Breaking NewsFeaturedଓଡ଼ିଶାଜାତୀୟ

ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ ଓ ଭଦ୍ରକରେ ହେବାକୁ ଥିବା ବିଶେଷ କାର୍ଯ୍ୟକ୍ରମରେ ହେବେ ମୁଖ୍ୟ ଅତିଥି

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି। କଟକ ଏସ୍‌ସିବି ମେଡିକାଲ୍‌ କଲେଜ ଛାତ୍ର ସଂସଦର ବାର୍ଷିକୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ଏନେଇ ରାଷ୍ଟ୍ରପତି ଭବନ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି। ଉକ୍ତ ସୂଚନା ପତ୍ର ଏସ୍‌ସିବି କଲେଜ କର୍ତ୍ତୃପକ୍ଷଙ୍କ ହସ୍ତଗତ ହୋଇଛି । ଏଥିରେ ଆସନ୍ତା ୨୬ ତାରିଖରେ ଏସ୍‌ସିବି ମେଡିକାଲ୍‌ କଲେଜ ଛାତ୍ର ସଂସଦର ବାର୍ଷିକୋତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ମୁଖ୍ୟଅତିଥି ଭାବେ ଯୋଗଦେବେ ବୋଲି କୁହାଯାଇଛି।  ଏନେଇ ଏସ୍‌ସିବି ମେଡିକାଲ କଲେଜ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି ।

ରାଷ୍ଟ୍ରପତିଙ୍କ ଆଗମନ ଓ କାର୍ଯ୍ୟକ୍ରମରେ ଯୋଗଦାନକୁ ନେଇ କଲେଜ ଅଧ୍ୟକ୍ଷକଙ୍କ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ହୋଇଯାଇଛି।  ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଏସ୍‌ସିବିକୁ ଆସୁଥିବାରୁ କଲେଜ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଛାତ୍ର ସଂସଦ ସହିତ ମେଡିକାଲ କଲେଜ୍‌ ଏବଂ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ସହଯୋଗରେ ପ୍ରସ୍ତୁତି କାମ ଚାଲିଛି । ସେହିପରି ଏସ୍‌ସିବି କଲେଜ କାଉନ୍‌ସିଲ୍‌ର ଏକ ବୈଠକ ମଧ୍ୟ ଡକାଇଛନ୍ତି କର୍ତ୍ତୃପକ୍ଷ । ଏଥିରେ ହସ୍ପିଟାଲ୍‌ ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ମୁଖ୍ୟମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

କଟକରେ ୨୬ ତାରିଖ କାର୍ଯ୍ୟକ୍ରମରେ ଯୋଗଦାନ ପରେ ୨୭ ତାରିଖ ରାଷ୍ଟ୍ରପତି ଭଦ୍ରକ ଗସ୍ତ କରିବେ । ସେଠାରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ । ଏହି ଐତିହ୍ୟ ସମ୍ପନ୍ନ ତଥା ଗୌରବମୟ ଶିକ୍ଷା ଅନୁଷ୍ଠାନର ହୀରକ ଜୟନ୍ତୀ ଉତ୍ସବକୁ ଉଦ୍‌ଘାଟନ କରିବାକୁ ସଦୟ ସୀକୃତି ପ୍ରଦାନ କରିଛନ୍ତି ବୋଲି ମହାବିଦ୍ୟାଳୟ ସୂତ୍ରରୁ ଜଣାଯାଇଛି ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com