ନକଲି ଭିସା ପାଇଁ ଫସିଲେ ୭୦୦ ଭାରତୀୟ
ଭୁବନେଶ୍ୱର, ୧୮/୦୩/୨୦୨୩ – ଖର୍ଚ୍ଚ ବାବଦରେ ଜଣଙ୍କ ପିଛା ୧୬ ଲକ୍ଷରୁ ୨୦ ଲକ୍ଷ ନେଇଥିଲା ଦଲାଲ। ସିକ୍ୟୁରିଟି ଡିପୋଜିଟ୍ ଫ୍ଲାଇଟ ଟିକେଟ୍ ଖର୍ଚ୍ଚ ପୁଣି ଅଲଗା । ଆଉ ସବୁକିଛି ବୁଡିଗଲା ଠକ ଦଲାଲର ମାୟା ଜାଲରେ । ଜଣେ କି ୨ ଜଣ ନୁହଁ ପ୍ରାୟ ୭୦୦ ଛାତ୍ର ଏମିତି ହାଇଟେକ ଠକାମିର ଶିକାର ହୋଇଛନ୍ତି ।
୨୦୧୮ରୁ ୨୨ ମଧ୍ୟରେ ଏମାନେ ସମସ୍ତେ ଷ୍ଟଡି ଭିସା ପାଇଁ ଆବେଦନ କରିଥିଲେ । ସେମାନଙ୍କୁ ଷ୍ଟଡି ଭିସା ବି ମିଳିଥିଲା। କିନ୍ତୁ ଟରଂଟୋରେ ପହଞ୍ଚିବାପରେ ଭିସା ଏଜେଣ୍ଟ ସମସ୍ତଳ୍କୁ ସେମାନଙ୍କ ନାମଲେଖା ବାତିଲ ହୋଇଥିବା କହିଥିଲେ। ଏହାପରେ ସେମାନଙ୍କୁ ଅନ୍ୟ କଲେଜରେ ନାମ ଲେଖାଇବା ପାଇଁ ଆଉ ୬ ମାସ ଅପେକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଏପରିକି ବିଶ୍ବାସକୁ ଆହୁରି ସୁଦୃଢ଼ କରିବାପାଇଁ ଦଲାଲ ମିଶ୍ରା ସେମାନଙ୍କ ଟଙ୍କା ଫେରାଇ ଦେଇଥିଲେ।
ଏହାପରେ ଏହି ଛାତ୍ରମାନେ ଅନ୍ୟ ଏକ କଲେଜରେ ନିଜର ପାଠ ପଢ଼ାଶେଷ କରିଥିଲେ । କାନାଡ଼ାରେ କାମ କରିବାପାଇଁ ଏହି ଛାତ୍ରମାନେ P.R. ବା ସ୍ଥାୟୀ ବସବାସ ପାଇଁ ଆବେଦନ କରିଥିଲେ। କିନ୍ତୁ ସିବିଏସ୍ ଅଧିକାରୀମାନେ ଯାଞ୍ଚ କରିବାରୁ ଏହା ନକଲି ଆଡମିଶନ ଲେଟର ବୋଲି ଜଣା ପଡିଥିଲା । ଏହି ଜାଲିଆତି ଧରା ପଡ଼ିବାପରେ ଛାତ୍ରମାନଙ୍କୁ ଡିପୋର୍ଟେସନ୍ ଲେଟର ଦିଆଯାଇଛି। ସେପଟେ ଛାତ୍ରମାନେ ଠକେଇର ଶିକାର ହୋଇଥିବା ନେଇ ସିବିଏସଏ ନିକଟରେ ଦାବି କରିଥିଲେ ବି ପ୍ରମାଣ ଅଭାବରୁ ଅଧିକାରୀମାନେ ଏହାକୁ ଗ୍ରହଣ କରିନାହାନ୍ତି।