ରାଜନୀତି

ବରଗଡ଼ରୁ ପୁଣି ଏମପି ପାଇଁ ଲଢ଼ିବେ ସୁରେଶ ପୂଜାରୀ

ମୋଦିଙ୍କ ଗ୍ୟାରେଣ୍ଟି ପ୍ରମାଣ ୫ ରାଜ୍ୟ ବିଧାନସଭା ନିର୍ବାଚନରେ ଦେଖିଲୁ । ଛତିଶଗଡ଼ ପ୍ରଭାବ ଓଡ଼ିଶାରେ ପଡ଼ିବ । ଡବଲ ଇଞ୍ଜିନ ସରକାର ପାଇଁ ଓଡ଼ିଶାବାସୀ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି । ଡିସେମ୍ବର ମାସରେ ମୋଦିଙ୍କ ଓଡ଼ିଶା ଗସ୍ତର ସଂକେତ ମିଳିବା ପରେ ପରେ ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଙ୍ଗଳବାର ଏଭଳି ମତ ଦେଲେଣି ।

ଯାହା ସୂଚନା ମିଳୁଛି ପଶ୍ଚିମ ଓଡ଼ିଶାରେ ଏକ ବଡ଼ କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ । ତେବେ ୩ ରାଜ୍ୟରେ ବିଜେପିର ବିଜୟ ପରେ ପରେ କେନ୍ଦ୍ରୀୟ ନେତୃମଣ୍ଡଳୀଙ୍କ ଟାର୍ଗେଟରେ ଓଡ଼ିଶା ରହିଥିବା କୁହାଯାଉଛି । ମୋଦି ମନ୍ତ୍ର ଓ ମୋଦି ମ୍ୟାଜିକ୍ ଓଡ଼ିଶାରେ କାମ କରିବ ବୋଲି ବେଶ୍ ଆଶାବାଦୀ ନେତା-କର୍ମୀ । ଏହି କ୍ରମରେ କିଏ କେଉଁ ଆସନରୁ ଟିକେଟ୍ ପାଇବ, କଣ ରହିବ ରୋଡ୍ ମ୍ୟାପ, କିଭଳି କରାଯିବ ରଣନୀତି—ଏସବୁ ମୋଦି ଆସିଲେ ସହଜ ହେବ । ତେବେ ସମସ୍ତ ଦୃଷ୍ଟିରୁ ବିଚାରକୁ ନେଲେ ରାଜ୍ୟ ବିଜେପି ପାଇଁ ପଶ୍ଚିମ ଓଡ଼ିଶା ଖୁବ୍ ଗୁରୁତ୍ୱ ବହନ କରୁଛି । ତେବେ ନେତା-ନେତାଙ୍କ ମଧ୍ୟରେ କେତେକ କ୍ଷେତ୍ରରେ ଅପଡ଼ ଥିବା ଚର୍ଚ୍ଚା ହେଉଛି । ତେଣୁ ସେସବୁ ସମାଧାନ କରି ଫୋକସରେ ରହିଥିବା ଆସନରେ କିଏ ଲଢ଼ିବ ତାହା ଖୁବ୍‌ଶୀଘ୍ର ସ୍ଥିର ହେବାକୁ ଯାଉଛି । ଏହିକ୍ରମରେ ଯଦି ଦେଖିବା ବରଗଡ଼ ଆସନ ଓ ସାଂସଦ ସୁରେଶ ପୂଜାରୀ ପୁଣି ସେହି ଆସନରୁ ରିପିଟ୍ ହେବେ ବୋଲି ଆଲୋଚନା ହେଉଛି । ଆସନ୍ତୁ ପକାଇବା ନଜର

ଏଡିଆର୍ ରିପୋର୍ଟ କହୁଛି ବରିଷ୍ଠ ରାଜନେତା ସୁରେଶ ପୂଜାରୀଙ୍କ ନାହିଁ କ୍ରିମିନାଲ୍ ରେକର୍ଡ । ଏମିତିରେ ବି ସେ କୌଣସି ବିବାଦରେ ଛନ୍ଦା ହୋଇନାହାନ୍ତି । ସ୍ପଷ୍ଟବାଦୀ ଆଉ ଆବଶ୍ୟକ ପଡ଼ିଲେ ଏକ୍ଲା ଲଢ଼େଇ କରିବାର କଳାରେ ବେଶ୍ ପାରଙ୍ଗମ ପୂଜାରୀ । ପଶ୍ଚିମ ଓଡ଼ିଶାରେ ତାଙ୍କର ରହିଛି ଖୁବ୍ ଲୋକପ୍ରିୟତା । ଦଳରେ ବି ତାଙ୍କ ପ୍ରତି ରହିଛି ଅନେକ ସମ୍ମାନ ।

