Breaking NewsFeaturedଓଡ଼ିଶା

ଧୋକା ଦେଲା ଶାଢ଼ି, ପୁଲିସକୁ ଚକମା ଦେଇ SCBରୁ କଏଦୀ ଫେରାର 

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ପୁଲିସକୁ ବୋକା ବନେଇ ଫେରାର ହୋଇଗଲା ବିଚାରାଧୀନ କଏଦୀ । ପୁଲିସ ସବୁ ଦେଖୁଥିଲା କିନ୍ତୁ ବୁଝି ପାରିଲାନି ଚତୁର ଚୋରର ଚାଲ । ଆଉ ଶେଷରେ ପୁଲିସ ଆଖିରେ ଧୁଳି ଦେଇ ଚମ୍ପଟ ମାରିଛି ଜଗତସିଂପୁର ଅଞ୍ଚଳର କୁଖ୍ୟାତ ଡକାୟତ ସାଜନ ଦାସ ।

ଖବର ମୁତାବକ ଜଗତସିଂପୁର ନାଉଁଗା ଅଞ୍ଚଳର ସାଜନ ଦାସ ଏକ ଡକାୟତି ମାମଲାରେ ଗିରଫ ହୋଇ ଆଳି ପିଙ୍ଗଳ ଜେଲରେ ଥିଲା । ଲଗାତାର ଦେହ ଖରାପ ହେବାରୁ ତାଙ୍କୁ ଚୌଦ୍ୱାର ଜେଲକୁ ପଠା ଯାଇଥିଲା । ଗତ ୨୯ ତାରିଖରେ ଦେହ ଅଧିକ ଖରାପ ହେବାରୁ କଡା ସୁରକ୍ଷା ବଳୟ ଭିତରେ ନିଆ ଯାଇଥିଲା କଟକ ଏସସିବି ମେଡିକାଲ କଲେଜକୁ । ତିନି ଦିନ ହେଲା ସେ ଏସସିବିରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ତିନିଜଣ ପୁଲିସ କର୍ମଚାରୀ । ଦାୟିତ୍ୱରେ ଥିବା ପୁଲିସକୁ ଶୌଚ ହେବାକୁ ଯାଉଛି କହି ବାଥରୁମ ଭିତରେ ପଶିଥିଲା ସାଜନ । ବାହାରେ ଠେଙ୍ଗା ଧରି ଜଗିଥିଲା ପୁଲିସ । କିନ୍ତୁ ଅନେକ ସମୟ ଅପେକ୍ଷା ପରେ ବି ଫେରିଲାନି ସାଜନ । କିଛି ଅଘଟଣର ଆଶଙ୍କା କରି ବାଥରୁମ ଭିତରକୁ ଯାଇଥିଲା ପୁଲିସ, ହେଲେ ସେଠାରେ ପାଇ ନଥିଲେ । ଏଇ ଖବର ପ୍ରବଳ ବେଗରେ ବ୍ୟାପି ଯାଇଥିଲା । ମେଡିକାଲ ପରିସରରେ ଅନେକ ଖୋଜାଖୋଜି ପରେ ବି ପତ୍ତା ମିଳିନଥିଲା ସାଜନର । କିନ୍ତୁ ଯେତେବେଳେ ସିସିଟିଭି ଯାଞ୍ଚ କରାଗଲା ସେତେବଳେ ସମସ୍ତଙ୍କର ହୋସ ଉଡିଗଲା । ବାଥରୁମ ଭିତରୁ ଶାଢ଼ି ପିନ୍ଧି ବାହାରିଥିଲା ସାଜନ । ପୁଲିସ ସାମନା ଦେଇଗଲା କିନ୍ତୁ ଠଉରାଇ ପାରିଲାନି ପୁଲିସ । ଆଉ ସିସିଟିଭି ଫୁଟେଜ ଦେଖିବା ପରେ ଜଣେ କେବଳ ଆଉ ଜଣଙ୍କୁ ଦୋଷ ଦେବା ଛଡା ଅନ୍ୟ ଉପାୟ ନଥିଲା । ତେବେ ଅଭିଯୁକ୍ତ ସାଜନ ଫେରାର ହେବା ପରେ ଏବେ ବିଭିନ୍ନ ଜାଗାରେ ରେଡ କରୁଚି ପୁଲିସ କିନ୍ତୁ ଏପର୍ଯ୍ୟନ୍ତ କୋଣସି ସୁରାକ ମିଳିପାରିନି । ତେବେ ବଡ କଥା କେବେ ଧରାପଡୁଛି ଫେରାର କଏଦୀ ଆଉ କର୍ତ୍ତବ୍ୟରେ ଢିଲା କରିଥିବା ପୁଲିସଙ୍କ ଉପରେ କଣ ଆକ୍ସନ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା।

 

Related Articles

Back to top button
WP Twitter Auto Publish Powered By : XYZScripts.com