ଓଡ଼ିଶା

ଇଂଜିନିୟରିଂ ଛାତ୍ରୀ ସ୍ୱିଟି ନିଖୋଜ ଘଟଣାରେ ନୂଆ ମୋଡ

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରୁ ଜଣେ ଇଜିନିୟରିଂ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି । ସେ ହେଲେ ପଶ୍ଚିମବଙ୍ଗର ସ୍ୱିଟି ରାୟ (୨୦ ବର୍ଷ) । ସ୍ୱିଟି ନିଖୋଜ ନେଇ ଜିଆରପି ଥାନାରେ ଏତଲା ଦେଇଛନ୍ତି ୟୁନିଟ୍‌-୧ରେ ରହୁଥିବା ସୁରେଶ ପଣ୍ଡା । ଏନେଇ ଜିଆରପି ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ନିଖୋଜ ପଛରେ ପ୍ରେମ ଘଟଣା ରହିଛି । ସ୍ୱିଟିଙ୍କ ଘର ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜୟପୁରର ଜେସର ରୋଡ୍‌ରେ । ସେ ଖଣ୍ଡଗିରି ଅଞ୍ଚଳରେ ଥିବା ଉତ୍କଳ ଏରୋସ୍ପେସ ଆଣ୍ଡ ଇଞ୍ଜିନୟରିଂ କଲେଜର ଦ୍ୱିତୀୟ ବର୍ଷ ଛାତ୍ରୀ । ନୂଆପଲ୍ଲୀ ଥାନା ଅଞ୍ଚଳରେ ଘରଭଡ଼ା ନେଇ ରହୁଥିଲେ । କିଛି ଦିନ ତଳେ ସେ ଘରକୁ ଯାଇଥିଲେ । ବୁଧବାର ହାୱଡ଼ାରୁ ଜନଶତାଦ୍ଦୀ ଟ୍ରେନରେ ଭୁବନେଶ୍ୱର ଆସିଥିଲେ । ରାତି ୮ଟା ୨୫ରେ ଷ୍ଟେସନର ୬ ନମ୍ବର ପ୍ଲାଟ୍‌ଫର୍ମରେ ଓହ୍ଲାଇଥିଲେ । ଟ୍ରେନ୍‌ରୁ ଓହ୍ଲାଇବା ପରେ ସ୍ୱିଟି ତାଙ୍କ ମା’ଙ୍କୁ ଫୋନରେ ଜଣାଇଥିଲେ । ରୁମ୍‌ରେ ପହଞ୍ଚି ଫୋନ୍‌ କରିବେ ବୋଲି କହିଥିଲେ । ହେଲେ ସେ ରୁମ୍‌କୁ ସେ ଫେରି ନଥିଲେ । ରାତି ୧୦ ଟା ବେଳେ ତାଙ୍କ ମା’ ଫୋନ୍‌ କରିଥିଲେ । କିନ୍ତୁ ସ୍ୱିଟିଙ୍କ ଫୋନ୍‌ ବନ୍ଦ ଥିଲା । ସ୍ୱିଟିଙ୍କ ବାପା ବିଜୟ ରାୟ ବିଏସ୍‌ଏଫ୍‌ର ସବ୍‌ ଇନ୍ସପେକ୍ଟର । ଝିଅର ଫୋନ୍‌ ବନ୍ଦ ହେବା ଓ ସେ ରୁମ୍‌ ନ ଫେରିବା ଖବର ବିଜୟ ଜାଣିବା ପରେ ୟୁନିଟ୍‌-୧ରେ ରହୁଥିବା ତାଙ୍କ ବନ୍ଧୁ ସୁରେଶ କୁମାର ପଣ୍ଡାଙ୍କୁ ଜଣାଇଥିଲେ । ଗୁରୁବାର ସକାଳେ ସୁରେଶ ଜିଆରପି ଥାନାରେ ଏତଲା ଦେଇଥିଲେ। ଏତଲା ପାଇବା ପରେ ପୁଲିସ୍‌ ଆରମ୍ଭ କରିଥିଲା ତଦନ୍ତ । ସିସିଟିଭି ଯାଞ୍ଚ କରିଥିଲା । ଏହି ସମୟରେ ଜଣାପଡିଥିଲା, ସ୍ୱିଟି ୬ ନମ୍ବର ପ୍ଲାଟ୍‌ଫର୍ମରେ ଓହ୍ଲାଇବା ପରେ ଜଣେ ଯୁବକଙ୍କ ସହ କଥା ହୋଇ ଚାଲି ଚାଲି ୧ ନମ୍ବର ପ୍ଲାଟ୍‌ଫର୍ମ ପଟେ ବାହାରକୁ ଆସିଛନ୍ତି । ବାହାରେ ସେ ଯୁବକଙ୍କ ସହ ଠିଆ ହୋଇ କିଛି ସମୟ କଥା ହେଲା ପରେ ଫୋନ୍‌ ବନ୍ଦ କରି ପକେଟ୍‌ରେ ରଖୁଛନ୍ତି । ଏସବୁ ଦେଖି ପୁଲିସ୍‌ ଅନୁମାନ କରୁଛି କରୁଛି ଯୁବକ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁ । ସେ ତାଙ୍କ ସହ କେଉଁ ଆଡ଼େ ଯାଇଛନ୍ତି । ସ୍ୱିଟିଙ୍କ ସିଡିଆର ଯାଞ୍ଚ ପରେ କିଛି ତଥ୍ୟ ମିଳିଛି। ସେଥିରୁ ସ୍ୱିଟିଙ୍କୁ ଠାବ କରାଯିବ ବୋଲି ପୁଲିସ୍‌ କହିଛି । ସ୍ୱିଟିଙ୍କ ବାପା ତ୍ରିପୁରାରେ ବିଏସ୍‌ଏଫ୍‌ ମୁଖ୍ୟାଳୟରେ କାର୍ଯ୍ୟ କରୁଛନ୍ତି । ତାଙ୍କ ବାପା ଓ ମା’ ଭୁବନେଶ୍ୱର ଆସୁଥିବା ଜଣାଯାଇଛି । ଜିଆରପି ପୁଲିସ୍‌ ୨ ଟି ଟିମ୍‌ ଗଠନ କରି ସ୍ୱିଟିଙ୍କୁ ଖୋଜାଖୋଜି କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com