ଭୁବନେଶ୍ୱର: ଗତ ସପ୍ତାହରେ ଦିଲ୍ଲୀରେ ଆୟୋଜିତ ହୋଇଥିଲା ନୀତି ଆୟୋଗ ବୈଠକ । ଯେଉଁଥିରେ ଯୋଗ ଦେଇଥିଲେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଉ ରଖିଥିଲେ ବିଭିନ୍ନ ଦାବି । ଏମିତି ୯ଟି ଡିମାଣ୍ଡ ନୀତି ଆୟୋଗରେ ରଖିଥିଲେ ମୋହନ । ଯାହାର ସମସ୍ୟାର ସମାଧାନ ଖୁବଶୀଘ୍ର ହେବ ବୋଲି କୁହାଯାଇଛି । କାରଣ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ନୀତି ଆୟୋଗ ସିଇଓ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ସିଇଓ ବିଭିଆର ସୁବ୍ରମଣ୍ୟମ ଓ ତାଙ୍କ ଟିମ୍ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହିସମୟରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ବର୍ଷ ପୂର୍ତ୍ତି ପୂର୍ବରୁ ରାଜ୍ୟର ଅର୍ଥନୀତି ୫୦୦ ବିଲିୟନ ଡଲାର ଛୁଇଁବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ୨୦୩୬ ଓ ୨୦୪୭କୁ ଲକ୍ଷ୍ୟରେ ରଖି ଦୁଇଟି ଭିଜନ ଡକ୍ୟୁମେଂଟ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଶ୍ରୀ ମାଝୀ ।
ଏବେ ଓଡ଼ିଶାର ଅର୍ଥନୀତିର ଆକାର ୧୦୦ ବିଲିୟନ ଡଲାରରୁ ଅଧିକ ହୋଇଛି । ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ୨୦୪୭ ମସିହା ସୁଦ୍ଧା ରାଜ୍ୟର ଅର୍ଥନୀତିକୁ ଦେଢ଼ ଟ୍ରିଲିୟନ ଡଲାରରେ ପହଂଚାଇବାକୁ ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ବିକାଶର ବ୍ୟାପକ ସମ୍ଭାବନା ରହିଛି । ସମ୍ଭାବନାକୁ ସଫଳତାରେ ପରିଣତ କରିବା ଓ ଉପଯୁକ୍ତ କାର୍ୟ୍ୟାନ୍ୱୟନ ଦ୍ୱାରା ବିକାଶର ଲକ୍ଷ୍ୟ ହାସଲ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତରେ ଓଡ଼ିଶା ଏକ ଗ୍ରୋଥ୍ ଇଞ୍ଜିନ ହେବାର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଏହି ଭିଜନ ଡକ୍ୟୁମେଂଟ ପ୍ରସ୍ତୁତ ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିୟରିଂ କମିଟି ଗଠନ କରାଯିବ । ନୀତି ଆୟୋଗ ସହଯୋଗରେ ଆସନ୍ତା ୩ମାସ ମଧ୍ୟରେ ଓଡ଼ିଶା ପାଇଁ ଭିଜନ ଡକ୍ୟୁମେଂଟ ପ୍ରସ୍ତୁତ କରିବା ପାଇଁ ରାଜ୍ୟବ୍ୟାପୀ ବିଭିନ୍ନ ବର୍ଗର ଲୋକଙ୍କଠୁ ମତାମତ ନିଆଯିବ । ଏହି ବୈଠକରେ ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।