କ୍ରୀଡ଼ା

କେଉଁଠି ଖେଳିବେ ଭାରତ-ପାକିସ୍ତାନ ?

ଭୁବନେଶ୍ୱର, ୦୯/୦୫/୨୦୨୩ –   ଆଗାମୀ ଏସିଆ କପ ଟୁର୍ଣ୍ଣାମେଣ୍ଟକୁ ଆଗ୍ରହ ସହ ଚାହିଁ ବସିଛନ୍ତି କୋଟି କୋଟି କ୍ରିକେଟ ପ୍ରେମୀ । ହେଲେ ଏଯାଏ ସମାଧାନ ହୋଇପାରୁନି ଏସିଆ କପକୁ ନେଇ ଉଠିଥିବା ଦ୍ୱନ୍ଦ । ତେବେ ପୂର୍ବରୁ ଏସିଆ କପ ପାଇଁ ସମସ୍ତ ନିଷ୍ପତ୍ତି ନିଆଯାଇ ସାରିଥିଲେ ବି ଭାରତ-ପାକିସ୍ତାନ ମ୍ୟାଚ କେଉଁଠି ଖେଳାଯିବ ତାହା ଅନିଶ୍ଚନ୍ତିତା ଭିତରେ ରହିଥିଲା । ତେବେ ବହୁ ବିଚାର ବିମର୍ଶ ପରେ ଏହି ଦୁଇ ଦେଶର ମ୍ୟାଚକୁ କୌଣସି ନିରପେକ୍ଷ ସ୍ଥାନରେ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଦୁଇ ଦେଶର ଆଲୋଚନା ପରେ ୟୁଏଇରେ ଖେଳାଯିବାକୁ ଯୋଜନା କରାଯାଇଥିଲା । ହେଲେ କିଛି ଦିନର ବିରତି ପରେ ଏବେ ଏହି ଆଲୋଚନା ଫସର ଫାଟି ଯାଇଛି ।

ଏହାର କାରଣ ହେଉଛି ୟୁଏଇର ପାଣିପାଗ । ସେପ୍ଟମ୍ବର ମାସରେ ଏସିଆ କପ ହେବାକୁ ଥିବାରୁ ଏହି ସମୟରେ ୟୁଏଇରେ ଅତ୍ୟଧିକ ଆର୍ଦ୍ରତା ରହୁଥିବାରୁ ଏହା ଖେଳାଳିଙ୍କ ଆଘାତର କାରଣ ହୋଇପାରେ ବୋଲି ଦର୍ଶାଯାଇଛି । ଯେଉଁଥିପାଇଁ ସେଠାରେ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବା ଆଶା ମଉଳି ଯାଇଛି । ଏହାପରେ ପାକିସ୍ତାନ ହାଇବ୍ରିଡ ମଡେଲରେ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଏସୀୟ କ୍ରିକେଟ୍ ପରିଷଦ ବା ଏସିସି ସୋମବାର ପ୍ରସ୍ତାବ ଦେଇଥିଲା । ମାତ୍ର ଏହାକୁ ପ୍ରତ୍ୟାଖାନ କରିଛନ୍ତି ସଦସ୍ୟ ରାଷ୍ଟ୍ର । ସେହିପରି ଦୁଇଟି ଦେଶରେ ଅଲଗା ଅଲଗା ଜାଗାକୁ ପ୍ରସାରଣକାରୀ ସଂସ୍ଥା ମଧ୍ୟ ଅଲଗା ଅଲଗା ୟୁନିଟ ପଠାଇବାକୁ ରାଜି ନଥିବା ଜଣାପଡିଛି । ଗତକାଲିର ଏହି ଘଟଣା ପରେ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରତିଯୋଗିତା କରୁଛି କି ନାହିଁ ତାହା ଦେଖିବା ମଜାଦାର ହେବ ବୋଲି ଆଲୋଚନା ହେଉଛି । ତେବେ ଏପରି ସ୍ଥିତିରେ ପାକିସ୍ତାନ ଏସିଆ କପ ଆୟୋଜନରୁ ଓହରି ଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ତେବେ ଆଜି ଏନେଇ ଆଉ ଏକ ରାଉଣ୍ଡ ଆଲୋଚନା ହେବ ବୋଲି ପିସିବି ଆଶାବାଦୀ ରହିଛି । ସେପଟେ ଶ୍ରୀଲଙ୍କା ମଧ୍ୟ ଏସିଆ କପ ନେଇ ଆଗ୍ରହୀ ରହିଛି । ଭାରତ ଓ ପାକିସ୍ତାନ ମଧ୍ୟରେ କୂଟନୈତିକ ତିକ୍ତତା କାରଣରୁ ବିସିସିଆଇ ଭାରତୀୟ ଦଳକୁ ପାକିସ୍ତାନକୁ ପଠାଇବାକୁ ସିଧାସଳଖ ମନା କରିଥିଲା । ଏହାପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏକ ବିକଳ୍ପ ପ୍ରସ୍ତାବ ଦେବାକୁ ବାଧ୍ୟ ହୋଇଥିଲା। ତେବେ ଏଭଳି ପରିସ୍ଥିତି ଏବେ ଆଗାମୀ ଦିନିକିଆ ବିଶ୍ୱକପ ଉପରେ ଦେଖିବାକୁ ମିଳିପାରେ ।

କାରଣ ଏଥର ବିଶ୍ୱକପ ଭାରତରେ ଆୟୋଜନ ହେଉଥିବାରୁ ପାକିସ୍ତାନ ଖେଳିବାକୁ ଏଠାକୁ ଆସିବାକୁ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି । କାରଣ ପାକିସ୍ତାନର ଏକାଧିକ ପୂର୍ବତନ କ୍ରିକେଟର ଏହି ସପକ୍ଷରେ ମତ ଦେଇଥିଲେ । ଯଦି ଭାରତ ଏସିଆ କପ ଖେଳିବା ପାଇଁ ପାକିସ୍ତାନକୁ ନ ଆସେ ତେବେ ପାକିସ୍ତାନ ମଧ୍ୟ ଭାରତକୁ ଯିବା ଉଚିତ ହେବ ନାହିଁ । ତେବେ ଏଭଳି ସ୍ଥିତିରେ ଏସିଆ କପ ପାଇଁ କିଭଳି ନିଷ୍ପତ୍ତି ନିଆଯାଉଛି ତାହା ଉପରେ କ୍ରିକେଟ ପ୍ରେମୀଙ୍କ ନଜର ରହିଛି । ତେବେ ଆସନ୍ତା ସେପ୍ଟେମ୍ବର ୨-୧୭ ତାରିଖ ଯାଏ ଏସିଆ କପ ଖେଳାଯିବାକୁ ଯୋଜନା କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com