Featuredଓଡ଼ିଶାରାଜନୀତି

ଟିକାକରଣ ପାଇଁ ତାପ ସଂରକ୍ଷିତ ଯାନ ଓ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଗାଡିର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାର୍ବଜନୀନ ଟିକାକରଣ ନିମନ୍ତେ ଅଧିକ ୧୦ ଟି ତାପ ସଂରକ୍ଷିତ ଯାନ ଏବଂ ଗ୍ରାମାଞ୍ଚଳରେ ସ୍ୱେଚ୍ଛାକୃତ ରକ୍ତ ଦାନକୁ ପ୍ରୋତ୍ସାହିତ କରିବା ପାଇଁ ଅଧିକ ୫ ଟି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ଲୋକାର୍ପଣ କରିଛନ୍ତି ।

ତାପ ସଂରକ୍ଷିତ ଯାନ ମଣିଷ ଶରୀରରେ ସୃଷ୍ଟି ହେଉଥିବା ରୋଗର ନିରାକରଣ ଟୀକକରଣ ଦ୍ୱାରା ସମ୍ଭବ ହେଉଥିବାବେଳେ ଏହା ଦ୍ୱାରା ମଧ୍ୟ ଅସୁସ୍ଥତା ଓ ମୃତ୍ୟୁହାରକୁ ମଧ୍ୟ ହ୍ରାସ କରାଯାଇ ପାରୁଛି । ଏ କ୍ଷେତ୍ରରେ ବିଶ୍ୱବ୍ୟାପୀ ଟିକାକରଣ ଅଭିଯାନ ଚାଲୁ ରହିଛି । ଏଥିପାଇଁ ସମସ୍ତ ଟିକାକୁ ଗଚ୍ଛିତ ରଖି ରାଜ୍ୟବ୍ୟାପୀ ଅବସ୍ଥାପିତ ଟିକାଭଣ୍ଡାର ଓ ଟିକାକରଣ କେନ୍ଦ୍ରକୁ ତାପ ସଂରକ୍ଷିତ ଯାନ ଦ୍ୱାରା ପଠାଇ ଟିକାର ଗୁଣାତ୍ମକ ମାନକୁ ବଜାୟ ରଖିବା ଆବଶ୍ୟକ ପଡିଥାଏ । ଏଥିପାଇଁ ଟିକା ସବୁ ସ୍ତରରେ ଶୀତଳୀକରଣ ବ୍ୟବସ୍ଥାର ଆବଶ୍ୟକତା ରହିଛି ।

ଆମ ରାଜ୍ୟରେ ଗୋଟିଏ ରାଜ୍ୟସ୍ତରୀୟ ଟିକା ସଂରକ୍ଷଣ ଭଣ୍ଡାର ରହିଥିବାବେଳେ ୩୨ ଜିଲ୍ଲାରେ ଟିକା ଗଚ୍ଛିତ କେନ୍ଦ୍ର ଓ ୧୯୯୦ଟି ନିରାପଦ ଶୀତଳୀକରଣ କେନ୍ଦ୍ର ରହିଛି । ଏହି ସମସ୍ତ ଟିକାର ନିରାପଦ ପରିବହନ ପାଇଁ ଓଡିଶା ରାଜ୍ୟ ଔଷଧ ନିଗମ ପକ୍ଷରୁ ୧୦ଟି ତାପ ସଂରକ୍ଷିତ ଯାନ କ୍ରୟ କରାଯାଇଛି । ଏହାଦ୍ୱାରା ସମଗ୍ର ରାଜ୍ୟକୁ ସୁରୁଖୁରୁରେ ଟିକା ପରିବହନ କରାଯାଇପାରିବ ।

