Breaking NewsFeaturedଓଡ଼ିଶାରାଜନୀତି

ଓଡିଶା ପିସିସି ପ୍ରଭାରୀ ଦାୟିତ୍ୱରୁ ଚେଲ୍ଲାକୁମାରଙ୍କୁ ହଟାଯିବା ପଛର ରହସ୍ୟ କଣ? ଦେଖନ୍ତୁ

୨୦୨୪ ପାଇଁ ପାଗ ଭିଡୁଛି କଂଗ୍ରେସ । ତିଆରି କରିଛି ନୂଆ ରଣନୀତି । ଏକାଧିକ ରାଜ୍ୟରେ ବଦଳାଇଛି ପ୍ରଭାରୀ । ଓଡିଶା ବି ଏଥିରୁ ବାଦ ଯାଇନି । ପ୍ରଦେଶ କଂଗ୍ରେସ ନେତା ଦିଲ୍ଲୀରୁ ଫେରିବାର ଗୋଟିଏ ଦିନ ପରେ ହୋଇଛି ପରିବର୍ତନ । ଏହି କ୍ରମରେ ଓଡିଶାରୁ ହଟିଛନ୍ତି ଏ ଚେଲ୍ଲାକୁମାର । ଆଉ ନିଯୁକ୍ତ ହୋଇଛନ୍ତି ନୂଆ ପ୍ରଭାରୀ । ଚେଲ୍ଲା କୁମାରଙ୍କ ସ୍ଥାନ ନେଇଛନ୍ତି ଡକ୍ଟର ଅଜୟ କୁମାର । ପୂର୍ବରୁ ସେ ଝାଡଖଣ୍ଡ ପ୍ରଦେଶ କଂଗ୍ରେସ କମିଟିର ଥିଲେ ସଭାପତି । ଏପରିକି ପୂର୍ବରୁ ସିକିମ, ତ୍ରିପୁରା ଓ ନାଗାଲାଣ୍ଡର ପ୍ରଭାରୀ ରହି ସାରିଛନ୍ତି ଅଜୟ କୁମାର । ତେବେ ଆଗକୁ ୨୦୨୪ନିର୍ବାଚନ ଥିବାରୁ ଏବେ ଅଜୟଙ୍କ ହାତରେ ରହିଛି ଓଡିଶା କଂଗ୍ରେସର ଭାଗ୍ୟ । ହେଲେ ପ୍ରଶ୍ନ ଉଠୁଛି , କାହିଁକି ହଟିଲେ ଓଡିଶା ପିସିସି ପ୍ରଭାରୀ । ଚେଲ୍ଲା କୁମାରଙ୍କ ଉପରେ କଣ ଭରସା କରିପାରିଲାନି ଦଳ । ଆସନ୍ତୁ ଜାଣିବା ଏହା ପଛରେ ଥିବା ରହସ୍ୟ ।

