Breaking NewsFeaturedରାଜନୀତି

ଅକ୍ଟୋବରରେ ଓଡ଼ିଶା ଆସୁଛନ୍ତି ରାହୁଲ!

ଆଗାମୀ ୨୦୨୪ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୀତିକ ଉଷ୍ମତା ସେତିକି ବଢ଼ିବାରେ ଲାଗିଛି। ବିଭିନ୍ନ ଦଳ ସେମାନଙ୍କ ଘର ସଜାଡ଼ିବାରେ ବ୍ୟସ୍ତ। ଏଭଳି ସ୍ଥିତିରେ ଭାରତୀୟ ଜାତୀୟ କଂଗ୍ରେସ ଫୁଲ୍‌ ଦମ୍‌ରେ ପ୍ରସ୍ତୁତି ଚଳାଇଛି। ତେବେ ପୂର୍ବରୁ କୁହାଯାଉଥିଲା କି ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ସେପ୍ଟେମ୍ବରରେ ଓଡ଼ିଶା ଆସିବାର ଅଛି। ସେ ନେଇ ଆଉ ଟିକେ ସ୍ପଷ୍ଟ ସଂକେତ ମିଳିସାରିଛି। ଆଉ ଏହି ସଂକେତ ଦେଇଛନ୍ତି ବିଧାୟକ ଅଧିରାଜ ପାଣିଗ୍ରାହୀ। ସେ କହିଛନ୍ତି ଯେ ୫ ଜଣ ବିଧାୟକ ଯାଇ ଦିଲ୍ଲୀରେ ରାହୁଲଙ୍କୁ ଭେଟିଛନ୍ତି। ଆସନ୍ତା ଅକ୍ଟୋବରରେ ରାହୁଲ ଓ ପ୍ରିୟଙ୍କା ଓଡ଼ିଶା ଗସ୍ତରେ ଆସିପାରନ୍ତି ବୋଲି ତାଙ୍କଠାରୁ ସଂକେତ ମିଳିଛି।

ଅନ୍ୟପକ୍ଷରେ ରାଜ୍ୟ କଂଗ୍ରେସରେ ଅସନ୍ତୋଷ ଲାଗିରହିଥିବା ଚର୍ଚ୍ଚା ଜୋର ଧରିଛି। ପ୍ରଥମ କଥା ହେଲା ସିଡବ୍ଲୁସିରେ ଓଡ଼ିଶା ନେତାଙ୍କୁ ସାମିଲ୍ କରାନଯିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ସେହିପରି ଏବେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓଡ଼ିଶାରୁ ହଟିବା ନେଇ ଆଲୋଚନା ସରଗରମ। ଏହାରି ଭିତରେ ଯଦି ରାହୁଲ ଓ ପ୍ରିୟଙ୍କା ଆସନ୍ତି ତେବେ ରାଜ୍ୟ କଂଗ୍ରେସକୁ ଶକ୍ତି ମିଳିପାରିବ। ଏଥିସହ କିଛି ବଡ଼ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି। ସେହିପରି ରାହୁଲଙ୍କ ନେତୃତ୍ଵରେ ରାଜ୍ୟ କଂଗ୍ରେସ ଏକ ବିରାଟ ଜନସମାବେଶ କରିବାର ସୂଚନା ପୂର୍ବରୁ ରହିଛି। ଏଠାରେ କହିରଖୁଛୁ ଯେ ପ୍ରିୟଙ୍କା ମଧ୍ୟପ୍ରଦେଶରେ ବିରାଟ ସାଧାରଣ ସଭାରେ ଉଦବୋଧନ ଦେଇସାରିଥିବାବେଳେ ରାଜସ୍ଥାନରେ ବିରାଟ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା।

ଏପଟେ ଓଡ଼ିଶାର ସମସ୍ତ ଜିଲ୍ଲା ସହ ୧୪୭ ନିର୍ବାଚନ ମଣ୍ଡଳୀରେ ସଂଗଠନ ମଜଭୁତ କରିବାକୁ କଂଗ୍ରେସ ନେତା-କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରାଜ୍ୟର ୩୭ ହଜାର ବୁଥରୁ ଜିଲ୍ଲା ସଭାପତି ନେଇଥିବା କାର୍ଯ୍ୟକ୍ରମ ଉପରେ ଅଗଷ୍ଟ ଶେଷ ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ରହିଛି । ଏହାପରେ ପଞ୍ଚାୟତ ସ୍ତରକୁ ମଧ୍ୟ ମଜଭୁତ କରିବାକୁ କାର୍ଯ୍ୟକ୍ରମ କରାଯିବ । ଅକ୍ଟୋବର ମାସରେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଓଡ଼ିଶାରେ ବିରାଟ ଆନ୍ଦୋଳନ ହେବ ବୋଲି ପିସିସି ମୁଖିଆ ଶରତ ପଟ୍ଟନାୟକ ପୂର୍ବରୁ କହିଛନ୍ତି। ତେବେ ରାଜ୍ୟ କଂଗ୍ରେସ ନିଶ୍ଚିତ ଭାବେ ରାହୁଲ ଓ ପ୍ରିୟଙ୍କାକୁ ଅପେକ୍ଷା କରିବା ବଡ଼କଥା ନୁହେଁ, ଏହା ପୂର୍ବରୁ କିଭଳି ପ୍ରସ୍ତୁତି କରୁଛି ତାହା ଦେଖିବାକୁ ବାକି ରହିଲା।

Related Articles

Back to top button
WP Twitter Auto Publish Powered By : XYZScripts.com