ଅନ୍ୟାନ୍ୟ

ସମଲିଙ୍ଗୀ ବିବାହକୁ ଆଇନସମ୍ମତ କରିବା ନେଇ କେନ୍ଦ୍ର ସରକାରଙ୍କ ମତ ଲୋଡ଼ିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୬/୧୧/୨୦୨୨-   ସମଲିଙ୍ଗୀ ବିବାହକୁ ଆଇନସମ୍ମତ କରିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ମତ ରଖିବାକୁ କହିଛନ୍ତି ସୁପ୍ରିମକୋର୍ଟ । ବିଭିନ୍ନ ଧର୍ମର ପର୍ସନାଲ ଲ ଅନୁସାରେ ବିବାହ କରିପାରୁ ନଥିବା ବ୍ୟକ୍ତିମାନେ ପ୍ରଥା ଅନୁସାରେ ବିବାହ କରିବାର ବ୍ୟବସ୍ଥା ସ୍ୱତନ୍ତ୍ର ବିବାହ ଆଇନରେ ରହିଛି । ଏନେଇ କେନ୍ଦ୍ର ସରକାର ଓ ଆଟର୍ଣ୍ଣି ଜେନେରାଲଙ୍କୁ କୋର୍ଟ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେବା ସହ ୪ ସପ୍ତାହ ପରେ ମାମଲାର ଶୁଣାଣି ଲାଗି କୋର୍ଟ କହିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ହିମା କୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଆଗତ ଦୁଇଟି ପିଟିସନର ଶୁଣାଣି କରୁଛନ୍ତି ।

ଉଦୟରାଜ ଆନନ୍ଦ ଏବଂ ପାର୍ଥ ଫିରୋଜ ମଲହୋତ୍ରା ନାମକ ଦୁଇ ବ୍ୟକ୍ତି ସୁପ୍ରିମକୋର୍ଟରେ ଆବେଦନ କରି, ସେମାନେ ଗତ 17 ବର୍ଷ ଧରି ସମ୍ପର୍କରେ ଅଛନ୍ତି ଏବଂ ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି । ମାତ୍ର ସେମାନଙ୍କ ବିବାହକୁ ଆଇନସମ୍ମତ କରାଯାଉନାହିଁ କିମ୍ବା ଦୁଇ ସନ୍ତାନଙ୍କ ଉପରେ ସେମାନଙ୍କର ଆଇନଗତ ଅଧିକାର ନାହିଁ । ଏଣୁ ଏହି ବିବାହକୁ ଆଇନଗତ ଭାବେ ସ୍ୱୀକୃତି ଦିଆଯାଉ ବୋଲି କହିଥିଲେ । ସହମତି ଭିତ୍ତିରେ ଅପ୍ରାକୃତିକ ଯୌନକ୍ରିୟାକୁ ଆଇପିସିର ଧାରା 377 ଅନୁସାରେ ଏକ ଅପରାଧ ବୋଲି ଦର୍ଶାଯାଇ ଥିବାବେଳେ 2018ରେ ସୁପ୍ରିମକୋର୍ଟଙ୍କ ଏକ ସାମ୍ବିଧାନିକ ଖଣ୍ଡପୀଠ ଏହା ଏକ ଅପରାଧ ନୁହେଁ ବୋଲି କହିଥିଲେ ।  ଆବେଦନକାରୀମାନେ ଦର୍ଶାଇଛନ୍ତି ସମଲିଙ୍ଗୀ ବିବାହକୁ ସ୍ୱୀକୃତି ନଦେବା ଅର୍ଥ ସମ୍ବିଧାନର ଧାରା 14 ଓ 21ର ଉଲ୍ଲଂଘନ କରିବା । ଏହା ସହ ଦିଲ୍ଲୀ ଓ କେରଳ ହାଇକୋର୍ଟରେ ରହିଥିବା ଏ ସଂକ୍ରାନ୍ତ କେତେକ ମାମଲାର ଶୁଣାଣି କରିବାକୁ ମଧ୍ୟ କୋର୍ଟ ସ୍ଥିର କରିଛନ୍ତି । ଏଣୁ ସମଲିଙ୍ଗୀ ବିବାହକୁ ଆଇନସମ୍ମତ କରାଯାଇପାରିବ କି ନାହିଁ ସେନେଇ କେନ୍ଦ୍ର ସରକାରଙ୍କ ମତ ଚାହିଁଛନ୍ତି ସୁପ୍ରିମକୋର୍ଟ ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com