Breaking NewsFeaturedରାଜନୀତି

କୃଷକଙ୍କ ଭୋଟ୍‌ ହେବ ଛତିଗଡ଼ର ନିର୍ଣ୍ଣାୟକ, ଅଙ୍କ-ଆକଳନ କହୁଛି ଏମିତି

ଧୀରେ ଧୀରେ ବଢୁଛି ନିର୍ବାଚନୀ ବିଗୁଲର ସ୍ଵର। ତେଜୁଛି ରାଜନୀତି, ଚାଲିଛି ରଣନୀତି। କଂଗ୍ରେସ ଶାସିତ ଛତିଶଗଡ଼ରେ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ହେବାକୁ ଯାଉଛି। ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଅର୍ଥାତ ନଭେମ୍ବର ୭ ଓ ୧୭ରେ ମତଦାନ ଗ୍ରହଣ କରାଯିବ। ତେବେ ନିର୍ବାଚନକୁ ନେଇ ଆରମ୍ଭ ହୋଇଯାଇଛି ଗଣିତ କଷା। କାହିଁକି ନା ଛତିଶଗଡ଼ ପାଇଁ ଧାନ ହେଉଛି ସବୁଠୁ ବଡ଼ ନିର୍ବାଚନୀ ଅସ୍ତ୍ର ଆଉ ଚାଷୀଙ୍କ ଭୋଟ ହେଉଛି ବଡ଼ ନିର୍ଣ୍ଣାୟକ। ତେଣୁ ଆସନ୍ତା ନିର୍ବାଚନରେ ମଧ୍ୟ ଧାନ ଜିତାଇବ ଛତିଶଗଡ଼ ବୋଲି ଆଲୋଚନା ଜୋର ଧରିଛି। ଆସନ୍ତୁ ନଜର ପକାଇବା ଛତିଶଗଡ଼, ଧାନ ଓ କୃଷକଙ୍କ ସହ ନିର୍ବାଚନୀ ଲିଙ୍କ କେମିତି…

ଛତିଶଗଡ଼କୁ କୁହାଯାଏ ଦେଶର ଧାନ ପେଡ଼ି। ସ୍ଵତନ୍ତ୍ର ରାଜ୍ୟ ହେବା ପରେ ଛତିଶଗଡ଼ ନିର୍ବାଚନରେ ସର୍ବଦା କୃଷକ ଓ ଧାନ ପ୍ରମୁଖ ପ୍ରସଙ୍ଗ ହୋଇ ରହିଛନ୍ତି। ସେ ବିଜେପି ହେଉ କି କଂଗ୍ରେସ, ସମସ୍ତଙ୍କ ପାଇଁ ଧାନ ଓ ଚାଷୀ ଭାଇ ହିଁ ବଡ଼ ଭୂମିକା ନିର୍ବାହ କରନ୍ତି। ପୂର୍ବତନ ବିଜେପି ମୁଖ୍ୟମନ୍ତ୍ରୀ ରମଣ ସିଂ ଏବଂ ବର୍ତ୍ତମାନର କଂଗ୍ରେସ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ପାଇଁ ଧାନର ବୋନସ ପ୍ରସଙ୍ଗ ବଡ଼ ଅସ୍ତ୍ର ସାବ୍ୟସ୍ତ ହୋଇଛି ଏବଂ ସରକାର ଗଢ଼ିବାରେ ସହାୟକ ହୋଇଛି। ୨୦୦୩ରୁ ଆରମ୍ଭ କରି ୨୦୦୮ ଓ ୨୦୧୩ ନିର୍ବାଚନରେ ବିଜେପି ଧାନ ମୂଲ୍ୟରେ ଅଧିକ ବୋନସ ଘୋଷଣା କରିବା ଯୋଗୁ ଲଗାତର ସରକାରକୁ ଆସିଥିବା ଆଲୋଚନା ହେଉଛି। ତେବେ ୨୦୧୮ ନିର୍ବାଚନରେ କଂଗ୍ରେସ ନିଜ ମେନୁଫେଷ୍ଟୋରେ ଧାନ କୁଇଣ୍ଟାଲ ପିଛା ୨୫୦୦ ଟଙ୍କାରେ କିଣିବା ସହ କୃଷକଙ୍କ ଋଣ ଛାଡ଼ ଗ୍ୟାରେଣ୍ଟି ଦେଇଥିଲା। ବିଜେପି କିନ୍ତୁ ଧାନର ଏମଏସପିକୁ ନେଇ କୌଣସି ଘୋଷଣା କରି ନ ଥିଲା।

