୨୦ଟି ପରୀକ୍ଷାରେ ସଫଳ ,୩ ବର୍ଷର ଓଡ଼ିଆ ଝିଅ, ଇଣ୍ଡିଆ ବୁକ ଅଫ୍ ରେକର୍ଡସରେ ଚଢ଼ିଲା ନାଁ
ଇଣ୍ଡିଆ ବୁକ ଅଫ୍ ରେକର୍ଡସ୍ରେ ଓଡ଼ିଆ ଝିଅ ଆର୍ଯ୍ୟାଜିତା ନାୟକ । ନିଜର ଅସାଧାରଣ ପ୍ରତିଭା ଯୋଗୁଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ସେ ସ୍ଥାନ ପାଇଛନ୍ତି । ୩ ବର୍ଷ ବୟସ୍କ ଆର୍ଯ୍ୟାଜିତା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ଦ୍ୱାରା ଆୟୋଜିତ ପରୀକ୍ଷାରେ ଭାଗନେଇ ୧ରୁ ୨୦ ଯାଏ ସଂଖ୍ୟା ଗଣନା, ୨୭ଟି ପକ୍ଷୀ, ୨୮ ପ୍ରକାର ପନିପରିବା, ୩୨ ପ୍ରକାର ଫଳ, ସପ୍ତାହର ୭ ବାର, ୧୨ ମାସ ନାମ, ୧୦ଟି ବିପରୀତ ଶବ୍ଦ, ୧୧ଟି ଜାତୀୟ ଚିହ୍ନ, ୧୪ଟି ରଙ୍ଗ, ୧୪ଟି ଆକୃତି, ୭୫ଟି ଜୀବଜନ୍ତୁ, ୯ଟି ବଡ ଜୀବ, ମାନବ ଶରୀରର ୨୦ଟି ଅଙ୍ଗ ପ୍ରତ୍ୟଙ୍ଗ, ୮ଟି ଗ୍ରହର ନାମ, ୯ଟି ଶ୍ଲୋକ, ୧୦ଟି ସାଧାରଣ ଜ୍ଞାନ, ୧୫ଟି ନର୍ସରୀ ପଦ୍ୟାଂଶ, ଓଡିଆ, ହିନ୍ଦୀ ଏବଂ ଇଂରାଜୀ ବର୍ଣ୍ଣମାଳାକୁ ନିର୍ଭୁଲ ଭାବେ କହିଥିଲେ ।
ଯେଉଁଥିପାଇଁ ଆର୍ଯ୍ୟାଜିତାଙ୍କୁ ମାନପତ୍ର ଓ ପଦକରେ ସମ୍ମାନିତ କରିଛି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ । ଏହି ସଫଳତା ପାଇବାପରେ ବିଭିନ୍ନ ମହଲରୁ ତାଙ୍କୁ ପ୍ରସଂଶାର ସୁଅ ଛୁଟିଛି । ତେବେ ଆର୍ଯ୍ୟାଜିତାଙ୍କ ଘର ହେଉଛି ନବରଙ୍ଗପୁର ଜିଲ୍ଲା ଝରିଗାଁରେ । ତାଙ୍କ ବାପାଙ୍କ ନାମ ଜିତେନ୍ଦ୍ର କୁମାର ନାୟକ ଏବଂ ମାଙ୍କ ନାମ ଅରୁଣା ଗେନ୍ । ଉଭୟ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ ଡାକ୍ତର ଭାବେ କାର୍ଯ୍ୟ କରୁଛନ୍ତି । ଏହି ପରୀକ୍ଷା ପାଇଁ ଆର୍ଯ୍ୟାଜିତା ଗତ ଏକ ବର୍ଷ ହେଲା ପ୍ରସ୍ତୁତି ଚଳାଇଥିଲେ ।