Breaking NewsFeaturedଅନ୍ତର୍ଜାତୀୟ

Dream 11 କୁ ନୋଟିସ୍‌ ଠକିଛି ୪୦ ହଜାର କୋଟିର ଟ୍ୟାକ୍ସ!

ଜିଏସଟି ବିଭାଗ ପକ୍ଷରୁ ଟିକସ ଫାଙ୍କିଥିବା ବିଭିନ୍ନ ଗେମ୍ କମ୍ପାନିକୁ ନୋଟିସ ଦିଆଯାଇଛି । ଏଥିସହିତ କମ୍ପାନିଗୁଡିକୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି ହୋଇଛି । ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଏକାଧିକ କମ୍ପାନି ରହିଥିବାବେଳେ ସବୁଠୁ ଚର୍ଚ୍ଚାରେ କିନ୍ତୁ ରହିଛି ଡ୍ରିମ୍ ଇଲେଭେନ । କାରଣ ଏହା ଅଧିକ ଲୋକପ୍ରିୟ ହୋଇଥିବାରୁ ସମସ୍ତେ ଏହାର ନାମ ସହିତ ପରିଚିତ । ଏହାଛଡା ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳର ସ୍ପନସର ମଧ୍ୟ ରହିଛି ଡ୍ରିମ୍ ଇଲେଭେନ । ତେଣୁ ସମସ୍ତଙ୍କ ନଜରରେ ରହିଛି ଏହି କମ୍ପାନି । ତେବେ ହର୍ଷ ଜୈନଙ୍କ ଦ୍ୱାରା ପରିଚାଳିତ Dream 11କୁ ୪୦ ହଜାର କୋଟିର ଟ୍ୟାକ୍ସ୍ ପୈଠ କରିବାକୁ ନୋଟିସ ପଠାଇଛି ଜିଏସଟି ବିଭାଗ ।

କୌଣସି ଗେମିଂ କମ୍ପାନୀକୁ ଏତେ ବଡ ପରିମାଣର କର ପୈଠ ନୋଟିସ ମିଳିବା ଭାରତରେ ପ୍ରଥମ ଘଟଣା ବୋଲି କୁହାଯାଉଛି । ସେପଟେ ଏହାକୁ ବିରୋଧ କରି ଡ୍ରିମ ୧୧ର ଏକ ବିଭାଗ ଡ୍ରିମ ସ୍ପୋର୍ଟସ ବମ୍ବେ ହାଇକୋର୍ଟରେ ରିଟ୍ ପିଟିସନ ଦେଇଛି । ଗତ ବର୍ଷ ୨୧ ହଜାର କୋଟି ଟଙ୍କାର ଜିଏସଟି ଫାଙ୍କିଥିବା ନେଇ ବେଙ୍ଗୋଲୁରୁସ୍ଥିତ ଏକ ଗେମିଂ ଷ୍ଟାର୍ଟଅପ୍ କମ୍ପାନୀ ଗେମସ୍ କ୍ରାଫ୍ଟକୁ ପଠା ଯାଇଥିଲା ନୋଟିସ । ଯାହା ବିରୋଧରେ ଗେମସ୍ କ୍ରାଫ୍ଟ କମ୍ପାନୀ କର୍ଣ୍ଣାଟକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା । ଏହି ମାମଲାରେ କମ୍ପାନିକୁ ନିର୍ଦ୍ଦୋଷ ବୋଲି କହିଥିଲେ ହାଇକୋର୍ଟ । କିନ୍ତୁ ଏହି ନିଷ୍ପତ୍ତି ବିରୋଧରେ ସରକାର ପୁଣି ସୁପ୍ରିମ କୋର୍ଟରେ ଏ ମାମଲା ଉଠାଇଥିଲେ । ଯାହା ଉପରେ ଶୁଣାଣି କରିବାକୁ କୋର୍ଟ ଏବେ ରୋକ ଲଗାଇଛନ୍ତି । ଯଦି ସୁପ୍ରିମ କୋର୍ଟରୁ ଗେମସ୍ କ୍ରାଫ୍ଟକୁ କ୍ଲିନ ଚିଟ୍ ମିଳିଯାଏ ତେବେ ଡ୍ରିମ ୧୧କୁ ଏହି ବିବାଦରୁ ମୁକୁଳିବାକୁ ସୁବିଧା ହେବ ।

ଅନଲାଇନ୍ ଗେମିଂ ପ୍ରତି ଲୋକପ୍ରିୟତା ବଢୁଥିବା ବେଳେ ସରକାର ନିୟମରେ ପରିବର୍ତନ କରି ଏହାର ଜିଏସଟି ୨୮ ପ୍ରତିଶତକୁ ବୃଦ୍ଧି କରିଥିଲେ । ୮ ବିଲିୟନ ଡଲାରର ଗେମିଂ ପ୍ଲାଟଫର୍ମ ଡ୍ରିମ ୧୧ , ଗତବର୍ଷ ୧୪୨ କୋଟିର ଲାଭ ପାଇଥିବା ବେଳେ ଏବେ ପ୍ରାୟ ୧୮୦ ମିଲିୟନ ବ୍ୟବହାରାକାରୀ ଅଛନ୍ତି । ୨୮ପ୍ରତିଶତ ଜିଏସଟି ଲାଗୁ ପରଠାରୁ ଗେମିଂ କମ୍ପାନିଗୁଡିକ ଶହ ଶହ କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ତେବେ ଆଗାମୀ ସପ୍ତାହରେ ବିଭିନ୍ନ କମ୍ପାନୀ ଗୁଡିକୁ ଆହୁରି ଏକ ଲକ୍ଷ କୋଟିର ଜିଏସଟି ନୋଟିସ ପଠାଯିବ ବୋଲି ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com