ନୂଆ ଦିଲ୍ଲୀ: ପୁଣି ରାଜ୍ୟସଭାରେ ହଙ୍ଗାମା । କଥା କଟାକଟି ହେଲେ ସାଂସଦ ଜୟା ବଚନ ଓ ଉପରାଷ୍ଟ୍ରପତି ଜଗଦୀପ ଧନଖଡ । ଉଭୟଙ୍କ ଭିତରେ ହୋଇଛି ତୀବ୍ର ଯୁକ୍ତିତର୍କ । କିଛିଦିନ ଧରି ନାମ ଉଚ୍ଚାରଣକୁ ନେଇ ଚାଲିଥିବା ଥଟାମଜା ଆଜି ଅର୍ଥାତ ଶୁକ୍ରବାର ବଡ ଆକାର ଧାରଣ କରିଛି । ଯାହାକୁ ନେଇ ବେଶ କିଛି ସମୟ ସରଗରମ ହୋଇଥିଲା ଗୃହ । ପ୍ରଥମେ ଗୃହରେ ଅଧ୍ୟକ୍ଷ ଧନଖଡ ଯେତେବେଳେ ଜୟାଙ୍କୁ ଜୟା ଅମିତାଭ ବଚ୍ଚନ କହି ସମ୍ବୋଧନ କରିଥିଲେ ସେତେବେଳେ ଜୟା ସାଙ୍ଗେସାଙ୍ଗେ ରାଗି ଯାଇଥିଲେ । କହିଥିଲେ ସାର୍, ମୁଁ ଜୟା ଅମିତାଭ ବଚ୍ଚନ, କହିବାକୁ ଚାହେଁ… ମୁଁ ଜଣେ ଅଭିନେତ୍ରୀ । ମୋତେ ଅଙ୍ଗଭଙ୍ଗୀ ଏବଂ ମୁଖ ଭଙ୍ଗୀ ଭଲ ଭାବେ ବୁଝାପଡ଼େ । କ୍ଷମା କରିବେ, ଆପଣଙ୍କ ସ୍ୱର ଗ୍ରହଣୀୟ ନୁହେଁ । ଆମେ ସମସ୍ତେ ସହକର୍ମୀ, ସାର୍ ଆପଣ ଅଧ୍ୟକ୍ଷ ଆସନରେ ବସିଥାଇ ପାରନ୍ତି, କିନ୍ତୁ ମୋର ସ୍କୁଲ୍ ଯିବା ସମୟ କଥା ମନେ ପଡିଯାଉଛି l
ଏହାପରେ ଶାସକ ଓ ବିରୋଧୀ ଦଳର ସାଂସଦଙ୍କ ମଧ୍ୟରେ ହଙ୍ଗାମା ହେବା ମଧ୍ୟରେ ଅଧ୍ୟକ୍ଷ ଧନଖଡ ଖୁବ୍ ଜୋରରେ ସମସ୍ତଙ୍କୁ ଚୁପ୍ ହେବାକୁ କହିଥିଲେ। ଏପରି ସ୍ଥିତିକୁ କିପରି ପରିଚାଳନା କରାଯାଏ, ମୋତେ ଜଣା ଅଛି କହି ଜୟା ବଚ୍ଚନଙ୍କୁ ପାଟି କରି କହିଥିଲେ l ପୂର୍ବରୁ ଜୟା ବଚ୍ଚନ ତାଙ୍କ ନାମ ସହ କାହିଁକି ସ୍ୱାମୀ (ଅମିତାଭ)ଙ୍କ ନାଁ ଯୋଡ଼ି କହିବେ ବୋଲି ପ୍ରଶ୍ନ କରିଥିଲେ । ସେ କହିଥିଲେ, “ନାରୀର କଣ କିଛି ଅସ୍ତିତ୍ୱ ନାହିଁ, କାହିଁକି ନାରୀଟିଏ ସ୍ୱାମୀ ନାଁରେ ପରିଚିତ ହେବ।” କିନ୍ତୁ ଚଳିତ ମୌସୁମୀ ଅଧିବେଶରେ ନିଜ ଉପସ୍ଥାପନ ସମୟରେ କହିଥିଲେ, “ମୁଁ ଜୟା ଅମିତାଭ ବଚ୍ଚନ କହୁଛି…।” ଏହା ପରେ ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ସମେତ ଅନ୍ୟ ସାଂସଦମାନେ ଖୁବ୍ ଜୋରରେ ହସିଥିଲେ । କିନ୍ତୁ ଆଜି ରାଜ୍ୟସଭାରେ ଜୟା ଏହି ପ୍ରସଙ୍ଗକୁ ସନେଇ ଅଧ୍ୟକ୍ଷଙ୍କୁ ସମାଲୋଚନା କରିଥିଲେ, ଯାହାର କଡ଼ା ପ୍ରତିକ୍ରିୟା ରଖିଛନ୍ତି ଜଗଦୀପ ଧନଖଡ ।