ଆଜି ଶେଷ ହେଉଛି ଗୋପାଳକୃଷ୍ଣଙ୍କ ରିମାଣ୍ଡ
ଭୁବନେଶ୍ୱର, ୦୪/୦୨/୨୦୨୩- ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସକୁ ୪ ଦିନିଆ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ନେଇ ଥିବାବେଳେ ଶନିବାର ହେଉଛି ରିମାଣ୍ଡର ଶେଷଦିନ । ତେଣୁ ଅନ୍ତିମ ଦିନରେ ତଦନ୍ତକୁ ଆହୁରି ଜୋରଦାର କରିଛି କ୍ରାଇମବ୍ରାଞ୍ଚ ।
ରିମାଣ୍ଡର ତୃତୀୟ ଦିନରେ ଗୋପାଳ ରହୁଥିବା କ୍ବାର୍ଟର୍ସ ସହିତ ଗାନ୍ଧିଛକ ଫାଣ୍ଡିକୁ ଗୋପାଳକୁ ନେଇ ପ୍ରମାଣ ଖୋଜିଥିଲା କ୍ରାଇମବ୍ରାଞ୍ଚ । ଏହି ସମୟରେ ତଦନ୍ତକାରୀ ଟିମ୍ ହାତରେ ଲାଗିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଗୋପାଳର ଡାଏରୀ ସହିତ କିଛି ହାତଲେଖା ଚିଠି ଜବତ କରିଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତର କ୍ୱାର୍ଟର୍ସରୁ ଜବତ ଦଲିଲକୁ କ୍ରାଇମବ୍ରାଞ୍ଚ ଟିମ୍ ଯାଞ୍ଚ କରୁଛି । ଗୁଳିମାଡ଼ରେ ଆହତ ଜୀବନ କୁମାର ନାୟକ ଏବଂ ଅନ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି ।
ଏୟାରପୋର୍ଟ ପୋଲିସ ଷ୍ଟେସନ ଶୌଚାଳୟରୁ ଜବତ ହୋଇଥିବା ଗୋପାଳର ହାତଲେଖା ୨୨ ଖଣ୍ଡ ଟୁକୁଡା କାଗଜକୁ ଯାଞ୍ଚ କରାଯାଉଛି । ଏହାକୁ ସଜାଇବା ପାଇଁ ବିଶେଷଜ୍ଞଙ୍କ ସହାୟତା ନିଆଯାଉଛି । ଏଗୁଡିକ ହସ୍ତଲିଖନ ବ୍ୟୁରୋକୁ ପଠାଯିବ ବୋଲି ଜଣାପଡ଼ିଛି ।