କଙ୍ଗନାଙ୍କ ଫିଲ୍ମ ‘ତେଜସ୍’କୁ ନେଇ ତେଜିଲାଣି ବିବାଦ
ଫିଲ୍ମ ବିରୋଧରେ ହୋଇପାରେ ଆଇନଗତ କାର୍ଯ୍ୟାନୁଷ୍ଠାନ
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ବଲିଉଡ୍ର କଣ୍ଟ୍ରାଭର୍ସି କ୍ଵିନ୍ କଙ୍ଗନା ରଣାୱତଙ୍କ ଫିଲ୍ମ ‘ତେଜସ୍’କୁ ନେଇ ତେଜିଲାଣି ସମାଲୋଚନା। ଫିଲ୍ମ ରିଲିଜ୍ ପାଇଁ ଜୋରସୋର ପ୍ରସ୍ତୁତି ଚାଲିଥିବାବେଳେ ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଏଭଳି ମନ୍ତବ୍ୟ ଦେଇଛନ୍ତି ଉକ୍ତ ଫିଲ୍ମରେ ଅଭିନୟ କରୁଥିବା ଜଣେ ଅଭିନେତା। ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ମୟଙ୍କ୍ ମଧୁର କହିଛନ୍ତି ଯେ ଫିଲ୍ମରେ ତାଙ୍କ ଭୂମିକା ହ୍ରାସ କରାଯାଇଥିବାରୁ ସେ ନିର୍ମାତାଙ୍କ ବିରୋଧରେ ଆଇନଗତ ସହାୟତା ଲୋଡ଼ିବେ। ‘ତେଜସ୍’ ବାୟୁସେନା ପାଇଲଟ୍ ତେଜସ୍ ଗିଲଙ୍କ ଯାତ୍ରାର କାହାଣୀ। ଏହି ଚଳଚ୍ଚିତ୍ର ଅକ୍ଟୋବରରେ ମୁକ୍ତିଲାଭ କରିବ।
ମୟଙ୍କ୍ ଆହୁରି କହିଛନ୍ତି ଯେ ମୁଁ କୋର୍ଟକୁ ଯିବାକୁ ନିଷ୍ପତ୍ତି ନେଇଛି। କେଉଁ କୋର୍ଟ ଯିବି ତାହା ଏବେ ପ୍ରକାଶ କରିବି ନାହିଁ। ଫିଲ୍ମ ରିଲିଜକୁ ମୁଁ ବନ୍ଦ କରିବି ଏବଂ ମୁଁ ଚାହେଁ ନିର୍ମାତାମାନେ ଗିରଫ ହୁଅନ୍ତୁ। ମୁଁ ଏହି ପ୍ରସଙ୍ଗରେ କିପରି ଆଗକୁ ବଢିବି ତାହା ବୁଝିବା ପାଇଁ ଭାରତର ପୂର୍ବତନ ପ୍ରଧାନ ବିଚାରପତିଙ୍କଠାରୁ ମାର୍ଗଦର୍ଶନ ନେଇଛି। ତୁରନ୍ତ ବିଭିନ୍ନ ରାଜ୍ୟରୁ ଗିରଫ ୱାରେଣ୍ଟ ଜାରି କରାଯିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀ, ପିଏମଓ, ଗୃହ ମନ୍ତ୍ରଣାଳୟ ପ୍ରମୁଖଙ୍କ ସହିତ ମଧ୍ୟ କଥା ହୋଇଛି। ସବୁକିଛି ଆଇନ ଅନୁଯାୟୀ କରାଯିବ ବୋଲି ଚେତାଇ ଦେଇଛନ୍ତି ମୟଙ୍କ।