ଜାତୀୟରାଜନୀତି

୨୦୨୪ ପାଇଁ ଏବେଠାରୁ ପାଗ ଭିଡ଼ିଲେ ମମତା, ୟୁପିରେ ଲୋକସଭା ନିର୍ବାଚନ ଲଢ଼ିବ ଟିଏମସି

କୋଲକାତା() ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେଠାରୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛନ୍ତି। ୨୦୨୪ରେ ବିଜେପିକୁ ହରାଇବା ପାଇଁ ଟିଏମସି ଉତ୍ତର ପ୍ରଦେଶରେ ଲୋକସଭା ନିର୍ବାଚନ ଲଢ଼ିବ ବୋଲି ସେ ଘୋଷଣା କରିଛନ୍ତି। ଏଥିସହ ବିଜେପିକୁ ହରାଇବା ପାଇଁ ସବୁ ଆଞ୍ଚଳିକ ଦଳ ଏକାଠି ହେବାକୁ ମମତା ପୁଣିଥରେ ଆହ୍ୱାନ ଦେଇଛନ୍ତି।

ମମତା ଆଜି ନିର୍ଦ୍ୱନ୍ଦ୍ୱରେ ପୁଣିଥରେ ଟିଏମସର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ସମୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ମମତା ତାଙ୍କର ଆଗାମୀ ରଣନୀତି ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟିକୁ ସମର୍ଥନ କରୁଥିବା କହିଛନ୍ତି। ଏଥିପାଇଁ ସେ ଖୁବଶୀଘ୍ର ଅଖିଲେଶଙ୍କ ସହ ମିଶି ୟୁପି ନିର୍ବାଚନ ପାଇଁ ପ୍ରଚାର ମଧ୍ୟ କରିବେ।

ମମତା କହିଛନ୍ତି, “ଆମେ(ଟିଏମସି) ୨୦୨୪ ଲୋକସଭା ନିର୍ବାଚନ ବେଳେ ଉତ୍ତର ପ୍ରଦେଶରୁ ଲଢ଼େଇ କରିବୁ। ୨୦୨୪ରେ ସବୁ ଆଞ୍ଚଳିକ ଦଳ ଭାରତୀୟ ଜନତା ପାର୍ଟି ବିରୋଧରେ ଲଢ଼େଇ କରିବା ଦରକାର। ବିଜେପିରୁ ହରାଇବା ଓ ବିଜେପି ସହ ଜୋରଦାର ଲଢ଼େଇ କରିବା ପାଇଁ ସବୁ ଆଞ୍ଚଳିକ ଦଳ ୨୦୨୪ରେ ଏକାଠି ହେବା ଉଚିତ। ବିଜେପିର ୭ରୁ ୮ ଜଣ ନେତା ଖୁବଶୀଘ୍ର ଟିଏମସିରେ ମିଶିବେ।

ଟିଏମସି ଚଳିତ ବର୍ଷ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଲଢ଼ିବ ନାହିଁ। କିନ୍ତୁ ମୁଁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କୁ ସମର୍ଥନ କରିବି। ଏଥିପାଇଁ ଫେବୃଆରୀ ୮ରେ କାର୍ଯ୍ୟକ୍ରମ ମଧ୍ୟ ରହିଛି। ଆମେ ବିଜେପିକୁ ସାଇଡଲାଇନ କରିବୁ। ଆମେ ଆଦୌ ଭୟଭୀତ ନୁହଁ।”

କେନ୍ଦ୍ର ସରକାର ଉପସ୍ଥାପନ କରିଥିବା ୨୦୨୨-୨୩ ଆର୍ଥିକ ବର୍ଷର ବଜେଟକୁ ମଧ୍ୟ ମମତା ସମାଲୋଚନା କରିଛନ୍ତି। ବଜେଟରେ ଚାଷୀ, ଶ୍ରମିକ ଓ ସାଧାରଣ ଲୋକଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇ ନଥିବା ସେ କହିଛନ୍ତି। ମମତା କହିଛନ୍ତି, “ଟିଏମସି ଲୋକଙ୍କ ସହ ମିଶି କାମ କରିବାରେ ବିଶ୍ୱାସ କରେ। ଏଜେନ୍ସିଗୁଡ଼ିକ ସହ ମିଶି ଦଳ କାମ କରେନି। ଆମେ ପ୍ରଥମ କାର୍ଯ୍ୟକାରୀ କମିଟି ବୈଠକ ଦିଲ୍ଲୀରେ କରିବୁ। ବିଜେପି ପାଖରେ ୩ ପ୍ରମୁଖ ଅସ୍ତ୍ର ରହିଛି। ଗୋଟିଏ ହେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆଉ ଗୋଟିଏ ହେଲା ସିବିଆଇ ଓ ତୃତୀୟଟି ହେଲା କ୍ୟାଶ। ଏହାକୁ ବ୍ୟବହାର କରି ବିଜେପି କ୍ଷମତା ଦଖଲ କରିବାରେ ଲାଗିଛି। କିନ୍ତୁ ୨୦୨୪ରେ କିଛି ବି କାମ କରିବନି।”

ମମତା ବାନାର୍ଜୀ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧାନକରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ପଶ୍ଚିମବଙ୍ଗରେ ବିଜେପିର ଦଲାଲ ରହିଛନ୍ତି। ପେଗାସସ୍‌ ଅପେକ୍ଷା ଏହି ଦଲାଲ ବେଶୀ ମାରାତ୍ମକ ଓ ବିପଦଜନକ।” ରାଜ୍ୟପାଳ ଜଗଦୀପ ଧାନକରଙ୍କ ଟ୍ୱିଟର ଆକାଉଣ୍ଟକୁ ଗତ ସପ୍ତାହରେ ମମତା ବ୍ଲକ କରିଥିଲେ। ଏଥିସହ ରାଜ୍ୟପାଳ ଫୋନ ଟ୍ୟାପିଂ କରି ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ ଧମକ ଦେଉଥିବା ମମତା ଅଭିଯୋଗ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com