Breaking NewsFeaturedଜାତୀୟରାଜନୀତି

ବସୁନ୍ଧରା ରାଜେ ସିନ୍ଦିଆଙ୍କ ଜିଦ ପାଇଁ ଅକଳରେ ମୋଦି ଓ ଶାହା…

ଆଗକୁ କଣ ହେବ କହି ହେଉନି

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ରାଜସ୍ଥାନକୁ ନେଇ ସବୁବେଳେ ଚର୍ଚ୍ଚାରେ ଜାତୀୟ ରାଜନୀତି । ଗେହଲଟ ଓ ପାଇଲଟଙ୍କ ବିବାଦ ସବୁବେଳେ ମିଡିଆ ହେଡଲାଇନ୍ସରେ । ହେଲେ ଏବେ କିନ୍ତୁ ରାଜସ୍ଥାନର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତ୍ରୀ ବସୁନ୍ଧରା ରାଜେ ସିନ୍ଦିଆଙ୍କୁ ନେଇ ଚର୍ଚ୍ଚା । ଯଦିଓ କଥାଟା ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରନି କିନ୍ତୁ ଏହାକୁ ନେଇ ଅକଳରେ ବିଜେପିର କେନ୍ଦ୍ରୀୟ ଟିମ । ବସୁନ୍ଧରା ଓ ଟିମ ବିଜେପିର ଶୀତଳ ଯୁଦ୍ଧ ଆଗକୁ କେଉଁ ରୂପ ନେବ ସେକଥା ତ ଜଣା ନାହିଁ କିନ୍ତୁ ନିହାତି ଭାବେ ଏହାକୁ ନେଇ ଟେନସନରେ ମୋଦି ଓ ଶାହା ।

ବସୁନ୍ଧରା ରାଜେ ସିନ୍ଦିଆଙ୍କ ନେତୃତ୍ୱରେ ବିଜେପି ୨୦୦୩ରେ ନିର୍ବାଚନ ଜିତି ରାଜସ୍ଥାନରେ ସରକାର ଗଢିଥିଲା । କିନ୍ତୁ ୨୦୧୮ ନିର୍ବାଚନ ହାରିବା ପରେ ବସୁନ୍ଧରା ସତେ ଯେମିତି ଅଦୃଶ୍ୟ ହୋଇଗଲେ । ସେମିତିରେ ବି ବସୁନ୍ଧରାଙ୍କ ନେତୃତ୍ୱକୁ ମୋଦି ଓ ଶାହା ମୂଳରୁ ହିଁ ପସନ୍ଦ କରୁନଥିଲେ । କିନ୍ତୁ ତାଙ୍କର ଲୋକପ୍ରିୟତା ପାଇଁ ଇଚ୍ଛା ନଥାଇ ବି ଅଣଦେଖା କରି ପାରି ନାହାନ୍ତି କେନ୍ଦ୍ରୀୟ ନେତୃତ୍ୱ । ଏପରିକି ଏଇ ଗଲା ଜୁଲାଇ ମାସରେ ମୋଦି ବିକାନେର ଆସିଥିବା ବେଳେ ସେଠାରେ ବି ବସୁନ୍ଧରାଙ୍କୁ ଦେଖିବାକୁ ମିଳିନଥିଲା । ମୋଦି-ଶାହା ଆଗରୁ ଅନେକଥର ଚେଷ୍ଟା କରିଛନ୍ତି ତାଙ୍କୁ ରିପ୍ଲେସ କରିବକୁ କିନ୍ତୁ ସକ୍ଷମ ହୋଇ ନାହାନ୍ତି । ୨୦୧୮ ନିର୍ବାଚନ ହାରିବା ପରେ ବସୁନ୍ଧରାଙ୍କ ବିରୋଧୀ ସତୀଶ ପୁନିଆଙ୍କୁ ବିଜେପି ରାଜ୍ୟ ସଭାପତି କରାଗଲା । ଆଉ ଏଇ ଗତ କିଛି ଦିନ ତଳେ ପୁଣି ଜଣେ ବସୁନ୍ଧରାଙ୍କ ବିରୋଧୀ ଚନ୍ଦ୍ର ପ୍ରକାଶ ଯୋଶୀଙ୍କୁ ରାଜ୍ୟ ବିଜେପି ମୁଖିଆ ପଦ ଦେଇଛି କେନ୍ଦ୍ରୀୟ ବିଜେପି ନେତୃତ୍ୱ । କାରଣ ଆଗାମୀ ୨୦୨୩ ନିର୍ବାଚନରେ କେନ୍ଦ୍ରୀୟ ଟିମ ଚାହୁଁଛି ନିଜେ ନିର୍ବାଚନ ପରିଚାଳନା କରିବାକୁ । ଏଥିପାଇଁ ସଂଗଠନ ସେକ୍ରେଟାରୀ ବିଏଲ ସନ୍ତୋଷଙ୍କ ହାତରେ ସବୁ ଦାୟିତ୍ୱ । ସେପଟେ କିନ୍ତୁ ବସୁନ୍ଧରା ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ କେନ୍ଦ୍ରୀୟ ବିଜେପି ଉପରେ ପ୍ରବଳ ଚାପ ପକାଉଛନ୍ତି । କିନ୍ତୁ ମୋଦି-ଶାହଙ୍କ ଯୋଡି ଚାହୁ ନାହାନ୍ତି ତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ପ୍ରୋଜେକ୍ଟ କରିବାକୁ । କିନ୍ତୁ ତାଙ୍କୁ ଦୂରେଇ ବି ପାରିବନି ବିଜେପି। କାରଣ ତାଙ୍କୁ ଦୂରେଇ ଦେଲେ ଏକ ବଡ଼ ଭୋଟ ବ୍ୟାଙ୍କ ହାତଛଡ଼ା ହୋଇଯିବ । ବସୁନ୍ଧରାଙ୍କ ପ୍ରତିଟି ନିର୍ବାଚନ ମଣ୍ଡଳୀରେ ଭଲ ସଂଗଠନ ଅଛି । ତେଣୁ ଏହା ବିଜେପି ପାଇଁ ବୁମେରାଂ ହେବା ସହ ଗେହଲଟଙ୍କ ପାଇଁ ଏକ ବଡ଼ ସୁଯୋଗ ଆଣିଦେବ । ତେଣୁ ଏଥର ବସୁନ୍ଧରାଙ୍କ ଚେହରାକୁ ନେଇ ବିଜେପି ରାଜସ୍ଥାନରେ ନିର୍ବାଚନ ଲଢିବ ସତ କିନ୍ତୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବନି ।