ଯାହାକି ବିଜେପି ହାରିବାର ଏକ ବଡ଼ କାରଣ ବୋଲି ରାଜନୀତିକ ବିଶାରଦ ମତ ଦେଉଛନ୍ତି। ଏବେ ପୁଣି ଥରେ କଂଗ୍ରେସ ତାର ପୁରୁଣା ପ୍ରତିଶୃତି ଦୋହରାଉଛି। ଧାନର ମୂଲ୍ୟ ୩୬୦୦ ଟଙ୍କା ପର୍ଯ୍ୟନ୍ତ ଦିଆଯିବ ବୋଲି ଗ୍ୟାରେଣ୍ଟି ଦେଇସାରିଲାଣି। ଏଠାରେ କହିରଖୁଛୁ ଯେ ଛତିଶଗଡ଼ର ପ୍ରାୟ ୮୦ ପ୍ରତିଶତ ଲୋକେ ଚାଷ ସହ ସମ୍ପୃକ୍ତ। ୨୦୧୮ ନିର୍ବାଚନରେ ଜିତି କଂଗ୍ରେସ ଧାନର ସହାୟକ ମୂଲ୍ୟ ୨୫୦୦ ଟଙ୍କା ଦେଇଥିବା ବେଳେ ଏହା ଏବେ ୨୬୫୦ ରେ ପହଞ୍ଚିଛି। କଂଗ୍ରେସ ସରକାର ଚାଷୀଙ୍କୁ ୮୫ ହଜାର କୋଟି ଟଙ୍କା ଦେଇସାରିଛି। ରାଜ୍ୟ ଜିଡିପିର ୨୨ ପ୍ରତିଶତ ଭାଗ ଧାନ ନେଉଥିବା ବେଳେ ୪୪ ପ୍ରତିଶତ କୃଷି ଯୋଗ୍ୟ ଜମିରେ ଧାନ ହିଁ ମୁଖ୍ୟ ଫସଲ। ଭୁପେଶ ବଘେଲଙ୍କ ସରକାର ଚଳିତ ବର୍ଷ ପ୍ରତି ଏକର ପିଛା ୨୦ କୁଇଣ୍ଟାଲ ସହ ମୋଟ ୧୨୫ ଲକ୍ଷ ଟନ ଧାନ କିଣିବାକୁ ଲକ୍ଷ ରଖିଛନ୍ତି। ସେପଟେ ୨୦୨୨-୨୩ ରେ ରାଜ୍ୟରେ ଦୁଇ ଲକ୍ଷ ତିରିଶ ହଜାର ପଞ୍ଜିକୃତ ଚାଷୀ ଅଛନ୍ତି। ରାଜ୍ୟର ୯୦ ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ୪୭ ଟି ରେ କୃଷକ ମତଦାତା ପ୍ରଭାବୀ ଭୂମିକା ଗ୍ରହଣ କରନ୍ତି। ଏପରିକି ଗତ ନିର୍ବାଚନରେ କୃଷକଙ୍କ ପ୍ରଭାବ ଥିବା ଅଞ୍ଚଳରେ କଂଗ୍ରେସ ପ୍ରାର୍ଥୀମାନେ ୩୦ ରୁ ୫୦ ହଜାର ଭୋଟରେ ଜିତିଥିଲେ। ତେଣୁ ଛତିଶଗଡ଼ ନିର୍ବାଚନରେ ଧାନ ଅଧିକ ଫୋକସ କରୁଛି କଂଗ୍ରେସ। ସେପଟେ ପୂର୍ବ ଭୁଲକୁ ସୁଧାରି ପୁଣି କ୍ଷମତାକୁ ଫେରିବା ପାଇଁ ବିଜେପି କିଭଳି ଧାନ ଅସ୍ତ୍ର ଛାଡୁଛି ତାହା ଦେଖିବାକୁ ବାକି ରହିଲା।

Related Articles

Back to top button
WP Twitter Auto Publish Powered By : XYZScripts.com