ଓଡ଼ିଶା

ନୟାଗଡ଼ରେ  ବିଷାକ୍ତ ପାଣି ପିଇ ବଢୁଛି କଡ଼୍‌ନୀ  ସମସ୍ୟା । ଅକାଳରେ ଯାଉଛି ଜୀବନ ।

ପାଣିରେ ମିଶିଛି  ବିଷ । ପିଇବା ପରେ ବଢୁଛି କିଡ଼୍‌ନୀ ରୋଗ । ଆଉ ଅକାଳରେ ଚାଲିଯାଉଛି ଜୀବନ । ଜଳରେ ମାତ୍ରାଧିକ ଫ୍ଲୋରାଇଡ଼୍ ମିଶୁଥିବା ହେତୁ ଏହି ଭଳି ସ୍ୱାସ୍ଥ୍ୟଗତ ସମସ୍ୟା ବଢିବାରେ ଲାଗିଛି । ଏହିଭଳି ସମସ୍ୟା ଭୋଗୁଛନ୍ତି ନୟାଗଡ଼ ବାସୀ ।  ପ୍ରତ୍ୟେକ ଲୋକଙ୍କ ନିକଟରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି । କିନ୍ତୁ ଆଜି ବି କିଛି ଲୋକ ପିଇବା ପାଇଁ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି । କିନ୍ତୁ ସେପଟେ ନୟାଗଡ଼ରେ ସପ୍ଲାଏ ପାଣିରେ ବିଷ ଭଳି ଫ୍ଲୋରାଇଡ଼ ବାହାରୁଛି ଯାହାକୁ ପିଇବା ପରେ ଲୋକଙ୍କ ଜୀବନ ଯାଉଛି ।

ପାଣିରେ ମାତ୍ରାଧିକ ଫ୍ଲୋରାଇଡ଼ ରହୁଥିବାରୁ ଏହାକୁ ପିବା ଫଳରେ କୀଡ଼ନୀ ଜନିତ ସମସ୍ୟା ବୃଦ୍ଧି ପାଉଛି । ପୂର୍ବରୁ ରାଜ୍ୟର ଏକାଧିକ ସ୍ଥାନରୁ ଏଭଳି ଘଟଣା ସାମ୍ନାକୁ ଆସିଥିବା ବେଳେ ଏହା ମଧ୍ୟରେ ନୟାଗଡ଼ ଜିଲ୍ଲାରୁ ଏଭଳି ଏକ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି । ସ୍ଥାନୀୟ ଲୋକଙ୍କ ଅନୁଯାୟୀ ୧୦ ଲିଟର ପାଣି ଫୁଟାଇଲେ ସେଥିରୁ ୨୦୦ ଗ୍ରାମର ଫ୍ଲୋରାଇଡ଼ ମିଳୁଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ଗୋତି ସାହି ପଞ୍ଚାୟତର ଅନେକ ଲୋକ ଏହି ଫ୍ଲୋରାଇଡ଼ ଯୁକ୍ତ ପାଣି ପିଇବା ପରେ ମୃତ୍ୟୁ ମୁଖରେ ପଡ଼ିଛନ୍ତି । ଗତ ପାଞ୍ଚ ବର୍ଷ ମଧ୍ୟରେ ଏହି କାରଣରୁ ୧୫ ଜଣ ଲୋକଙ୍କର ଜୀବନ ଚାଲିଯାଇଥିବା ବେଳେ ଏବେ ବି ଅନେକ ଶଯ୍ୟାଶାୟୀ ରହିଛନ୍ତି । ତେବେ ଏନେଇ ଗ୍ରାମବାସୀଙ୍କ ଅଭିଯୋଗ ପରେ ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ଦୀର୍ଘ ୧୦-୧୫ ବର୍ଷ ଧରି ଏହି ସମସ୍ୟା ରହିଥିବା ବେଳେ ପ୍ରଶାସନ ତରଫରୁ ମଧ୍ୟ ଏକାଧିକ ଥର ପରୀକ୍ଷା କରାଯାଇଛି ହେଲେ କୌଣସି ସୁଫଳ ମିଳିପାରିନାହିଁ ।

ଅନ୍ୟପଟେ ଫ୍ଲୋରାଇଡ କାରଣରୁ ସମ୍ବଲପୁର ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ୨୦୧୫ରୁ ୨୦୨୦ ମଧ୍ୟରେ ୨୩ ଜଣଙ୍କ ଜୀବନ ଚାଲିଯାଇଥିଲା । ସେହିପରି କେନ୍ଦୁଝର ଜିଲ୍ଲାରେ ବର୍ଷକ ମଧ୍ୟରେ ୫ ଜଣଙ୍କ ଜୀବନ ଚାଲିଯାଇଥିବା ଗତ ମାସରେ ଜଣାପଡ଼ିଥିଲା । ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକର ଲୋକଙ୍କ ଠାରେ ଦାନ୍ତ ନଷ୍ଟ, ହାଡ଼ ବଙ୍କା, ପେଟ ରୋଗ, କିଡନୀ ରୋଗ ବ୍ୟାପୁଥିବା ନେଇ ମଧ୍ୟ ଖବର ସାମ୍ନାକୁ ଆସିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com