Breaking Newsଓଡ଼ିଶା

ଜାରି ହେଲା ଗାଇଡଲାଇନ୍ । କେମିତି ଓ କେଉଁଠି କରିବେ ଆବେଦନ? ଦେଖନ୍ତୁ

ଭୁବନେଶ୍ୱର: ଆସିଲା ସୁଭଦ୍ରା ଗାଇଡ୍‌ଲାଇନ୍ । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୁଭଦ୍ରା ଯୋଜନା ପାଇଁ ଗାଇଡଲାଇନ ଜାରି କରାଯାଇଛି । ଏହି ଯୋଜନା ଅଧୀନରେ ରାଜ୍ୟରେ ଏକ କୋଟି ମହିଳାଙ୍କୁ ୫ ବର୍ଷରେ ୫୦ ହଜାର ଟଙ୍କା ହାତ ଖର୍ଚ୍ଚ ଦେବେ ମୋହନ ସରକାର ।

ପୂର୍ବରୁ ଏନେଇ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିବା ପରେ ଶୁକ୍ରବାର ଜାରି କରିଥିଲେ ଏସଓପି । ଆଜି ଏହି ଯୋଜନାର ଗାଇଡଲାଇନ ପ୍ରକାଶ ପାଇଛି । ବିସ୍ତୃତ ଭାବେ କିଏ ଏଥିପାଇଁ ଯୋଗ୍ୟ ଓ କିଏ ଯୋଗ୍ୟ ନୁହେଁ ସେ ନେଇ ନିୟମାବଳୀରେ ସ୍ପଷ୍ଟ ଉଲ୍ଲେଖ ହୋଇଛି । ଏହି ଯୋଜନାରେ ଆବେଦନ ପାଇଁ ଗୋଟିଏ କାର୍ଡ ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ତାହା ହେଉଛି ଆଧାର କାର୍ଡ଼ ।

ତେବେ ଏହି ଯୋଜନା ଅନୁସାରେ ୨୧ରୁ ଅଧିକ ୬୦ ବର୍ଷରୁ କମ୍ ବୟସ୍କ ମହିଳାମାନେ ଆବେଦନ କରିପାରିବେ । ଗାଇଡଲାଇନ ଅନୁସାରେ ଆଧାର କାର୍ଡରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ । ୨୦୨୪-୨୫ ବର୍ଷ ପାଇଁ ଗତ ଜୁଲାଇ ୧ ସୁଦ୍ଧା ବୟସ ୨୧ ବର୍ଷରୁ ଊର୍ଦ୍ଧ୍ୱ ଏବଂ ୬୦ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ । ଆବେଦନକାରୀଙ୍କ ଜନ୍ମ ୦୨.୦୭.୧୯୬୪ ପୂର୍ବରୁ କିମ୍ବା ୦୧.୦୭.୨୦୦୩ ପରେ ହୋଇନଥିବ । ୧ ଜୁଲାଇ ୨୦୨୪ ସୁଦ୍ଧା ୨୧ରୁ କମ୍‌ ଓ ୬୦ରୁ ଅଧିକ ହୋଇଥିଲେ ପାଇବେନି ସୁଭଦ୍ରା କାର୍ଡ ।

ସେହିପରି ମାସକୁ ୧୫ ଶହ ବା ବର୍ଷକୁ ୧୮ ହଜାରରୁ ଅଧିକ ସହାୟତା ପାଉଥିବା ମହିଳାମାନେ ଅଯୋଗ୍ୟ ବିବେଚିତ ହେବେ । ବର୍ତ୍ତମାନ କିମ୍ବା ପୂର୍ବତନ ସାଂସଦ/ବିଧାୟକ ହୋଇଥିଲେ ମଧ୍ୟ ପାଇବେନି ସୁଭଦ୍ରା ଯୋଜନାର ଲାଭ । ସେହିପରି ଆୟକର ଦେଉଥିବା ମହିଳାମାନେ ପାଇବେନି ସୁଭଦ୍ରା ସହାୟତା । ୱାର୍ଡମେମ୍ବର/କାଉନସିଲର ଛଡ଼ା ଅନ୍ୟ ପଞ୍ଚାୟତ ପ୍ରତିନିଧି ହୋଇଥିଲେ ମଧ୍ୟ ମିଳିବନି ଏହି କାର୍ଡ । କେନ୍ଦ୍ର/ରାଜ୍ୟ ସରକାର ଚାକିରି ବା ପେନ୍‌ସନ୍‌ ପାଉଥିଲେ ମିଳିବନି ଏହି ସହାୟତା ।

ପରିବାରର ଜଳସେଚିତ ଜମି ୫ ଏକର/ଅଣଜଳସେଚିତ ଜମି ୧୦ ଏକର ଥିଲେ ଅଯୋଗ୍ୟ ବିବେଚିତ ହେବେ ମହିଳା । ଏହାସହ ଯାହାର ଘରେ ୪ଚକିଆ ଗାଡି ଥିବ , ସେହି ମହିଳା ଏଥିରୁ ବାଦ୍ ପଡିବେ ବୋଲି କୁହାଯାଇଛି । ତେବେ ସୁଭଦ୍ରା ପାଇବାକୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିବା ଆବଶ୍ୟକ । ଅଫଲାଇନ୍‌ ଫର୍ମ ପୂରଣ ବା ଅନଲାଇନରେ ସୁଭଦ୍ରା ପୋର୍ଟାଲରେ ଆବେଦନ କରିପାରିବେ । ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ, ମୋ ସେବା କେନ୍ଦ୍ରରେ ମାଗଣାରେ ମିଳିବ ଫର୍ମ । ଆବେଦନକାରୀ ଫର୍ମ ପୂରଣ କରି ମୋ ସେବା କେନ୍ଦ୍ରରେ ଦାଖଲ କରିବେ । ।

Related Articles

Back to top button
WP Twitter Auto Publish Powered By : XYZScripts.com