ଭୁବନେଶ୍ୱର: ମମତା ମହାନ୍ତ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେବା ପରେ ଶଙ୍ଖକୁ ଲାଗିଥିଲା ବଡ ଝଟକା । ଏନେଇ ଆରମ୍ଭ ହୋଇଥିଲା ଦଳ ସଜାଡିବା ପର୍ବ । ଜିଲାୱାରୀ ନେତାମାନଙ୍କୁ ଡାକି କସରତ କରିଥିଲେ ବିଜେଡି ସୁପ୍ରିମୋ । ଆଉ ଏହାପରେ ପରେ ଏକ ନୂଆ ଚାଲ ଖେଳିଛନ୍ତି ନବୀନ ପଟ୍ଟନାୟକ । ସୋମବାର ଗଠନ କରିଛନ୍ତି ଏକ ୧୫ଜଣିଆ ଟିମ୍ । ଏଥିରେ ଦଳର ପୁରୁଖା ନେତାଙ୍କୁ ଭରସା କରାଯାଇଥିବା ଦେଖିବାକୁ ମିଳିଛି । ବରିଷ୍ଠ ନେତାମାନଙ୍କୁ ନେଇ ଗଢ଼ାଯାଇଥିବା ଏହି କମିଟି ରାଜ୍ୟବ୍ୟାପୀ ବିଜୁ ଜନତା ଦଳର ବିଭିନ୍ନ କାର୍ୟ୍ୟକ୍ରମର ସମନ୍ୱୟ ରକ୍ଷା ନିମନ୍ତେ କାର୍ୟ୍ୟ କରିବ ବୋଲି ସୂଚନା ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର କମିଟିର ଚେୟାରମ୍ୟାନ ବା ଅଧ୍ୟକ୍ଷ ରହିଛନ୍ତି । ତାଙ୍କ ନେତୃତ୍ୱରେ ଏହି ୧୫ଜଣିଆ ଟିମ କାର୍ଯ୍ୟ କରିବେ ବୋଲି ଜଣାପଡିଛି ।
ସେହିପରି ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ବିକ୍ରମକେଶରୀ ଆରୁଖ, ପ୍ରତାପ କେଶରୀ ଦେବ, ପ୍ରଦୀପ କୁମାର ଅମାତ୍, ଅରୁଣ କୁମାର ସାହୁ, ଅଶ୍ୱିନୀ କୁମାର ପାତ୍ର, ପ୍ରତାପ ଜେନା, ଶାରଦା ପ୍ରସାଦ ନାୟକ, ସୁଦାମ ମାରାଣ୍ଡି, ମନୋହର ରନ୍ଧାରୀ, ସ୍ନେହାଙ୍ଗିନୀ ଛୁରିଆ, ମହେଶ ସାହୁ ଓ ଦେବେଶ ଆଚାର୍ୟ୍ୟ ପ୍ରମୁଖ ଏହି ଟିମର ସଦସ୍ୟ ଅଛନ୍ତି । ତେବେ ଏହି କମିଟିରେ ଅତ୍ୟନ୍ତ ଚତୁରତାର ସହ ଭିକେ ପାଣ୍ଡିଆନଙ୍କ ଖାସ୍ ପ୍ରଣବପ୍ରକାଶ ଦାସ ଓରଫ ବବି ଓ ତାଙ୍କର କିଛି ଅନୁଗତଙ୍କୁ ଦୂରେଇ ରଖାଯାଇଛି ।
ଯେମିତିକି ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ୟ୍ୟ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସସ୍ମିତ ପାତ୍ର, ଅମର ପଟ୍ଟନାୟକ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅଶୋକ ପଣ୍ଡା, ପ୍ରଫୁଲ୍ଲ ସାମଲଙ୍କ ଭଳି ନେତାମାନଙ୍କୁ ମଧ୍ୟ ଏହି କମିଟିରେ ସାମିଲ କରାଯାଇନାହିଁ । ତେଣୁ ଦେବୀ ମିଶ୍ରଙ୍କ କାନ୍ଧରେ ବନ୍ଧୁକ ରଖି ଦଳୀୟ କାର୍ୟ୍ୟକ୍ରମ ଆରମ୍ଭ ପାଇଁ ପ୍ରୟାସ କରାଯାଇଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ସେହିପରି ବିଜେଡିର ଦୀର୍ଘ ୨୪ବର୍ଷ ଶାସନର ପତନ କାହିଁକି ହେଲା ଓ କିଏ ଦାୟୀ ତା’ର ସମୀକ୍ଷା ପାଇଁ କମିଟି ଗଢ଼ିପାରୁନଥିବା ନବୀନ ଏବେ ୧୫ଜଣିଆ କମିଟିକୁ ଦଳୀୟ କାର୍ୟ୍ୟକ୍ରମ ପାଇଁ ଦାୟିତ୍ୱ ନ୍ୟସ୍ତ କରିବା ବିଜେଡି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।