କହିବାକୁ ଗଲେ ବିଭିନ୍ନ ରାଜ୍ୟ ଅପେକ୍ଷା ଓଡିଶାର ରାଜନୈତିକ ସ୍ଥିତି ସଂପୂର୍ଣ୍ଣ ଅଲଗା । ଦୀର୍ଘବର୍ଷ ଧରି ଏଠାରେ ଶାସନ କରି ଆସୁଛି ଗୋଟେ ଆଂଚଳିକ ଦଳ । ଆଉ କଂଗ୍ରେସ ହେଉଛି ଏକ ଜାତୀୟ ଦଳ । ସେ ଦୃଷ୍ଟିରୁ ତାକୁ ହଟାଇବା ପାଇଁ ହେଲେ ଜଣେ ଟାଣୁଆ ନେତା ନେତୃତ୍ୱ ନେବାର ଆବଶ୍ୟକତା ରହୁଛି । କିନ୍ତୁ ଚେଲ୍ଲା କୁମାରଙ୍କ ସମୟରେ ସେମିତି କିଛି ଦେଖିବାକୁ ମିଳି ନାହିଁ । ତେଣୁ ତାଙ୍କୁ ହଟାଇ ନିଯୁକ୍ତ କରାଯାଇଛି ନୂଆ ପ୍ରଭାରୀ । ସେହିପରି ଅନ୍ୟ ଏକ କାରଣ ହେଉଛି ଦୀର୍ଘ ସମୟ ଧରି ପ୍ରଭାରୀ ରହିଥିଲେ ମଧ୍ୟ କୌଣସି କେନ୍ଦ୍ରୀୟ ନେତାଙ୍କୁ ଓଡିଶା ଆଣି ପାରିନାହାନ୍ତି ଚେଲାକୁମାର । ଲୋକଙ୍କୁ ପ୍ରଭାବିତ ବା ଆକୃଷ୍ଟ କଲା ଭଳି କରିନାହାନ୍ତି ସେମିତି କିଛି ଆଖିଦୃଶିଆ ସଭା ସମିତି । ରାଜ୍ୟ ଦଳକୁ ସୁଦୃଢ କରିବାରେ ନାହିଁ ତାଙ୍କର ବିଶେଷ ଭୂମିକା । ସେହିପରି ଶାସକ ଦଳକୁ ଚେକ୍ ଦେବା ସହ କାଉଂଟର କରିବା ପାଇଁ ସେମିତି କିଛି ପ୍ରସଙ୍ଗକୁ ମୁଦ୍ଦା କରିନାହାନ୍ତି ଚେଲ୍ଲାକୁମାର । ଏପରିକି ଅନ୍ୟ ଦଳ ପ୍ରତି ବି ଦେଖିବାକୁ ମିଳିଛି ନରମ ଆଭିମୁଖ୍ୟ ।

କେନ୍ଦ୍ର ଓ ରାଜ୍ୟରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଉଥିବା ବେଲେ ସେମିତି ଗୁରୁତ୍ୱ ଦେଇ ନାହିଁ ଓଡିଶା କଂଗ୍ରେସ । ଏହାସହ ଖଣି ବ୍ୟବସାୟୀଙ୍କ ସହ ଓଡିଶା କଂଗ୍ରେସର ଲିଙ୍କ ନେଇ ବି ଚର୍ଚ୍ଚା ହୋଇଛି . ଅନ୍ୟପଟେ କୁହାଯାଉଛି କି ଏଥର କଂଗ୍ରେସର ମିଶନ ରହିଛି ୯ରୁ୯୦ । ତେଣୁ ସେ ଦୃଷ୍ଟିରୁ ସେତିକି ଆକ୍ଟିଭ ହୋଇନାହାନ୍ତି ଚେଲ୍ଲା କୁମାର । ଏହାସହ ତାଙ୍କ ନେତୃତ୍ୱରେ ସେମିତି ଭଲ ପ୍ରଦର୍ଶନ କରିନି ରାଜ୍ୟ କଂଗ୍ରେସ । ତେଣୁ ଏସବୁ ଦୃଷ୍ଟିରୁ ଚେଲ୍ଲା କୁମାରଙ୍କୁ ହଟାଇ ଅଜୟ କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ଗତ ୨୦ତାରିଖରେ ନୂଆଦିଲ୍ଲୀରେ କଂଗ୍ରେସ ଶୀର୍ଷ ନେତୃତ୍ୱଙ୍କ ସହ ରାଜ୍ୟର ବରିଷ୍ଠ ନେତାମାନଙ୍କ ବୈଠକବେଳେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସିଧାସଳଖ ଶାସକ ବିଜେଡି ସହ ସମ୍ପର୍କକୁ ନେଇ ଚେଲାକୁମାରଙ୍କ ସମେତ କିଛି ନେତାଙ୍କୁ ପ୍ରଶ୍ନ କରିଥିଲେ ବୋଲି ରାଜ୍ୟ କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି । ଉକ୍ତ ବୈଠକରେ ହିଁ ଚେଲାକୁମାରଙ୍କୁ ଓଡ଼ିଶା ଦାୟିତ୍ୱରୁ ମୁକ୍ତ କରାଯାଇପାରେ ବୋଲି ସଙ୍କେତ ମିଳିଥିବା କୁହାଯାଉଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com