ବୁଧବାର ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରା
ଭୁବନେଶ୍ୱର, ୨୬/୦୩/୨୦୨୩ – ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାକୁ ଆଉ ମାତ୍ର ୩ ଦିନ ବାକି । ଏହାକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶୃଙ୍ଖଳିତ ରଥଟଣା ଓ ଟ୍ରାଫିକ୍ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି । ଠିକ୍ ସମୟରେ ରଥଟଣା ଆରମ୍ଭ ହେବା ସହ ମାଉସୀ ମା’ ମନ୍ଦିର ନିକଟରେ ରଥ ପହଞ୍ଚାଇବା ପାଇଁ ସେବାୟତମାନେ ପ୍ରତିଶ୍ରୁତି ଦେଇଛନ୍ତି । ଶୃଙ୍ଖଳିତ ନୀତିକାନ୍ତି ଓ ନିର୍ଦ୍ଧାରିତ ସମୟରେ ରଥ ପହଞ୍ଚିଲେ, ସେବାୟତଙ୍କୁ କମିସନରେଟ୍ ପୁଲିସ ପକ୍ଷରୁ ସମ୍ୱର୍ଦ୍ଧିତ କରାଯିବ ବୋଲି ଜଣାପଡ଼ିଛି ।
ରଥଯାତ୍ରା ଠାରୁ ସ୍ୱର୍ଣ୍ଣାଦୀ ବିଜେ ପର୍ଯ୍ୟନ୍ତ ରଥଦାଣ୍ଡରେ ଆମିଷ ବିକ୍ରି ଉପରେ କଟକଣା ଲଗାଯାଇଛି । ବିଶେଷକରି ଲିଙ୍ଗରାଜ ମନ୍ଦିର ଠାରୁ ଆରମ୍ଭ କରି ମାଉସୀ ମା’ ମନ୍ଦିର ଯାଏଁ ଥିବା ଫାଷ୍ଟଫୁଡ ଦୋକାନରେ ଆମିଷ ବିକ୍ରି ବନ୍ଦକରିବା ଲାଗି ସେବାୟତମାନେ ପ୍ରସ୍ତାବ ଦେଇଛନ୍ତି । ଏଥିସହିତ ରଥଯାତ୍ରାରେ ପରିମଳ ବ୍ୟବସ୍ଥାକୁ ଗୁରତ୍ୱ ଦେଇଛି BMC । ରଥଯାତ୍ରା ପୂର୍ବରୁ ରାସ୍ତାରେ ଥିବା ଗଛ ଡାଳଗୁଡ଼ିକ କାଟିବା ସହ ବର୍ଷାପାଣି ନଜମିବା ପାଇଁ ଖାଲଖମା ପୋତିବା, ପର୍ଯ୍ୟାପ୍ତ ପରିମାଣ ଲାଇଟ ବ୍ୟବସ୍ଥା କରାଯିବାକୁ ବୈଠକରେ ଗୁରତ୍ୱାରୋପ ହୋଇଛି ।
ସେଭଳି ଚଳିତବର୍ଷ ପ୍ରଥମକରି ରଥ ନିକଟରେ ଦୁଇଟି ମଞ୍ଚ କରାଯିବ । ଉକ୍ତ ଦୁଇଟି ଷ୍ଟେଜରେ ଓଡ଼ିଶୀ ସହ ପାରମ୍ପରିକ ନୃତ୍ୟ ପରିବେଷଣ କରାଯିବ । ସେପଟେ ଶିବରାତ୍ରି ସମୟରେ ଯେମିତି ମନ୍ଦିର ଫୁଲରେ ସଜା ଯାଇଥିଲା ରଥଯାତ୍ରା ସମୟରେ ସେମିତି ଫୁଲରେ ସଜାଯିବ ବୋଲି BMC ପକ୍ଷରୁ କୁହାଯାଇଛି ।
କେଦାରଗୌରୀ ମନ୍ଦିର ନିକଟସ୍ଥ ମା’ କଲ୍ୟାଣ ମଣ୍ଡପରେ ଆୟୋଜିତ ବୈଠକରେ DCP ପ୍ରତୀକ ସିଂ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ମେୟର ସୁଲୋଚନା ଦାସ, ଲିଙ୍ଗରାଜ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ, ଟ୍ରାଫିକ DCP ଠାକୁର ପ୍ରସାଦ ପାତ୍ର, ଅତିରିକ୍ତ DCP ପ୍ରକାଶ ପାଲ୍ ପ୍ରମୁଖ ଉପସ୍ଥିତ ଥଲେ ।