ଓଡ଼ିଶା

ପବିତ୍ର ‘ଗୁରୁ ଦିବସ’ରେ ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର

ଭୁବନେଶ୍ବର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଶିକ୍ଷକ । ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନଠାରେ ଏକ ଭବ୍ୟ ସମାରୋହରେ ଏହି ସମ୍ମାନସ୍ଫଦ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଯଶସ୍ବୀ ଶିକ୍ଷକ ।

କଳାହାଣ୍ଡି ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ସର୍ଗୀକୃତ ନର୍ଲା ସ୍ଥିତ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର କର ଓ ରାୟଗଡ଼ା ଜିଲ୍ଲାରେ ଜନଜାତି ପିଲାମାନଙ୍କ ଶିକ୍ଷାର ବିକାଶ ପାଇଁ ସମର୍ପିତ ବିଲେଷୁ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦ୍ବିତୀଚନ୍ଦ୍ର ସାହୁ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ସୂଚନାଯୋଗ୍ୟ, ମାନ୍ୟବର ରାଷ୍ଟ୍ରପତି ବିଜ୍ଞାନ ଭବନ ଠାରେ ୫୦ ଜଣ ମନୋନୀତ ପୁରସ୍କାର ବିଜେତାଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପ୍ରଦାନ କରିଛନ୍ତି । ପ୍ରତ୍ୟେକ ପୁରସ୍କାରରେ ମେରିଟ୍ ସାର୍ଟିଫିକେଟ୍‌, ନଗଦ ୫୦ ହଜାର ଟଙ୍କା ଓ ରୌପ୍ୟ ପଦକ ପ୍ରଦାନ କରାଯାଇଛି ।

ପୁରସ୍କାର ଗ୍ରହଣ କରିବା ପରେ ଓଡ଼ିଶାର ଦୁଇଶିକ୍ଷକ ଆଗକୁ ଏହି ପୁରସ୍କାର ସେମାନଙ୍କୁ ଶିକ୍ଷା କ୍ଷେତ୍ରରେ ଅଧିକରୁ ଅଧିକ ଉଲ୍ଲେଖନୀୟ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିବ ବୋଲି ପ୍ରତିକ୍ରିୟାରେ କହିଥିଲେ । ପୁରସ୍କାର ପ୍ରଦାନ କରିବା ପରେ ରାଷ୍ଟ୍ରପତି ଶିକ୍ଷକସମୂହଙ୍କୁ ସେମାନଙ୍କ ଶିକ୍ଷା କ୍ଷେତ୍ରରେ ଅସାଧାରଣ ପ୍ରୟାସ ପାଇଁ ଧନ୍ୟବାଦ ଜଣାଇଥିଲେ।

ରାଷ୍ଟ୍ରପତି କହିଲେ, ଆଜିର ଦିବସ ରାଇରାଙ୍ଗପୁରର ