Breaking NewsFeaturedରାଜନୀତି

ଗ୍ରହଦୋଷ ଥିଲେ ମିଳିବନି ବିଜେପି ଟିକେଟ୍

ଜିତିଗଲେ ନିଜର ଲୋକପ୍ରିୟତା ବା ନିଜର ଦମ୍। ଆଉ ହାରିଗଲେ ଭାଗ୍ୟର ଦୋଷ। ଏଭଳି ହୁଏ ନିର୍ବାଚନରେ। ପ୍ରାର୍ଥୀ ହୁଅନ୍ତୁ କି ସେମାନଙ୍କ ସମର୍ଥକ। ଭୋଟ୍ ଫଳାଫଳକୁ ନେଇ ସମସ୍ତଙ୍କ ଉତ୍ତର ଖୁବ୍ ସରଳ। କଣ କରିବା ଭାଗ୍ୟରେ ନଥିଲା, ଗ୍ରହ ଦୋଷ ଥିଲା, ତେଣୁ ହାରିଗଲୁ ଅଳ୍ପରେ ବୋଲି କୁହନ୍ତି। ଜିତିଗଲେ ତ ଛାଡ଼ନ୍ତୁ କେତେ ବାହାଦୁରୀ। ତେବେ ଏଣିକି ଏଭଳି ହେବାକୁ ଆଉ ଦେବନି ବିଜେପି। କାରଣ ଚର୍ଚ୍ଚା ଅନୁସାରେ ଗ୍ରହ-ନକ୍ଷତ୍ର-ଭାଗ୍ୟ-ଭବିଷ୍ୟତ ଆଦିକୁ ବିଚାର କରି ଛତିଶଗଡ଼ରେ ବିଜେପି ଟିକେଟ ଦେଉଥିବା ଜଣାପଡ଼ିଛି।

ଏଠାରେ କହି ରଖୁଛୁ ଯେ 2023 ଶେଷ ସୁଦ୍ଧା ଦେଶର ପାଞ୍ଚଟି ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ମିଜୋରାମ ଏବଂ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ସବୁ ଦଳ ଅଣ୍ଟା ଭିଡ଼ି ସାରିଲେଣି। ବିଶେଷକରି ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି। ଛତିଶଗଡ଼ରେ କଂଗ୍ରେସ ସରକାର ଥିବାବେଳେ ସେଠାରେ ବିଜୟ ପାଇଁ ବିଜେପି ୟୁପି ସୂତ୍ର ଆପଣାଇବା ପାଇଁ ଯାଉଛି। ଆଉ ଗ୍ରହ ଏବଂ ନକ୍ଷତ୍ର ଦେଖିବା ପରେ ହିଁ ବିଜେପି ପ୍ରାର୍ଥୀଙ୍କୁ ଚୂଡ଼ାନ୍ତ କରାଯାଇଛି । ଯେଉଁ ନେତାଙ୍କ ଭାଗ୍ୟରେ ବିଜୟ ଲାଭ କରିବାର ଯୋଗ ରହିଛି ସେଇମାନଙ୍କୁ ହିଁ ଟିକେଟ୍ ଦିଆଯାଉଛି।

ନିର୍ବାଚନରେ ଜଣେ ପ୍ରାର୍ଥୀଙ୍କ ବିଜୟର ସମ୍ଭାବନା ତାଙ୍କ କ୍ଷେତ୍ରରେ କାର୍ଯ୍ୟ, ଭାବମୂର୍ତ୍ତି, ଶିକ୍ଷାଗତ ଯୋଗ୍ୟତା, ଆଞ୍ଚଳିକ-ଜାତି ସମୀକରଣ, ବରିଷ୍ଠ ନେତାଙ୍କ ସହ ସମ୍ପର୍କ, ଅର୍ଥନୈତିକ ସ୍ଥିତି ଏବଂ ସାମାଜିକ ପ୍ରତିଷ୍ଠା ଉପରେ ନିର୍ଭର କରେ । ଏସବୁ ସତ୍ତ୍ୱେ, ଯେତେବେଳେ ଜଣେ ହାରିଯାଏ, ସେତେବେଳେ ସମସ୍ତ ନେତା କେବଳ ଗୋଟିଏ କଥା ହିଁ କହିଥାନ୍ତି ଯେ, ଭାଗ୍ୟରେ ବିଜୟ ଲେଖା ନଥିଲା । ତେଣୁ ବିଜେପି ବର୍ତ୍ତମାନ ପ୍ରାର୍ଥୀଙ୍କ ଗ୍ରହ ଏବଂ ନକ୍ଷତ୍ର ଉପରେ ମଧ୍ୟ ନଜର ରଖିଛି । ଯେଉଁଥିରେ ପ୍ରାର୍ଥୀମାନଙ୍କ ଭାଗ୍ୟ ଦେଖି ତାଙ୍କୁ ଟିକେଟ୍ ଦିଆଯିବ କି ନାହିଁ ନିଷ୍ପତ୍ତି ନିଆଯାଉଛି ।

ଛତିଶଗଡ଼ ବିଧାନସଭା ନିର୍ବାଚନ 2023ରେ ବିଜେପି ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିବା ପୂର୍ବରୁ ପାର୍ଟି ଉତ୍ତରପ୍ରଦେଶର ବରିଷ୍ଠ ଜ୍ୟୋତିଷଙ୍କ ସାହାଯ୍ୟ ନେଇ ସେମାନଙ୍କର ରାଶିଫଳ ବିଶ୍ଳେଷଣ କରୁଛି । ଜ୍ୟୋତିଷ ନାମ ଫାଇନାଲ୍ କରିବା ପରେ କାହାକୁ ଟିକେଟ୍ ଦିଆଯିବ ସେ ନେଇ ନିଷ୍ପତ୍ତି ନିଆଯିବ । ଅନ୍ୟ ରାଜ୍ୟରେ ମଧ୍ୟ ଏହି ସୂତ୍ର ଗ୍ରହଣ କରାଯାଇପାରେ ବୋଲି ଖବର ରହିଛି । ଓଡ଼ିଶା, ଗୁଜରାଟ, ବିହାର, ହରିୟାଣା ଏବଂ ଆସାମର ବିଧାୟକମାନଙ୍କ ନକ୍ଷତ୍ର ଉପରେ ନଜର ରଖାଯାଇଛି । ବିଜେପି 21 ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଦ୍ୱିତୀୟ ତାଲିକାରେ 56 ନାମ ଚୂଡାନ୍ତ ହୋଇଛି ହେଲେ ତାଲିକା ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ପ୍ରକାଶ ପାଇବ ବୋଲି କୁହାଯାଉଛି। ତେବେ ଦେଖାଯାଉ ବିଜେପିର ଭାଗ୍ୟ-ଭବିଷ୍ୟତ ଫର୍ମୁଲା କେତେଦୂର ସଫଳ ହେଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com