କ୍ରୀଡ଼ା

ଚାରୁ ଶର୍ମାଙ୍କ ଏହି ମଜାଦାର ଭୁଲ୍ ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସ ବଦଳରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଖଲିଲ୍ ଅହମ୍ମଦ୍ ସାମିଲ

ନୂଆଦିଲ୍ଲୀ () ଆଇପିଏଲ ନିଲାମ ନିକଟରେ ସରିଛି। ତେବେ ନିଲାମ ପରେ ଏପରି ଏକ ମଜାଦାର ଘଟଣା ସାମନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଚାରୁ ଶର୍ମାଙ୍କ ଭୁଲ୍ ଯୋଗୁଁ ବଡ ପରିମାଣର ଅର୍ଥ ଦେବାକୁ ପ୍ରସ୍ତୁତ ଥିଲେ ମଧ୍ୟ ଖଲିଲ୍ ଅହମ୍ମଦ ମୁମ୍ବାଇ ଇଣ୍ଡିଆନ୍ସ ବଦଳରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଚାଲିଯାଇଛନ୍ତି।
୨୪ ବର୍ଷୀୟ ଦ୍ରୁତ ବୋଲର୍ ଖଲିଲ୍ ଅହମ୍ମଦଙ୍କ ପ୍ରାରମ୍ଭିକ ମୂଲ୍ୟ(ବେସ୍ ପ୍ରାଇସ୍) ଥିଲା ୫୦ ଲକ୍ଷ। ୫୦ ଲକ୍ଷରୁ ତାଙ୍କ ନିଲାମ ଡାକ ଆରମ୍ଭ ହୋଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ନିଲାମ ଡାକିଥିଲା। ଏହାପରେ ଦିଲ୍ଲୀ କ୍ୟାପିଟାଲ୍ସ ୫୫ ଲକ୍ଷ ଟଙ୍କାରେ ଖଲିଲ୍ ଅହମ୍ମଦଙ୍କ ପାଇଁ ଦ୍ଵିତୀୟ ନିଲାମ ଡାକିଥିଲା। ୪ କୋଟି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଖଲିଲଙ୍କ ପାଇଁ କ୍ରମାଗତ ନିଲାମ ଡାକି ଚାଲିଥିଲେ। କିନ୍ତୁ ୪ କୋଟି ୬୦ ଲକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ଖଲିଲଙ୍କ ନାମରେ ଦୁଇଥର ନିଲାମ ଡାକିଥିଲା ଯେଉଁଥିରୁ ଦ୍ଵନ୍ଦ୍ଵ ସୃଷ୍ଟି ହୋଇଥିଲା। ଏହାପରେ ୪ କୋଟି ୮୦ ଲକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ଓ ୫ କୋଟି ଟଙ୍କାରେ ପୁନର୍ବାର ଦିଲ୍ଲୀ କ୍ୟାପିଟାଲ୍ସ ନିଲାମ ଡାକିଥିଲେ।
ପରବର୍ତ୍ତୀ ନିଲାମ ମୁମ୍ବାଇ ଡାକିବାର ଥିଲା ଓ ଚାରୁ ଶର୍ମା ମୁମ୍ବାଇକୁ ନିଲାମ ଡାକିବା ବିଷୟରେ ପଚାରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ନିଲାମକୁ ଆଗକୁ ବଢାଇ ୫ କୋଟି ୨୫ ଲକ୍ଷର ନିଲାମ ଖଲିଲ ଅହମ୍ମଦଙ୍କ ଉପରେ ଲଗାଇଥିଲା। ଏହାପରେ ଦିଲ୍ଲୀ ନିଲାମକୁ ଆଗକୁ ବଢାଇବା ପାଇଁ ବିଚାରବିମର୍ଶ କରିବା ପାଇଁ ସମୟ ମାଗିଥିଲା।
ଠିକ୍ ଏହି ସମୟରେ ଚାରୁ ଶର୍ମା ଭୁଲ୍ କରି ଦେଇଥିଲେ। ଚାରୁ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସର ନିଲାମ ମୂଲ୍ୟକୁ ଦିଲ୍ଲୀ କ୍ୟାପିଟାଲ୍ସର ନିଲାମ କହି ଦେଇଥିଲେ। ଏହାପରେ ଚାରୁ ଶର୍ମା ଶେଷ ପର୍ଯ୍ୟନ୍ତ ଦୋହରାଇ ଚାଲିଥିଲେ ଯେ ଦିଲ୍ଲୀ ଶେଷ ନିଲାମ ୫ କୋଟି ୨୫ ଲକ୍ଷରେ ଡାକିଛି। ପ୍ରକୃତରେ ଏହି ନିଲାମ ମୁମ୍ବାଇ ଇଣ୍ଡିଆନ୍ସର ଥିଲା। ଏହାପରେ ମୁମ୍ବାଇ ଇଣ୍ଡିଆନ୍ସ ନିଲାମରୁ ଓହରି ଯାଇଥିଲା ଓ ଖଲିଲ ଅହମ୍ମଦ ମୁମ୍ବାଇ ବଦଳରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ହୋଇଯାଇଥିଲେ। ଅଧିକ ଖର୍ଚ୍ଚ ନକରି ଦିଲ୍ଲୀ ଖଲିଲଙ୍କୁ ଦଳରେ ନେବାକୁ ସଫଳ ହୋଇଥିଲା।
ଖଲିଲ ଅହମ୍ମଦ ୨୦୧୭ ପରେ ଦିଲ୍ଲୀ ଦଳକୁ ଫେରିଛନ୍ତି। ୨୦୧୮ ରୁ ୨୦୨୧ ପର୍ଯ୍ୟନ୍ତ ସେ ସନରାଇଜର୍ସ ହାଇଦ୍ରାବାଦ ଦଳରେ ଥିଲେ। ଖଲିଲ ଅହମ୍ମଦ ୨୪ଟି ଆଇପିଏଲ୍ ମ୍ୟାଚ୍ ଖେଳି ୨୪.୫୬ ହାରରେ ୩୨ଟି ଓ୍ଵିକେଟ୍ ନେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com