Featuredଓଡ଼ିଶା

ମ୍ୟାଲେରିଆରେ ନିୟନ୍ତ୍ରଣରେ ପ୍ରଥମ,ଯକ୍ଷ୍ମାରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡିଶା: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଗତ ୨୦୨୩-୨୪ ମସିହା ବଜେଟର ମୁଖ୍ୟାଂଶ ସଂପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ ବିଗତ ଦୁଇ ଦଶନ୍ଧି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ମାର୍ଗଦର୍ଶନରେ ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଭୂତପୂର୍ବ ସଫଳତା ପରିଲକ୍ଷିତ ହୋଇଛି । ଗତ ୨୦୦୦ ମସିହାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମର ବିଭିନ୍ନ ସୂଚକାଙ୍କ ବହୁ ନିମ୍ନରେ ଥିବାସ୍ଥଳେ ସଂପ୍ରତି ଦେଶରେ ଏକ ଅଗ୍ରଗଣ୍ୟ ସଫଳ ରାଜ୍ୟ ଭାବେ ଓଡ଼ିଶା ଏକ ଉଚ୍ଚ ସ୍ଥାନ ଅଧିକାର କରିଛି ।

ସାମ୍ପଲ ରେଜିଷ୍ଟ୍ରେସନ୍‌ ସର୍ଭେ ରିପୋର୍ଟ ଅନୁସାରେ ୨୦୦୫ ମସିହାଠାରୁ ୨୦୨୦ ମସିହା ମଧ୍ୟରେ ଓଡ଼ିଶାର ଶିଶୁ ମୃତୁ୍ୟହାର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ ହ୍ରାସ ଘଟିଥିବାବେଳେ ୨୦୧୫-୧୭ ଠାରୁ ୨୦୧୮-୨୦ ମଧ୍ୟରେ ମାତୃ ମୃତୁ୍ୟହାର କମାଇବାରେ ଆମେ ଦ୍ୱିତୀୟ ସ୍ଥାନରେ ଅଛୁ । ସେହିପରି ପଞ୍ଚମ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଦେଶରେ ସର୍ବକାଳୀନ ଟିକାଦାନ କାର୍ଯ୍ୟକ୍ରମ ୯୦.୫% ଲକ୍ଷ ହାସଲ କରି ଓଡ଼ିଶା ସର୍ବୋଚ୍ଚ ସ୍ଥାନରେ ଅଛି ।

ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ରୋଗୀ ସଂଖ୍ୟା ୯୪% କମାଇ ଆମେ ଦେଶରେ ପ୍ରଥମ ସ୍ଥାନରେ ଥିବାବେଳେ ଯକ୍ଷ୍ମା ନିୟନ୍ତ୍ରଣରେ ଦ୍ୱିତୀୟ ସ୍ଥାନ ହାସଲ କରିଛୁ । ୯୨.୨% ଗର୍ଭବତୀ ମିହଳାଙ୍କର ଆନୁଷ୍ଠାନିକ ପ୍ରସବ ଡାକ୍ତରଖାନାରେ କରାଯାଇପାରିଛି ।

କୋଭିଡ୍‌ ନିୟନ୍ତ୍ରଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କର ମୂଳମନ୍ତ୍ର ‘ପ୍ରତିଟି ଜୀବନ ମୂଲ୍ୟବାନ’କୁ କାର୍ଯ୍ୟ କ୍ଷେତ୍ରରେ ରୂପାୟିତ କରି ଓଡ଼ିଶା ସମଗ୍ର ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟରେ ନିଆଯାଇଥିବା ୫-‘ଟି’ ଆଭିମୁଖ୍ୟର ସୁଫଳ ବେଶ ପରିଦୃଷ୍ଟ ହେଉଛି । ଶ୍ରୀରାମ ଚନ୍ଦ୍ର ମେଡିକାଲ କଲେଜକୁ ଏମ୍ସପ୍ଲସ୍‌ରେ ରୂପାନ୍ତରିତ କରିବାଠାରୁ ଆରମ୍ଭ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରଦାନ ଓ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଆଦି ବିଭିନ୍ନ ଅଭିନବ ଜନହିତକାରୀ ଯୋଜନା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି ।

ସ୍ୱାସ୍ଥ୍ୟସେବା ନିମନ୍ତେ ରଖାଯାଇଥିବା ୧୬.୦୪୮ କୋଟିର ପ୍ରସ୍ତାବିତ ବଜେଟ ଗତବର୍ଷ ତୁଳନାରେ ୨୭% ଅଧିକ ଏବଂ ୨୦୧୭-୧୮ ଆର୍ଥିକ ବର୍ଷରେ ଥିବା ଅର୍ଥର ପ୍ରାୟ ତିନିଗୁଣ । ରାଜ୍ୟର ସାମଗ୍ରିକ ବଜେଟର ଏହା ହେଉଛି ୭ ପ୍ରତିଶତ । ସ୍ୱାସ୍ଥ୍ୟ ପରିଯୋଜନା ବାବଦ ଖର୍ଚ୍ଚ ଅଟକଳକୁ ୨୦୨୨-୨୩ ତୁଳନାରେ ୩୩% ବୃଦ୍ଧି କରାଯାଇଛି ।

ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବାକୁ ନିର୍ଣ୍ଣାୟକ ଭାବେ ଦୃଷ୍ଟିରେ ରଖି ୨୦୨୩-୨୪ ସ୍ୱାସ୍ଥ୍ୟ ବଜେଟ ପ୍ରସ୍ତୁତ କରାଯାଇଛି । ସରକାରୀ ଚିକିତ୍ସାଳୟଗୁଡ଼ିକର ଉନ୍ନତିକରଣ କରାଇ ସର୍ବୋତ୍ତମ ଘରୋଇ ଚିକିତ୍ସାଳୟ ସହ ସମକକ୍ଷ କରିବାର ଯେଉଁ ସ୍ୱପ୍ନ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଖିଛନ୍ତି ତାହାର ସଫଳ ରୂପାୟନ ପାଇଁ ଏଥିରେ ବ୍ୟବସ୍ଥା ରହିଛି । ଏହି ପରିପ୍ରେକ୍ଷୀରେ ‘ଆମ ହସ୍‌ପିଟାଲ’ ନାମକ ଏକ ନୂତନ ସ୍କିମ୍‌କୁ ସ୍ୱାସ୍ଥ୍ୟସେବାର ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ରହିଛି ।

ଯେଉଁଥିରେ ୧୪୭ ଗୋଟି ସ୍ୱାସ୍ଥ୍ୟ ଅନୁଷ୍ଠାନର ମାତ୍ର ୯ ମାସ ଅବଧି ମଧ୍ୟରେ ରପୂାନ୍ତରଣ କରାଯାଇପାରିବ ଓ ୨୦୨୩- ୨୪ ବଜେଟର ଏଥି ପାଇଁ ୭୫୦ କୋଟି ଟଙ୍କାର ବ୍ୟବସ୍ଥା ରହିଛି । ଏହି ଅବସରରେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶାଳିନୀ ପଣ୍ଡିତ କହିଲେ ଯେ ସମସ୍ତ ସରକାରୀ ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ସହାୟକ କର୍ମଚାରୀ (ପାରାମେଡିକ୍ସ)ଙ୍କର ନିଯୁକ୍ତି କରିବା ସରକାରଙ୍କ ଲକ୍ଷ୍ୟ । ଗତ ପାଞ୍ଚ ବର୍ଷ ମଧ୍ୟରେ ୪ ହଜାର ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ଏବଂ ୨୦୨୩- ୨୪ ମସିହାରେ ୫ ହଜାରରୁ ଅଧିକ ଡାକ୍ତର ନିଯୁକ୍ତି ପାଇବେ ବୋଲି ଆଶା ରଖାଯାଇଛି ।

ସରକାର ଗତ ୩ ବର୍ଷରେ ୯ ହଜାରରୁ ଅଧିକ ଷ୍ଟାଫ ନର୍ସ ଓ ପାରାମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି ଏବଂ ଚଳିତ ବଷଁ ଆଉ ୯ ହଜାର ଜଣଙ୍କୁ ନିଯୁକ୍ତି ଦେବାର ଆଶା ରଖାଯାଇଛି । ଏଥି ପାଇଁ ଏଷ୍ଟାବ୍ଲିସ୍‌ମେଣ୍ଟ ଚାର୍ଜ ନିମନ୍ତେ ୨୦୨୩-୨୪ ବଜେଟର ପ୍ରଶାସନିକ ବ୍ୟୟ ଅଧିକରେ ୨୨୯ କୋଟି ଟଙ୍କାର ଅତିରିକ୍ତ ଅର୍ଥ ବ୍ୟବସ୍ଥା କରାଯାଇଛି ।

ବିଗତ ୬ ବର୍ଷ ମଧ୍ୟରେ ବାଲେଶ୍ୱର, ବାରିପଦା, ବଲାଙ୍ଗିର, କୋରାପୁଟ, ପୁରୀ, କେନ୍ଦୁଝର ଏବଂ ସୁନ୍ଦରଗଡ଼ରେ ୭ ଗୋଟି ନୂଆ ମେଡିକାଲ କଲେଜ ଏବଂ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍‌ପିଟାଲ ଓ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟରୋଗ ପ୍ରତିଷ୍ଠାନଠାରେ ଦୁଇଟି ପୋଷ୍ଟ ଗ୍ରାଜୁଏଟ୍‌ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଇଛି । ୨୦୨୩-୨୪ ମସିହାରେ କଳାହାଣ୍ଡି ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବାକୁ ଯୋଜନା କରାଯାଇଛି । ଏହାପରେ ତାଳଚେର, ଫୁଲବାଣୀ ଏବଂ ଯାଜପୁରଠାରେ ପର୍ଯ୍ୟାୟକ୍ରମେ ମେଡିକାଲ କଲେଜ କାର୍ଯ୍ୟକ୍ଷମ କରାଯିବ । ୨୦୨୩-୨୪ ବଜେଟ ବ୍ୟୟ ଆକଳନରେ ବିଭିନ୍ନ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡ଼ଇକର କାର୍ଯ୍ୟାନ୍ୱୟନ ପାଇଁ ୨ ହଜାର ୨ ଶହ ୮୯ କୋଟି ଟଙ୍କା ଯୋଗାଇ ଦିଆଯାଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com