ନୂତନ ଭାବେ କ୍ରୟ କରାଯାଇଥିବା ଏହି ତାପ ସଂରକ୍ଷିତ ଯାନଗୁଡିକ ରାଜ୍ୟରେ ସହଜ ଟିକା ଯୋଗାଣର ସୁନିଶ୍ଚିତ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ଟିକା ସଂରକ୍ଷଣ ଭଣ୍ଡାର ଓ ୯ ଗୋଟି ଆଞ୍ଚଳିକ ଟିକା ସଂରକ୍ଷଣ କେନ୍ଦ୍ର ଯଥା- ବାଲେଶ୍ୱର, ବଲାଙ୍ଗିର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, କୋରାପୁଟ୍, ଫୁଲବାଣୀ, ସମ୍ୱଲପୁର ଏବଂ ସୁନ୍ଦରଗଡ଼ ରେ ଅବସ୍ଥାପିତ କରାଯିବ । ଏହି ତାପ ସଂରକ୍ଷିତ ଯାନଗୁଡିକ ରାଜ୍ୟ ବଜେଟରୁ ୟୁନିଟ ପ୍ରତି ୩୩,୨୬,୭୦୦/- ଦରରେ ସମୁଦାୟ ୩,୩୨,୬୭,୦୦୦/- ଟଙ୍କା ଖର୍ଚ୍ଚ କରାଯାଇ କ୍ରୟ କରାଯାଇଅଛି ।
ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ସୁଦୂର ଗ୍ରାମଞ୍ଚଳରେ ସ୍ୱେଚ୍ଛାକୃତ ରକ୍ତ ଦାନକୁ ପ୍ରୋତ୍ସାହିତ କରିବା ଓ ରକ୍ତ ସଂଗ୍ରହ ପାଇଁ ରକ୍ତ ସଂରକ୍ଷଣ ଯାନ ବିଭିନ୍ନ ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ରଗୁଡିକୁ ଯୋଗାଇ ଦିଆଯାଇଛି ।

୨୦୧୯ ମସିହାରେ ୯ଟି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ, ଏସ୍.ସି.ବି. ମେଡିକାଲ କଲେଜ, ଏମ୍.କେ.ସି.ଜି. ମେଡିକାଲ କଲେଜ, ବ୍ରହ୍ମପୁର, ଭିମସାର, ବୁର୍ଲା, ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ, ବଲାଙ୍ଗିର, ବାରିପଦା, ବାଲେଶ୍ୱର, ବରଗଡ଼ ଏବଂ ଆର୍.ଜି.ଏଚ୍, ରାଉରକେଲାକୁ ଯୋଗାଇ ଦିଆଯାଇଥିଲା । ଏହାଫଳରେ ୨୦୨୦ ମସିହାରେ ରକ୍ତ ସଂଗ୍ରହ ଅନୁପାତ ୮୯,୯୧୭ ୟୁନିଟ୍ ରୁ ବୃଦ୍ଧି ପାଇ ୨୦୨୨ ମସିହାରେ ୧,୭୬,୭୪୭ ୟୁନିଟ୍ ରେ ପହଞ୍ଚିପାରିଛି ।

ଏହି କାର୍ଯ୍ୟକ୍ରମର ଅଧିକ ଅଗ୍ରଗତି ନିମନ୍ତେ ଆଉ ୫ଗୋଟି ସମ୍ପୂର୍ଣ୍ଣ ରୂପେ ବିକଶିତ ହୋଇଥିବା ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ଓଡିଶା ରାଜ୍ୟ ଔଷଧ ନିଗମ ପକ୍ଷରୁ କ୍ରୟ କରାଯାଇଛି । ଏଥିରେ ସମସ୍ତ ପ୍ରକାରର ନୂତନ ଜ୍ଞାନ କୌଶଳ ସଜ୍ଜିତ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ରକ୍ତଦାତାଙ୍କ ପାଇଁ ଶଯ୍ୟା, ରକ୍ତ ସଂରକ୍ଷଣ ରେଫ୍ରିଜରେଟର, ରକ୍ତ ସଂଗ୍ରହ ମନିଟର, ଅନ୍ୟାନ୍ୟ ଆନୁଷଙ୍ଗିକ ଯନ୍ତ୍ରପାତି ଏପରିକି- ଜେନେରେଟର, ଇନଭର୍ଟ୍ଟରର ସୁବିଧା ରହିଛି ।

ଏହି ଯାନଗୁଡିକ ରାଜ୍ୟ ସରକାରଙ୍କ ଦ୍ୱାରା ୟନିଟ୍ ପ୍ରତି ୫୪,୦୨,୮୦୦/- ଦରରେ ସମୂଦାୟ ୨,୭୦,୧୪,୦୦୦/- ଟଙ୍କା ଖର୍ଚ୍ଚ କରାଯାଇ କ୍ରୟ କରାଯାଇଅଛି । ଏହାଦ୍ୱାରା ରକ୍ତ ସଂଗ୍ରହ ବୃଦ୍ଧି ପାଇବା ସହ ସଂଗୃହିତ ରକ୍ତର ସମସ୍ତ ଗୁଣବତ୍ତା ବଜାୟ ରହିବ ଓ ଆବଶ୍ୟକ ସ୍ଥଳେ ରକ୍ତ ଯୋଗାଇ ଦିଆଯାଇପାରିବ ବୋଲି ବିଶେଷଜ୍ଞ ଓ ବୁଦ୍ଧିଜୀବି ମାନେ ଆଶା ପ୍ରକଟ କରିଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com