ପ୍ରକାଶ ପାଇ ନ ଥିଲା । ଏହାପରେ ବାଇଡେନ୍‌ ବି କଡ଼ା ଆଭିମୁଖ୍ୟ ଦେଖାଇଥିଲେ । ୟୁକ୍ରେନ୍‌ ଉପରେ ଆକ୍ରମଣ ‘ଅତ୍ୟନ୍ତ ମହଙ୍ଗା’ ପଡ଼ିବ ବୋଲି ବାଇଡେନ୍‌ ଚେତାବନୀ ଦେଇଥିଲେ । ତେଣୁ ଆଉ ମାତ୍ର ୭ ଦିନ ମଧ୍ୟରେ ୟୁକ୍ରେନ୍‌ ଉପରେ ରୁଷ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି । ଇତିମଧ୍ୟରେ ଆମେରିକା ଓ ଅନେକ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ସେମାନଙ୍କ ନାଗରିକଙ୍କୁ ତୁରନ୍ତ ୟୁକ୍ରେନ୍‌ ଛାଡ଼ିବା ପାଇଁ ପରାମର୍ଶ ଦେଇଛନ୍ତି । ଆମେରିକା ଏହାର ଦୂତାବାସ ଅଧିକାରୀଙ୍କୁ ମଧ୍ୟ ଠିକଣା ବଦଳାଇବାକୁ କହିଛି । ଏହି ସମ୍ଭାବ୍ୟ ଯୁଦ୍ଧ ହିଁ ତୃତୀୟ ବିଶ୍ୱଯୁଦ୍ଧର ଭିତ୍ତି ପକାଇବ ବୋଲି କିଛି ବିଶେଷଜ୍ଞ ଆଶଙ୍କା ବ୍ୟକ୍ତ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com