ଓଡ଼ିଶା

ବଲାଙ୍ଗୀରରେ ବଢୁଛି ରାଜନୈତିକ ତାତି: ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ, ମନ୍ତ୍ରୀଙ୍କ ବାସଭବନ ଘେରିବାକୁ ବ୍ଲକ୍‌ ଆଦିବାସୀ ସଂଘର ଧମକ

ସଇନ୍ତଳା() ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ ସରିବା ପରେ ଏବେ ରାଜନୈତିକ ତାତି ଆହୁରି ବଢ଼ିବାରେ ଲାଗିଛି। ଏଭଳି ସମୟରେ ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ୍‌ରୁ ଶାସକ ଦଳ ବିଜେଡି ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆସିଛି।

ରବିବାର ସନ୍ଧ୍ୟାରେ ବ୍ଲକ୍‌ ଆଦିବାସୀ ସଂଘ ସଭାପତି ସନ୍ତୋଷ ପୁଟା ଏକ ସାମ୍ବାଦିକ ସମ୍ମିଳନୀ କରି ଆମ୍ବପାଲି ପଞ୍ଚାୟତର ଦୁଇଜଣ ଆଦିବାସୀ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଶାସକ ଦଳ ତରଫରୁ ଅପହରଣ କରାଯାଇଥିବା ଅଭିଯୋଗ କରିଛନ୍ତି। ଶ୍ରୀ ପୁଟା ଆହୁରି କହିଛନ୍ତି ଯେ ଆମ୍ବପାଲି ପଞ୍ଚାୟତ ସମିତି ସଭ୍ୟ ପଦ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଅଛି। ଏହି ପଦ ପାଇଁ କୁଶମାଲ ଗ୍ରାମର ମୃଗ ଭୋଇ ଏବଂ ଭେରୁଆଁଭଟାର ବିଭୀଷଣ ମାଝୀ ନାମାଙ୍କନ କରିଥିଲେ। ଶନିବାଠାରୁ ଉଭୟ ପ୍ରାର୍ଥୀଙ୍କ କୌଣସି ଖୋଜ ଖବର ମିଳୁନଥିବା ଦର୍ଶାଇ ଆଦିବାସୀ ସଂଘ ଏହି ଅଭିଯୋଗ ଆଣିଛି। ସୋମବାର ସୁଦ୍ଧା ଉଭୟ ପ୍ରାର୍ଥୀ ଘରକୁ ନ ଫେରିଲେ ଟିଟିଲାଗଡ଼ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁଙ୍କ ବାସଭବନକୁ ସଶସ୍ତ୍ର ଆଦିବାସୀମାନେ ଘେରାଉ କରିବେ ବୋଲି ସଭାପତି ଶ୍ରୀ ପୁଟା ଧମକ ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଉପଦେଷ୍ଟା ପ୍ରେମାନନ୍ଦ ଭୋଇ, ବ୍ଲକ୍‌ ସଂଯୋଜିକା ପ୍ରମିଳା ଭୋଇ, ନାରୀନେତ୍ରୀ ପଦ୍ମିନୀ ମାଝୀ, ରୁନୁ ଭୋଇ, ପ୍ରମିଳା ବୁଡ଼େକ, ଲାଲବାହାଦୁର ମହାଡ଼ିକ, ଗଣେଶ ଭୋଇ, ରମାକାନ୍ତ ମାଝୀ, ମୋହନ ନାଏକ, ଫକିର ଭୋଇ, ମକାରୁ ବୁଡ଼େକ, ଭିକାରି ଭୋଇ, ସଂଜୟ ଭୋଇ, କୁନ୍ତଳା ଭୋଇ, ଧିନା ଭୋଇ, ନୀଳାମ୍ବର ଭୋଇ, ସାବିତ୍ରୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ବିଧାୟିକାଙ୍କ ସଇନ୍ତଳା ବ୍ଲକ୍‌ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତଙ୍କୁ ଏ ସମ୍ପର୍କରେ ପଚାରିବାରୁ ଅଭିଯୋଗଟି ସଂପୂର୍ଣ୍ଣ ମିଥ୍ୟା ବୋଲି କହିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com