ଓଡ଼ିଶା

୧୮ ଦିନ ଜେରା ପରେ ଶିବ ହତ୍ୟା ମାମଲାର ପର୍ଦ୍ଦାଫାଶ; ଅଭିଯୁକ୍ତ ଗିରଫ, ଛୁରୀ ଜବତ

ବ୍ରହ୍ମପୁର, ୩୦/୦୭/୨୦୨୨-  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନସ୍ଥ ଅନନ୍ତେଇ ଗ୍ରାମରେ ଗତ ଜୁଲାଇ ୯ ତାରିଖରେ ବ୍ରହ୍ମପୁର ଖଲାସୀ ସାହିର ଶିବ ଶଙ୍କର ବେହେରାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଶୁକ୍ରବାର ମାମଲାର ପର୍ଦ୍ଦାଫାଶ ହୋଇଛି । ପୋଲିସ ଅଭିଯୁକ୍ତକୁ ଦୀର୍ଘ ୧୮ ଦିନର ଜେରା ପରେ କୋର୍ଟ ଚାଲାଣ କରିଥିଲା । ଗିରଫ ଅଭିଯୁକ୍ତ ହେଲେ ବ୍ରହ୍ମପୁର ଖାଜା ସାହିର ସେକ୍ ଶୁକୁରୁ (୪୦) । ମୃତ ଶିବ ଓ ଅଭିଯୁକ୍ତ ଶୁକୁରୁ ମଧ୍ୟରେ ୨୦ ବର୍ଷ ଧରି ବନ୍ଧୁତା ରହିଥିଲା । ଏହି ସମୟ ମଧ୍ୟରେ ଶିବର ଟଙ୍କାରେ ଅଭିଯୁକ୍ତ ଜଣକ ମଦ ମାଂସ ଖାଇ ଟଙ୍କା ଖର୍ଚ୍ଚ କରି ଆସୁଥିଲେ । ଯେତେବେଳେ ଶିବ ଅସୁସ୍ଥ ହୋଇ ପଡ଼ିଥିଲେ ତାଙ୍କ ସ୍ତ୍ରୀ ଏହାକୁ ବିରୋଧ କରିଥିଲେ ।  ଯାହା ଫଳରେ ଶୁକୁରୁ ମନରେ ଶତ୍ରୁତାର ମନୋଭାବ ଆସିଥିଲା । ଜୁଲାଇ ୯ ତାରିଖ ଅପରାହ୍ନ ୪ ଘଣ୍ଟା ସମୟରେ ଅଭିଯୁକ୍ତ ଜଣକ ଯୋଜନା ପ୍ରକାରେ ଶିବଙ୍କୁ ଘରୁ ଡାକି ନେଇଥିଲା ।  ଉଭୟ ମଦ ମାଂସ ଧରି ଏକ ବାଇକରେ ମହୁରୀ କାଳୁଆ ଯାଇ ସେଠାରେ ରାତି ୮ ଯାଏଁ ମଦ୍ୟପାନ କରିବା ପରେ ଏକ ଛୁରୀ ସାହାଯ୍ୟରେ ଭୁଷି ମାରି ଦେବା ସହ ବାଇକକୁ କେଉଁଠି ଲୁଚାଇ କେହି ଦୁବୃର୍ତ୍ତ ଶିବଙ୍କୁ ମାରି ଦେଇଥିବା ପରିବାରକୁ ଜଣାଇଥିଲା । ଅନ୍ୟପଟେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶିବ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ପରଦିନ ସକାଳୁ ଶିବଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହୁରୀ କାଳୁଆ – ଅନନ୍ତେଇ ଗ୍ରାମ ମଧ୍ୟବର୍ତ୍ତୀ ରାସ୍ତା କଡ଼ରେ ପଡ଼ିଥିଲା । ଖବର ପ୍ରଚାରିତ ହେବାପରେ ଘଟଣାସ୍ଥଳରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ ଶ୍ରବଣ ବିବେକ ଏମ୍ , ଦିଗପହଣ୍ଡି ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ପହଞ୍ଚି ଘଟଣାର ତଦନ୍ତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିଲେ । ଏନେଇ ଦିଗପହଣ୍ଡି ପୋଲିସ ଥାନା ମାମଲା ନଂ. ୨୪୯/୨୨ ରେ ମକଦ୍ଦମା ରୁଜୁ କରି ତଦନ୍ତ ଜାରି ରଖିଥିଲେ ମଧ୍ୟ ଶୁକୁରୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ନିମନ୍ତେ ଜେରା କରିଥିଲା । ଅନ୍ୟପକ୍ଷରେ ମୃତକଙ୍କ ଦୁଇ ସ୍ତ୍ରୀ , ପୁଅ ବୋହୁ , ଭାଇ ନ୍ୟାୟ ଆଶାରେ ବାରମ୍ବାର ଥାନାକୁ ଆସୁଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ଅଭିଯୁକ୍ତ ସମେତ ଅନ୍ୟ ୧୫ ଜଣକୁ ଥାନାକୁ ଆଣି ଜେରା କରାଯାଇଥିଲେ ମଧ୍ୟ ପ୍ରମାଣ ଅଭାବରୁ ଛାଡି ଦିଆଯାଇଛି । ପୋଲିସ ଅଭିଯୁକ୍ତ ଶୁକୁରୁକୁ ଗିରଫ କରିବା ସହ ରକ୍ତଭିଜା ଛୁରୀ ଜବତ କରି ଆଜି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି । ତେବେ ଅଭିଯୁକ୍ତଙ୍କ ଜଣକ ବ୍ରହ୍ମପୁରର ବିଭିନ୍ନ ଥାନାରେ ୧୦ ରୁ ଉର୍ଦ୍ଧ୍ବ ଅପରାଧୀକ ମାମଲା ରହିଥିବା ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com