ଆଜି ବି ଗୁଞ୍ଜରିତ ହେଉଛି- ମୁଁ ତ ବଡ଼ ଦେଉଳର ପାରାରେ…
ଭଜନ ସମ୍ରାଟଙ୍କ ସ୍ବରକୁ ଆଜି ବି ଗୁଣୁଗୁଣାଉଛନ୍ତି ଶ୍ରୋତା, ସ୍ଵର ତାଙ୍କର ମଧୁଝରା...
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ତାଙ୍କ ମୁଣ୍ଡରେ ମୁକୁଟ ନଥିଲା କିନ୍ତୁ ସେଥିଲେ ସମ୍ରାଟ । ଓଡ଼ିଶାରେ ଏମିତି କୌଣସି ଲୋକ ନାହାନ୍ତି ଯିଏ ତାଙ୍କୁ ଚିହ୍ନି ନାହାନ୍ତି । ଏମିତି କୌଣସି ସ୍ଥାନ ନାହିଁ ଯେଉଁଠାରେ ତାଙ୍କ ସ୍ୱର ପହଞ୍ଚିନି । କୋଟି କୋଟି ଓଡ଼ିଆଙ୍କର ସେ ଥିଲେ ଅତି ପ୍ରିୟ । ନାମରେ ସେ ଥିଲେ ଭିକାରି କିନ୍ତୁ କର୍ମ ପାଇଁ ସେ ହୋଇଥିଲେ ସମ୍ରାଟ । ସେ ହେଉଛନ୍ତି ଭଜନ ସମ୍ରାଟ ଭିକାରି ବଳ ।
ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ସୋବଳା ଗ୍ରାମରେ ୧୯୨୯ ମସିହା ମେ ୨୫ରେ ସେ ଜନ୍ମଗ୍ରହଣ କରିଥିଲେ । ଭିକାରିଙ୍କ ପୂର୍ବରୁ ତାଙ୍କ ବାପା ରାମଚନ୍ଦ୍ର ବଳ ଓ ମା ଗେହ୍ଲାରାଣୀଙ୍କ ର ଏକାଧିକ ଶିଶୁ ମୃତ୍ୟୁ ମୁଖରେ ପଡ଼ିଥିଲେ । ତେଣୁ ଭିକାରିଙ୍କୁ ସେ ଅଲଗା ଜାତିରେ ବିକ୍ରି କରି ପୁଣି କିଣି ଆଣିଥିଲେ । ପିଲା ଅବସ୍ଥାରେ ସେ ହରାଇଥିଲେ ତାଙ୍କ ବାପ ମାଙ୍କୁ । ଆଉ ଭିକାରିଙ୍କ ଲାଳନପାଳନ କରିଥିଲେ ତାଙ୍କ ବଡ ଭାଇ ଧନେଶ୍ୱର । ତେବେ ଗ୍ରାମର ଯାତ୍ରା ଦଳରୁ ସେ କଳାକାର ଜୀବନ ଆରମ୍ଭ କରିବା ସହିତ ଗୀତ ଏବଂ ବାଦ୍ୟ ବଜାଇବା ଶିଖିଥିଲେ । ପରେ କଟକ ଚାଲିଆସିଥଲେ ।
୧୯୬୦ରେ ପରିବାର ପ୍ରତି ପୋଷଣ ପାଇଁ କଟକ କଳା ବିକାଶ କେନ୍ଦ୍ରରେ ୬୦ ଟଙ୍କା ପାରିଶ୍ରମିକରେ ଓଡିଶୀ କଣ୍ଠଶିଳ୍ପୀ ଗୁରୁ ଭାବେ ଯୋଗଦେଲେ । ଆକାଶବାଣୀରେ ସୁଯୋଗ ପାଇ ଆଗକୁ ବଢି ଚାଲିଲେ । ସେ ଗାଇଥିବା କୋଠ ଭୋଗ ଖିଆ ମୋ ଚକା ଆଖିଆ, ଷାଠିଏ ପଉଟି ଭୋଗରୁ ତୁମର, ହାତରେ ମୋ ମୁଠା ମୁଠା ଶରଧାବାଲି, ମିଛ ଦୁନିଆରେ ଗୋଟିଏ ସତ, ଷାଠିଏ ପଉଟି ଭୋଗରୁ ତୁମର, ମୁ ତ ବଡ଼ ଦେଉଳର ପାରାରେ.. ଇତ୍ୟାଦି ଭଜନ ଆଜି ବି ଶ୍ରୋତାଙ୍କ ମନରେ ରହିଛି । ସେହିପରି ଭକ୍ତ ସାଲବେଗ, ମଥୁରା ବିଜୟ, କିଏ କାହାର, ଅଗ୍ନି ପରୀକ୍ଷା ଭଳି ୨୫ରୁ ଅଧିକ ଚଳଚିତ୍ରରେ ମଧ୍ୟ ସେ କଣ୍ଠଦାନ କରିଛନ୍ତି । ଏକମାତ୍ର କଣ୍ଠଶିଳ୍ପୀ ଭାବେ ସେ ଶ୍ରୀମନ୍ଦିରରେ ଠାକୁରଙ୍କୁ ଚାମର ସେବାର ସୌଭାଗ୍ୟ ପାଇଥିଲେ । ତେବେ ତାଙ୍କୁ ପୁରୀ ଗଜପତି ଭଜନ ସମ୍ରାଟ ଉପାଧୀ ଦେଇଥିଲେ । ଓଡିଶାର ସେ ଏକମାତ୍ର ବ୍ୟକ୍ତି ଗାୟକଥିଲେ ଯିଏ ଗୀତ ଗାଇବା ସମୟରେ ତବଲା ବଜାଇ ପାରୁଥିଲେ। ୨୦୧୦ ମସିହା ନଭେମ୍ବର ୨ ତାରିଖରେ ସେ ଧରାଧାମରୁ ବିଦାୟ ନେଇଥିଲେ । ଏହି ସମୟରେ ଶ୍ରୀମନ୍ଦିର ରୋଷଘରୁ ଅଗ୍ନିଯାଇ ତାଙ୍କୁ ମୁଖାଗ୍ନି ଦିଆଯାଇଥିଲା ।