ସେପେଟ ପୁଣି କର୍ଣ୍ଣାଟକ କଥା ମନେ ପକାଇ ଆଉ ଦିପାଦ ପଛକୁ ପଳାଉଛି କେନ୍ଦ୍ରିୟ ନେତୃତ୍ୱ । କାରଣ ୟେଦୁରପ୍ପାଙ୍କୁ ହଟାଇ ବୋମାଇଙ୍କୁ ଅଗ୍ରାଧିକାର ଦେଇଥିଲା କେନ୍ଦ୍ରୀୟ ନେତୃତ୍ୱ । ମୋଦିଙ୍କ ଚେହରାକୁ ନେଇ ନିର୍ବାଚନ ଲଢିଥିଲେ । କିନ୍ତୁ ଫଳ ଓଲଟା ହେଲା । ତେଣୁ ରାଜସ୍ଥାନ ନିର୍ବାଚନ ଜିତିବା ପରେ ବିଜେପି ସିନ୍ଦିଆଙ୍କୁ ମୁଖ୍ୟମନ୍ତ୍ରୀ କରିବ କି ନାଇଁ ତାହା ଏବେ ସସପେନ୍ସ ଭିତରେ । ତେବେ ଆଉ କିଛି ଜଣଙ୍କ ନାଁ ବି ଏବେ ଚର୍ଚ୍ଚାରେ ଯେଉଁମାନେ ଏଇ ରେସରେ ଅଛନ୍ତି । ନଜର ପକାନ୍ତୁ ଭାବି ମୁଖ୍ୟମନ୍ତ୍ରୀ ଭାବରେ କେଉଁ କେଉଁ ନାକୁ ନେଇ ଚାଲିଛି ଚର୍ଚ୍ଚା ଆଲୋଚନା । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଲୋକସଭା ବାଚଷ୍ପତି ଓମ ବିର୍ଲା , ରାଜ୍ୟ କୃଷି ମନ୍ତ୍ରୀ କୈଳାସ ଚୌଧୁରୀ, ରାଜସ୍ଥାନ ବିରୋଧୀ ଦଳ ନେତା ରାଜେନ୍ଦ୍ର ସିଂ ରାଠୋର, ପୂର୍ବତନ ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆ, ସାଂସଦ ଦିୟା କୁମାରୀ, କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲ ଓ ବର୍ତ୍ତମାନର ବିଜେପି ରାଜ୍ୟ ସଭାପତି ଚନ୍ଦ୍ର ପ୍ରକାଶ ଯୋଶୀଙ୍କ ନାଁ କୁ ନେଇ ବି ଏବେ ଦଳ ଭିତରେ ପ୍ରବଳ ଚର୍ଚ୍ଚା । କାରଣ ଏମାନେ ବି ଜଣେ ଜଣେ ମୁଖ୍ୟମନ୍ତ୍ରୀ ଆଶାୟୀ । ସେପଟେ ବସୁନ୍ଧରା ରାଜେ ବି ଆଉ ଅନ୍ୟ କୌଣସି ପଦ ଏପରିକି କେନ୍ଦ୍ରମନ୍ତ୍ରୀ ପଦ ନେବାକୁ ବି ନାରାଜ । ସେ କେବଳ ମୁଖ୍ୟମନ୍ତ୍ରୀ ପଦ ପାଇଁ ଯୁକ୍ତି ରଖୁଛନ୍ତି । ତେଣୁ ବସୁନ୍ଧରାଙ୍କୁ ନେଇ କେନ୍ଦ୍ରୀୟ ବିଜେପି ନେତୃତ୍ୱ ଏବେ ହରଡ଼ଘଣାରେ । ନା ତାଙ୍କୁ ସମର୍ଥନ ଜଣାଇ ପାରୁଛନ୍ତି ନା ସିଧାସଳଖ ମନା କରି ପାରୁଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com