ମହାସ୍ନାନ ପରେ ଅଣସରରେ ଅଛନ୍ତି ମହାପ୍ରଭୁ, ଏବେ ସୁସ୍ଥ ହେବେ
![Fuluri Tela ଫୁଲୁରୀ ତେଲ](https://i0.wp.com/odia.mobilenews24x7.com/wp-content/uploads/2023/06/fuluri-tela_00000.jpg?resize=780%2C470&ssl=1)
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରି ଅଣସର ଘରେ ଜ୍ୱରରେ ପୀଡ଼ିତ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଅଣସର ଘରେ ଦଇତାପତି ଓ ପତି ମହାପାତ୍ରଙ୍କ ଦ୍ୱାରା ଗୁପ୍ତ ସେବା ଚାଲିଥିବାବେଳେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଶୁକ୍ରବାର ଲାଗି କରାଯିବ ଫୁଲୁରି ତେଲ । ମହାପ୍ରଭୁଙ୍କ ଗୁପ୍ତ ନୀତି ମଧ୍ୟରେ ଫୁଲୁରି ତେଲ ଲାଗି ହେୁଛି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।
ଏହି ଫୁଲରୀ ତେଲକୁ ଓଡିଆ ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଥାଏ। ଘଣାପେଡା ରାଶିତେଲ ସମେତ ୨୪ ପ୍ରକାରର ବନଔଷଧୀୟ ସାମଗ୍ରୀରେ ପ୍ରସ୍ତୃତ କରା ଯାଇଥାଏ । ପୂର୍ବବର୍ଷ ହେରାପଞ୍ଚମୀ ତିଥିରୁ ମାଟିତଳେ ଘଣାପେଡା ରାଶିତେଲ ସହ ଔଷଧୀୟ ଦ୍ରବ୍ୟ ତଥା ବିଭିନ୍ନ ପ୍ରକାରର ଚେରମୂଳ ପକାଯାଇ ପୋତାଯାଇଥାଏ । ଦେବସ୍ନାନ ପୂର୍ଣ୍ଣିମା ଦିନ ମାଟିତଳୁ ତେଲକୁ ବାହାର କରାଯାଇ ପଞ୍ଚମୀ ଦିନ ତେଲକୁ ଛଣାଯାଏ ଏବଂ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କ ପାଇଁ ପଠାଯାଏ । ବଡବଡିଆ ମଠର ସଦସ୍ୟ ମାନେ ପ୍ରାୟ ୬ ସେର ଫୁଲୁରୀ ତେଲ ନେଇ ଶ୍ରୀମନ୍ଦିରକୁ ଯାଇ ଦଇତାପତିଙ୍କୁ ଅର୍ପଣ କରିଥାନ୍ତି । ମଧ୍ୟାହ୍ନଧୂପ ଏବଂ ଦକ୍ଷିଣ ଘର ଭୋଗ ସଂପନ୍ନ ହେବାପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ଅଣସର ଦ୍ୱାର ଖୋଲାଯାଇ ପତି ମହାପାତ୍ର ୩ଟି ରୂପା ପିଙ୍ଗଣରେ ତେଲକୁ ନେଇ ସଂସ୍କାର କରିବା ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି। ବିଶ୍ୱାସ ରହିଛି ଏହି ଫୁଲୁରି ତେଲ ମହାପ୍ରଭୁଙ୍କ ଶରୀରରେ ଲେପନ କରାଗଲେ ଶରୀରର ପୀଡ଼ା କମ୍ ହୋଇଥାଏ।