ଭୁବନେଶ୍ୱର: ଆଳୁର ରେକର୍ଡ କାଟିଲା ପିଆଜ। ଛୁଙ୍କ କରିବା ପାଇଁ ଲାଗିଲାଣି ଡର l କଢ଼େଇରୁ ଗାଏବ ପିଆଜ । କ’ଣ କିଣିବ କଣ ଖାଇବ ଚିନ୍ତାରେ ଲୋକ । ଆଳୁ ଦର ଏବେ ମଧ୍ୟ ସ୍ଵାଭାବିକ ହୋଇନଥିବା ବେଳେ ପିଆଜ ଦରଦାମ ବଢିବା ସାଧାରଣ ଖାଉଟିଙ୍କ ଉପରେ ପଡ଼ିଛି ଚଡକ ।
ଦର ବୃଦ୍ଧିରେ ହନ୍ତସନ୍ତ ହେଲେଣି ମଧ୍ୟବିତ ଓ ଗରିବ ଲୋକ । ଏବେ ଭୁବନେଶ୍ୱର ଏକ ନମ୍ବର ହାଟ ଓ ନୟାପଲ୍ଲୀ ହାଟରେ କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି ପିଆଜ । ଲୋ-କ୍ବାଲିଟି ପିଆଜ ୫୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଗାମୀ ଦିନରେ ଆହୁରି ବଢିବ ବୋଲି କହିଛନ୍ତି ବ୍ୟବସାୟୀ । କିଛି ବେପାରୀଙ୍କ କହିବାକଥା, ମାର୍କେଟରେ ପିଆଜ ଷ୍ଟକ୍ ନାହିଁ, ଯାହା ବାହାରୁ ଆସୁଥିଲା ବର୍ଷା ପାଇଁ ତାହା ଆସି ପାରୁନି। ଆଉ ଯାହା ବସ୍ତା ରହିଛି ସେଥିରୁ ୫ ରୁ ୬ କେଜି ପଚା ବାହାରୁଛି ।
ସେଥପାଇଁ ଦର ବଢାଇ ବାକୁ ବାଧ୍ୟ ହେଉଛୁ ବୋଲି କହିଛନ୍ତି ଦୋକାନୀ । ଏକ ମାସ ଧରି ପନି ପରିବା ଦର ଉପର ମୁହାଁ ରହିଛି l ଏପଟେ ଆଳୁ ଦର ବି କମିବାର ନାଁ ଧରୁନି । କିଲୋ ପିଛା ୩୫ ଟଙ୍କାରେ ଆଳୁ ବିକ୍ରି ହେଉଥିବା ବେଳେ ଏବେ ପୁଣି ପିଆଜ ଦର ଚିନ୍ତାରେ ପକାଇଛି । ପିଆଜ ୬୦ ଟଙ୍କା ଛୁଇଁବା ପରେ ଏବେ ଆହୁରି ବଢ଼ିବ ବୋଲି ଶୁଣିବା ପାଇଁ ମିଳୁଛି ।
ସେପଟେ ଦର ନିୟନ୍ତ୍ରଣ ଉପରେ ସରକାରଙ୍କୁ ଦୋଶ ଦେଇଛି ଓଡ଼ିଶା ବ୍ୟବସାୟୀ ମହାସଂଘ । ବଜାର ଦର୍ ନିୟନ୍ତ୍ରଣ ପଲିସି କାହିଁକି ଲାଗୁ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା । ଭୁଲ କାହାର ଠିକ କାହାର ତାହା ଆଲୋଚନା ଭିତରେ ରହିଯିବ ,ହେଲେ ସାଧାରଣ ଲୋକ ଏଥିରେ ହନ୍ତସନ୍ତ ହେବେ । ତେବେ ଖାଉଟିଙ୍କ ପାଇଁ ସବୁ ଜିନିଷରୁ ଦର ଦାମ କମିବ, ସେହି ସମୟକୁ ଅପେକ୍ଷା l