ପିପିଲିରେ ଛକାପଞ୍ଝା; କିଏ ହେବ ବିଜେପି ପ୍ରାର୍ଥୀ ? କଣ କହୁଛି ଗଣିତ? କାଣନ୍ତୁ
ପୁରୀ ଜିଲ୍ଲାର ଚର୍ଚ୍ଚିତ ବିଧାନସଭା ଆସନ ପିପିଲି । ଯେଉଁ ଆସନ ୨୪ ବର୍ଷ ହେଲା ବିଜେଡିର ଗଡ଼ ହୋଇ ରହିଆସିଛି । ଲଗାତାର ୫ ଥର ବିଧାୟକ ରହଥିଲେ ସ୍ୱର୍ଗତଃ ପ୍ରଦୀପ ମହାରଥୀ । ତାଙ୍କର ବିୟୋଗ ପରେ ପୁଅ ରୁଦ୍ର ମହାରଥୀ ଉପନିର୍ବାଚନ ଜିତି ବାପାଙ୍କ ଗଡ ରକ୍ଷା କରିଛନ୍ତି । ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଆଉ ପୁଣିଥରେ ପିପିଲି ରାଜନୀତି ସରଗରମ ହୋଇଛି । ବିଶେଷକରି ପିପିଲିରୁ ପ୍ରାର୍ଥୀ ହେବା ପାଇଁ ବିଜେପି ଶିବିରରେ ଆରମ୍ଭ ହୋଇଗଲାଣି ଛକାପଞ୍ଝା । ପୁରୀ ଜିଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ଯୁବ ସାମାଜିକ କର୍ମୀ ରାଧାମୋହନ ଏବଂ ନେତା ସରୋଜ ପ୍ରଧାନଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ଦଳର ସଭାପତିଙ୍କ ବିଶ୍ୱାସ ଜିତିବାକୁ ଚଳାଇଛନ୍ତି ଆପ୍ରାଣ ଉଦ୍ୟମ । ଆଶ୍ରିତ ପଟ୍ଟନାୟକଙ୍କ ପିପିଲି ବ୍ଲକରେ ସଙ୍ଗଠନ ସୁଦଢ ରହିଛି । ସେହିପରି ରାଧାମୋହନଙ୍କ ଡେଲାଙ୍ଗ ବ୍ଲକରେ ସମର୍ଥନ ରହିଥିବାବେଳେ ସରୋଜ ମଧ୍ୟ ଅନ୍ୟଦଳର କର୍ମୀଙ୍କୁ ବିଜେପିରେ ସାମିଲ କରି ନିଜର ସଙ୍ଗଠନକୁ ମଜଭୁତ କରୁଛନ୍ତି ।
ନିର୍ବାଚନୀ ରେକର୍ଡ ଦେଖିଲେ ଏମାନଙ୍କ ମଧ୍ୟରୁ ଆଶ୍ରିତ ୨୦୧୪ରେ ସେ ସ୍ବାଧୀନ ଭାବେ ବିଧାୟକ ପ୍ରାର୍ଥୀ ହୋଇ ୧୮ହଜାର ଭୋଟ ପାଇଥିଲେ । ଏହାପରେ ୨୦୧୯ରେ ଆଶ୍ରିତ ବିଜେପିରୁ ପ୍ରାର୍ଥୀ ହୋଇ ୭୨ହଜାର ୭୩୧ଖଣ୍ଡ ଭୋଟ ପାଇ ପ୍ରଦୀପ ମହାରଥୀଙ୍କଠାରୁ ୧୫ହଜାର ୭୮୨ଖଣ୍ଡ ଭୋଟରେ ହାରିଥିଲେ । ସେହିପରି ଉପନିର୍ବାଚନରେ ପ୍ରଦୀପଙ୍କ ପୁଅ ରୁ୍ଦ୍ର ମହାରଥୀଙ୍କ ଠାରୁ ୨୦ ହଜାରରୁ ଅଧିକ ଭୋଟରେ ହାରିଥିଲେ ଆଶ୍ରିତ । ରୁଦ୍ର ୯୬ ହଜାର ୯୭୨ ଖଣ୍ଡ ଭୋଟ୍ ପାଇଥିବାବେଳେ ଆଶ୍ରିତଙ୍କୁ ମିଳିଥିଲା ୭୬ ହଜାର ୦୫୬ ଖଣ୍ଡ ଭୋଟ୍ । ତେବେ ଆଶ୍ରିତ ହାରିଥିଲେ ମଧ୍ୟ ବିଜେପିର ଭୋଟ ହାର ୦.୪୨ ପ୍ରତିଶତ ବଢିଥିଲା । ବର୍ତ୍ତମାନ ନିର୍ବାଚନ ପାଇଁ ଦେଢମାସ ବାକିଥିବାବେଳେ ବିଜେପି ପିପିଲିରେ କାହାକୁ ପ୍ରାର୍ଥୀ କରୁଛି ତାହା ଦେଖିବାକୁ ଅପେକ୍ଷା ରହିଲା ।