ତେବେ ରାଜନୀତି ମହଲରେ ଯାହା ଆଲୋଚନା ହେଉଛି- ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସହ ପୂଜାରୀଙ୍କ ଉତ୍ତମ ତାଳମେଳ ନାହିଁ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସେତେଟା ସମନ୍ୱୟ ନାହିଁ । ତେଣୁ ଗୋଟିଏ ପଟେ ଧର୍ମେନ୍ଦ୍ର ଯଦି ୨୪-ନିର୍ବାଚନ ସମ୍ବଲପୁରରୁ ଲଢ଼ନ୍ତି, ତେବେ ସୁରେଶଙ୍କ ପାଇଁ ବରଗଡ଼ ଲୋକସଭା ଆସନ ହିଁ ବେଷ୍ଟ ପ୍ଲେସ୍ ।

ଏଠାରେ କହିରଖୁଛୁ ଯେ ୬୩ ବର୍ଷୀୟ ସୁରେଶ ୨୦୧୯ ନିର୍ବାଚନରେ ଭଲ ମାର୍ଜିନରେ ବିରୋଧୀ ପ୍ରାର୍ଥୀଙ୍କୁ ପରାସ୍ତ କରିଥିଲେ । ପେଶାରେ ଜଣେ ଆଡଭୋକେଟ୍ ହେଲେ ମଧ୍ୟ ରାଜନୀତିରେ ପୋଖତ । ସମ୍ବଲପୁର ୟୁନିଭର୍ସିଟିରୁ ଉଚ୍ଚଶିକ୍ଷା ପ୍ରାପ୍ତ ପୂଜାରୀ ୨୦୧୯ ସାଧାରଣ ନିର୍ବାଚନରେ ବରଗଡ଼ ଆସନରୁ ଲଢ଼ିବା ପରେ ବିଜେପିର ଭୋଟ୍ ହାର ପୂର୍ବାପେକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି । ୨୦୧୪ରେ ବିଜେପି ପ୍ରାର୍ଥୀ ସୁବାସ ଚୌହାନ ୩୩ ଦଶମିକ ୧୨ ପ୍ରତିଶତ ଭୋଟ୍ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ଡ ପ୍ରଭାସ ସିଂହ ୩୪ ଦଶମିକ ୧୧ ପ୍ରତିଶତ ଭୋଟ୍ ପାଇଥିଲେ ।

ତେବେ ୨୦୧୯ରେ ସୁରେଶ ପୂଜାରୀ ୪୬ ଦଶମିକ ୫୮ ପ୍ରତିଶତ ଭୋଟ୍ ପାଇବାରେ ସକ୍ଷମ ହୋଇଛନ୍ତି । ଆଉ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ ୪୧ଦଶମିକ ୪୫ ପ୍ରତିଶତ ଭୋଟ୍ ପାଇଥିଲେ । ସେପଟେ କଂଗ୍ରେସ ଏହି ଆସନରେ ପୂର୍ବାପେକ୍ଷା ଆହୁରି ତଳକୁ ଖସିଛି । ୨୦୧୪ରେ କଂଗ୍ରେସ ୨୪ ଦଶମିକ ୪୪ ପ୍ରତିଶତ ଏବଂ ୨୦୧୯ରେ ମାତ୍ର ୮ ଦଶମିକ ୭୭ ପ୍ରତିଶତ ଭୋଟରେ ସନ୍ତୁଷ୍ଟ ହୋଇଛି । ଏସବୁ ଦୃଷ୍ଟିରୁ ସୁରେଶଙ୍କ ଲୋକପ୍ରିୟତା ବେଶ୍ ବାରି ହୋଇପଡୁଛି । ତେଣୁ ଯାହା କୁହାଯାଉଛି ବିଜେପି ତାଙ୍କୁ ବରଗଡ଼ ଆସନରେ ରିପିଟ୍ କରିପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com