ଓଡ଼ିଶା

ଓଡ଼ିଆ ବୈଜ୍ଞାନିକଙ୍କ ସଫଳତା ; ଖୁବ୍ ଶୀଘ୍ର ଆସିବ ସ୍ତନ କର୍କଟ ପାଇଁ ଔଷଧ

ଭୁବନେଶ୍ୱର ୨୮.୦୬.୨୨: ସ୍ତନ କର୍କଟ  ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିଛନ୍ତି ଜଣେ ଓଡ଼ିଆ ବୈଜ୍ଞାନିକ। ଓଡ଼ିଶା ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‍ଏସ୍‍)ର ସିନିୟର୍‍ ମଲିକ୍ୟୁଲାର୍‍ ଅଙ୍କୋଲୋଜିଷ୍ଟ ଡ଼ଃ. ସନ୍ଦୀପ ମିଶ୍ର ଏପରି ଏକ ମେଡ଼ିସିନ ଆବିଷ୍କାର କରିଥିବା ଦାବି କରିଛନ୍ତି, ଯାହା ସ୍ତନ କର୍କଟ ରୋଗୀଙ୍କୁ ଠିକ କରିବ । ଏଣିକି ଖୁବ୍ ଶୀଘ୍ର ଆସିବ ସ୍ତନ କର୍କଟ ପାଇଁ ଔଷଧ ।  ମୂଷା ଉପରେ ଏହି ଔଷଧର ସଫଳ ପରୀକ୍ଷଣ  ହେବା ପରେ ଏହି  ଔଷଧ ମାନବ ପରୀକ୍ଷଣ ନିମନ୍ତେ କେନ୍ଦ୍ର ସରକାରଙ୍କ ସ୍ୱୀକୃତି ଲାଭ କରିଛି । ଡାକ୍ତର ମିଶ୍ର ସ୍ତନ କର୍କଟ ରୋଗୀଙ୍କ ପାଇଁ ଔଷଧ ଉଦ୍ଭାବନ କରିବା ସହିତ ଏହାର କାରଣ ସମ୍ପର୍କରେ ଦୀର୍ଘ ୨୦ ବର୍ଷ ହେଲା ଗବେଷଣା ଚଳାଇଛନ୍ତି। ଭାରତ ସରକାର ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଗବେଷଣା ପାଇଁ ପାଣ୍ଠି ଯୋଗାଇ ଦେଇଛନ୍ତି। ନିକଟରେ ଡକ୍ଟର ମିଶ୍ର ସ୍ତନ କର୍କଟର ସଫଳ ଚିକିତ୍ସା ପାଇଁ ଡିଜେଡ୍‍ଏନ୍‍ଇପିଏ ଓ ଏମ୍‍ଏଲ୍‍ଏନ୍‍ ୪୯୨୪ ଔଷଧ ଆବିଷ୍କାର କରିଛନ୍ତି। ଭୁବନେଶ୍ୱର ଏମ୍ସ ସହିତ ମିଳିତ ଭାବେ ମାନବ ପରୀକ୍ଷଣ ଆରମ୍ଭ ହେବ। ଏଥିସହ ସର୍ବ ଭାରତୀୟ ସ୍ତରରେ ମଧ୍ୟ ଔଷଧର ମାନବ ପରୀକ୍ଷଣ ଆରମ୍ଭ ହେବାକୁ ଯାଉଛି। ଏହି ପରୀକ୍ଷଣ ସଫଳ ହେଲେ ଏକ ମାରାତ୍ମକ ବ୍ୟାଧିର ସହଜ ଚିକିତ୍ସା ପାଇଁ ପଥ ପରିଷ୍କାର ହେବ ବୋଲି କହିଛନ୍ତି ଡକ୍ଟର ମିଶ୍ର। ଏହି ଔଷଧ ଦ୍ୱାରା ତୃତୀୟ ସ୍ତରରେ ଥିବା ସ୍ତନ କର୍କଟ ରୋଗର ସଫଳ ଚିକିତ୍ସା ହୋଇପାରିବ। ସ୍ତନ କର୍କଟର ମୁଖ୍ୟ ଉପାଦାନ କୁହାଯାଉ ଥିବା ଟ୍ୟୁମର ଦମନକାରୀ ଅଣୁ ଯଥା ଇଆରଆରବି ଓ ଏମ୍‍ଆଇସିଓଏ ଉପରେ ଅଧ୍ୟୟନ କରାଯାଇଛି। ସ୍ତନ କର୍କଟରେ ଟ୍ୟୁମର ଦମନକାରୀ ଜିନ୍‍ ଆବିଷ୍କାରକୁ ବିଶ୍ୱର ବିଭିନ୍ନ ଖ୍ୟାତନାମା ଗବେଷଣା ସଂସ୍ଥାଙ୍କ ପକ୍ଷରୁ ସ୍ୱୀକୃତି ପ୍ରଦାନ କରାଯାଇଛି। ବର୍ତ୍ତମାନ ସମୟରେ ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟ ଅଧିକ ଦେଖିବାକୁ ମିଳୁଛି। ସାରା ଦେଶରେ ୧ ଲକ୍ଷ ମହିଳାଙ୍କ ମଧ୍ୟରୁ ୨୫.୮% ମହିଳା ସ୍ତନ କର୍କଟରେ ପୀଡିତ ଥିବା ଏକ ସର୍ବେକ୍ଷଣରୁ ଜଣା ପଡିଛି।

Related Articles

Back to top button
WP Twitter Auto Publish Powered By : XYZScripts.com