ଅନ୍ତର୍ଜାତୀୟ

ଇତିହାସର ପୁନରାବୃତ୍ତି: ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ହୋଇଥିବା ଇହୁଦୀ ସଂହାରର ୮୧ ବର୍ଷ ପରେ କିବ୍‌ର ‘ବାବିନ୍‌ ୟାର୍‌’ ଉପରେ ବୋମାବୃଷ୍ଟି

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ୟୁକ୍ରେନୀୟ ରାଜଧାନୀ କିବ୍‌ର କେନ୍ଦ୍ରସ୍ଥଳରେ ଥିବା ମୁଖ୍ୟ ଟେଲିଭିଜନ୍‌ ଟାୱାର୍‌ ଉପରେ ରୁଷୀୟ ସେନା କରିଥିବା ବିମାନ ଆକ୍ରମଣ କିବ୍‌ରେ ଥିବା ‘ବେବିନ୍‌ ୟାର୍‌ ହଲୋକଷ୍ଟ୍‌’ ସ୍ମାରକୀକୁ ମଧ୍ୟ ପ୍ରଭାବିତ କରିଥିବା କଥା ୟୁକ୍ରେନୀୟ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।ସ୍ମାରକୀର ଜଣେ ମୁଖପାତ୍ର କହିଛନ୍ତି, କ୍ଷୟକ୍ଷତି ଆକଳନ କରିବା ଲାଗି ଏକ ନିରାପତ୍ତା ଟିମ୍‌ ଘଟଣାସ୍ଥଳକୁ ପଠାଯାଇଛି।

୧୯୪୧ରେ ‘ନାଜି’ମାନଙ୍କ କବଳରେ ଏହି ସହର ଥିବା ବେଳେ ୩୩,୦୦୦ ଇହୁଦୀଙ୍କୁ ହତ୍ୟା କରାଯାଇ କବର ଦିଆଯାଇଥିବା ସ୍ଥାନରେ ‘ବେପିନ୍‌ ୟାର୍’ ସ୍ମାରକୀ ନିର୍ମିତ। ସ୍ଥାନୀୟ ସହଯୋଗୀଙ୍କ ସହାୟତା‌ରେ ଜର୍ମାନ୍‌ ସେନା ଉକ୍ତ ନରସଂହାର କରିଥିଲେ।

ମଙ୍ଗଳବାର ଆକ୍ରମଣ ଉପରେ ମନ୍ତବ୍ୟ ଦେଇ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍‌ସ୍କି ଟୁଇଟ୍‌ କରି କହିଛନ୍ତି, ବିଶ୍ବ ପ୍ରତି: ସେହି ଏକା ଜାଗା ‘ବେବିନ୍‌ ୟାର୍‌’ ଉପରେ ବୋମା ପଡୁଥିବା ବେଳେ ବିଶ୍ବ ଯଦି ନିରବ ରହେ ୮୦ ବର୍ଷ ହେବ କୁହାଯାଉଥିବା ‘ଆଉ ନୁହେଁ’ କହିବାର ଯଥାର୍ଥତା କ’ଣ? ଅନ୍ୟୂନ ୫ଜଣଙ୍କର ମୃତ୍ୟୁ ଘଟିଛି। ଇତିହାସର ପୁନରାବୃତ୍ତି ଘଟୁଛି।
ସୂଚନାଯୋଗ୍ୟ, କିବ୍‌ ବାହାରେ ପ୍ରବାହିତ ‘ବେବିନ୍‌ ୟାର୍‌’ ରେଭିନ୍‌ (ଖାଇ) ନିକଟରେ ୧୯୪୧ ମସିହା ସେପ୍ଟେମ୍ବର ୨୯ ଓ ୩୦ ତାରିଖରେ ୩୩,୭୭୧ଜଣ ବେସାମରିକ ନାଗରିକଙ୍କୁ ହତ୍ୟା କରାଯାଇଥିଲା।
ସୋଭିଏତ୍‌ ଦେଶ ଆକ୍ରମଣ କରିବାର ପ୍ରାୟ ୩ ମାସ ପରେ ୧୯୪୧ ମସିହା ସେପ୍ଟେମ୍ବର ୧୯ ତାରିଖ ଦିନ ‘ନାଜି’ ସେନା ସୋଭିଏତ୍‌ ୟୁକ୍ରେନ୍‌ର ରାଜଧାନୀ କିବ୍‌ରେ ପ୍ରବେଶ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com