ଓଡ଼ିଶା

ଆଖି ବୁଜିଲା କଲରାପତରିଆ ବାଘ । ଦୀର୍ଘଦିନ ଧରି ଚାଲିଥିଲା ଚିକିତ୍ସା ।

ଆଖି ବୁଜିଲା କଲରାପତରିଆ ବାଘ । ବିଳମ୍ବିତ ରାତ୍ରିରେ ଚିକିତ୍ସାଧିନ ଅବସ୍ଥାରେ ବାଘଟିର ମୃତ୍ୟୁ ହୋଇଛି । ନୂଆପଡ଼ା ଜଙ୍ଗଲର ଧରମବିନ୍ଧା ବିଟ୍ ସିଲିଆରିବାହାରା ଗ୍ରାମର ଆମକୋନୀ ଜଙ୍ଗଲରେ ବାଘଟି ସୋମବାର ରାତି ପ୍ରାୟ ୧୨ ଟା ୧୫ ସମୟରେ ପ୍ରାଣ ହରାଇଛି । ଏନେଇ ସୂଚନା ଦେଇଛନ୍ତି ଏସିଏଫ୍ ମହମ୍ମଦ ମୁସ୍ତାଫ ସାଲିହା।

ଗତ ଏପ୍ରିଲ ୧୬ ରେ ବାଘଟିକୁ ଆମକୋନୀ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରେଞ୍ଜ ଅଫିସ ପରିସରରେ ଚିକିତ୍ସା ଚାଲିଥିଲା । ୨୨ ଦିନ ହେବ ଚିକିତ୍ସା ଚାଲିଥିଲେ ମଧ୍ୟ ବାଘଟିର ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସୁ ନଥିଲା । ଫଳରେ ବାଘଟି ଖାଦ୍ୟ ଖାଉ ନଥିଲା । ପ୍ରାଣୀ ଚିକିତ୍ସା ଅଧିକାରୀ ଅଧିକ ଚିକିତ୍ସା ପାଇଁ ଅନ୍ୟସ୍ଥାନକୁ ନେବା ପାଇଁ ୨ରୁ ୩ ଥର ପରାମର୍ଶ ଦେଇଥିଲେ ବି ନୂଆପଡ଼ା ପ୍ରାଣୀ ବିଭାଗ ଅଧିକାରୀମାନେ ଏହା ଉପରେ ଗୁରୁତ୍ୱ ଦେଇନଥିଲେ ।  ପରେ ଭୁବନେଶ୍ବର ଓୟୁଏଟି ବିଶେଷଜ୍ଞ ଟିମ୍ ପହଞ୍ଚି ଚିକିତ୍ସା କରିଥିଲେ। କିନ୍ତୁ ବାଘର ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଦେଖିବାକୁ ମିଳିନଥିଲା । ଉଦ୍ଧାର ସମୟରେ ବାଘ ଅଂଶୁଘାତର ଶିକାର ହୋଇଥିବା ବିଭାଗର ଏସିଏଫ୍ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ବିଶେଷଜ୍ଞ ଦଳ ବିଭିନ୍ନ ଚିକିତ୍ସା କରି ବାଘ ୩/୪ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com