ଜାତୀୟ

ରାଷ୍ଟ୍ରପତି ନିର୍ବାଚନ: ଓବେସୀଙ୍କୁ ବୈଠକକୁ ଡାକି ନାହାନ୍ତି ମମତା, ଜାଣନ୍ତୁ କ’ଣ କହିଲେ ଏଆଇଏମଆଇଏମ ନେତା

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ଲାଗି ବୁଧବାର ନୂଆଦିଲ୍ଲୀରେ ଅନୁଷ୍ଠିତ ବିରୋଧୀ ଦଳଙ୍କ ବୈଠକକୁ ଅଲ ଇଣ୍ଡିଆ ମଜଲିସ୍ –ଏ-ଇତେହାଦୁଲ ମୁସ୍ଲିମିନ୍ (ଏଆଇଏମଆଇଏମ)କୁ ଅମନ୍ତ୍ରଣ ମିଳିନି। ଏ ବାବଦେ ଏଆଇଏମଆଇଏମ  ନେତା ଅସଦୁଦ୍ଦିନ ଓବେସୀଙ୍କୁ ପଚରା ଯିବାରେ ବୈଠକକୁ ତାଙ୍କ ଦଳକୁ ଡକା ଯାଇନଥିବା ସେ କହିଛନ୍ତି। ଏହା ଛଡା ଡକା ଯାଇଥିଲେ ବି ସେ ବୈଠକକୁ ଯାଇ ନଥାନ୍ତେ ବୋଲି କହିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଓବେସୀ କହିଛନ୍ତି ଯେ  କଂଗ୍ରେସ ଯୋଗୁ ସେ ଏହି ବୈଠକକୁ ବହିଷ୍କାର କରିଥାନ୍ତେ। ଏହା ଛଡା ମମତାଙ୍କ ତୃଣମୂଳ କଂଗ୍ରେସ ଏମିତିରେ ଏଆଇଏମଆଇଏମକୁ ପ୍ରାୟତଃ ଇଆଡୁସିଆଡୁ କହୁଛି, ଏଥିରେ ଡାକିଥିଲେ ବି ଆମେ ଯାଇ ନଥାନ୍ତୁ ବୋଲି ଓବେସୀ  କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିରୋଧୀ ଦଳଙ୍କ ବୈଠକ ଅପରାହ୍ନ ୩ଟା ବେଳେ ଦିଲ୍ଲୀ ସମ୍ବିଧାନ ଭବନରେ ଅନୁଷ୍ଠିତ ହେଉଛି। ଟିଏମସି ମୁଖ୍ୟ ମମତା ବାନାର୍ଜୀ ବୈଠକ ଆହ୍ୱାନ କରିଥିବା ବେଳେ ବୈଠକକୁ ମୋଟ ୨୨ଟି ଦଳଙ୍କୁ ଆମନ୍ତ୍ରିତ କରାଯାଇଛି।

ଦେଖିବାର କଥା ହେଉଛି ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଟିଏମସି ଦକ୍ଷିଣର ଟିଆରସି ସହିତ ନିକଟତା ବଢାଉଛି। ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ଉଭୟ ଦଳ ପାଖାପାଖି ହେଉଥିବା ବେଳେ ଲୋକସଭା ନିର୍ବାଚନ ପୂର୍ବରୁ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନକୁ ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ବିରୋଧୀ ଦଳଙ୍କ ଲାଗି ଏହା ଲିଟମସ୍ ଟେଷ୍ଟ ଭଳି ହୋଇଥିବା ବେଳେ ଏଥିରୁ ଲୋକସଭା ନିର୍ବାଚନ ଲାଗି ବିରୋଧୀଙ୍କ ଭୂମିକାକୁ ସ୍ପଷ୍ଟ କରିବ।

ତେବେ ଆମନ୍ତ୍ରଣ ମିଳିନଥିବା ଯୋଗୁ ଏଆଇଏମଆଇଏମ ବୈଠକରେ ଯୋଗ ଦେଉନଥିବା ବେଳେ ଏଥିରୁ ଟିଆରଏସ ମଧ୍ୟ ଦୂରେଇ ରହିଥିବା ଜଣାପଡିଛି। ବୈଠକରେ କଂଗ୍ରେସକୁ ଡକା ଯାଇଥିବାରୁ ତେଲେଙ୍ଗାନା ରାଜ୍ୟସମିତି ଆପତ୍ତି କରିଥିବା ବେଳେ କଂଗ୍ରେସ ସହିତ କୌଣସି ସ୍ଥଳରେ ଟିଆରଏସ ମଞ୍ଚରେ ବସିବନି ବୋଲି ସଫାସଫା କହିଛି। କାରଣ ତେଲେଙ୍ଗାନାରେ  ଟିଆରଏସର କଂଗ୍ରେସ ମୁଖ୍ୟ ବିରୋଧୀ ଦଳ।

ତେବେ କେବଳ ଏହି ଦୁଇ ଦଳ ନୁହନ୍ତି  ଆମ ଆଦମୀ ପାର୍ଟି ମଧ୍ୟ  ବୈଠକରୁ ଦୂରେଇ ରହିଥିବା ସୂଚନା ଆସୁଛି। ଏହା ଛଡା ଓଡିଶାର ବିଜୁଜନତା ଦଳ (ବିଜେଡି) ଓ ଆନ୍ଧ୍ରପ୍ରଦେଶ ୱାଇଏସଆର କଂଗ୍ରେସ ମଧ୍ୟ ବୈଠକରେ ଯୋଗ ଦେଇ ନାହାନ୍ତି। ତେବେ ଅନୁଷ୍ଠିତ ବୈଠକରେ ବିରୋଧୀ ଦଳ କୌଣସି ଏକ ନାମ ଉପରେ ସର୍ବସମ୍ମତ ହୋଇପାରୁଛନ୍ତି କି ନା ତାହାକୁ ଏବେ ଅପେକ୍ଷା କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com