Featuredରାଜନୀତି

ପଞ୍ଜାବରେ ଏକା ଲଢିବ କଂଗ୍ରେସ !

ଆଗାମୀ ନିର୍ବାଚନକୁ ଆଖିରେ ରଖି କଂଗ୍ରେସ ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରଣନୀତି ଆପଣାଇବାରେ ଲାଗିଛି । ପ୍ରଥମେ ଦିଲ୍ଲୀର ସମସ୍ତ ୭ଟି ଲୋକସଭା ଆସନରେ ଏକାକି ପ୍ରାର୍ଥୀ ଦେବା ପାଇଁ କଂଗ୍ରେସ ନେତ୍ରୀ ଅଳକା ଲାମ୍ବା କହିସାରିଥିବା ବେଳେ ଏବେ ପଞ୍ଜାବରେ ମଧ୍ୟ ସମାନ ରଣନୀତି ପ୍ରୟୋଗ କରିବାକୁ ଯାଉଛି କଂଗ୍ରେସ । ଗୁରୁବାର ପଞ୍ଜାବ ଯୁବ କଂଗ୍ରେସ କାର୍ଯ୍ୟାଳୟର ଶପଥ ଗ୍ରହଣ ସମାରୋହରେ ଏପରି କହିଛନ୍ତି ପରତାପ ବାଜୱା । ପଞ୍ଜାବରେ ବିରୋଧୀ ଦଳର ନେତା ଭାବେ ପରିଚିତ ବାଜୱା କହିଛନ୍ତି ଯେ, ଆମ ଦଳର କର୍ମୀ ଆମ୍ ଆଦମୀ ପାର୍ଟି ସହ କୌଣସି ସମ୍ପର୍କ ରଖିବାକୁ ପ୍ରସ୍ତୁତ ନୁହଁନ୍ତି । ତେଣୁ ଆସନ୍ତା ନିର୍ବାଚନରେ ୧୩ଟି ସଂସଦୀୟ ଆସନରେ ଦଳ ଏକାକୀ ପ୍ରତିଦ୍ୱନ୍ଦିତା କରିବ ।

ସେପଟେ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଅମରିନ୍ଦର ରାଜା ଓ୍ୟାରିଙ୍ଗ କହିଛନ୍ତି ଯେ, ୧୩ଟି ସଂସଦୀୟ ଆସନରେ ପ୍ରସ୍ତୁତ ରହିବାକୁ ପାର୍ଟି ହାଇକମାଣ୍ଡ ସଙ୍କେତ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତା ମାସରୁ ଦଳ ଲୋକଙ୍କ ପାଖରେ ପହଞ୍ଚିବ । ପ୍ରତି ବିଧାନସଭା ଏବଂ ସଂସଦୀୟ କ୍ଷେତ୍ରରେ ବୈଠକକରି ନେତାମାନେ କର୍ମୀ ଏବଂ ଲୋକଙ୍କ ମତାମତ ଗ୍ରହଣ କରିବେ । ଏଥିପାଇଁ ରାଜ୍ୟ ୟୁନିଟ ବିସ୍ତୃତ ଯୋଜନା ପ୍ରସ୍ତୁତ କରୁଛି । ଅନ୍ୟପଟେ କଂଗ୍ରେସର ଏହି ନିଷ୍ପତ୍ତି ପାଇଁ INDIA ମହାମେଣ୍ଟକୁ ଶକ୍ତ ଧକ୍କା ଲାଗିପାରେ । କାରଣ ପୂର୍ବରୁ ଦିଲ୍ଲୀରେ ମେଣ୍ଟ ନକରି ଏକୁଟିଆ ସମସ୍ତ ଲୋକସଭା ଆସନରେ ଲଢିବାକୁ କଂଗ୍ରେସ ଶୁଣାଇଥିଲା । ଆଉ ଏବେ ପଞ୍ଜାବରେ ମଧ୍ୟ ସମାନ କଥା ଦୋରାଇଛି କଂଗ୍ରେସ । ସବୁଠାରୁ ବଡ କଥା ହେଉଛି ବର୍ତ୍ତମାନ ଉଭୟ ଦିଲ୍ଲୀ ଏବଂ ପଞ୍ଜାବରେ କ୍ଷମତାରେ ରହିଛି ଆମ୍ ଆଦମି ପାର୍ଟି । ତେଣୁ ମେଣ୍ଟ ସହ ଟାଏ-ଅପ୍‌ରେ ଥାଇ ମଧ୍ୟ କଂଗ୍ରେସ ଏକା ଏକା ନିଷ୍ପତ୍ତିକୁ ଅନ୍ୟଦଳ ଗ୍ରହଣ କରିପାରୁନାହାନ୍ତି । ଏପରିକି ମେଣ୍ଟରୁ ବାହାରିଯିବାକୁ ମଧ୍ୟ କିଛି ନେତା ସ୍ୱର ଉଠାଇଲେଣି ବୋଲି କହୁଯାଉଛି । ତେବେ ଏସବୁ ଭିତରେ INDIA ମହାମେଣ୍ଟର ଭବିଷ୍ୟତ କଣ ହେଉଛି ଏବଂ କଂଗ୍ରେସ କିଭଳି ନିଷ୍ପତ୍ତି ନେଉଛି ତାହା ଦେଖିବାକୁ ଅପେକ୍ଷା ରହିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com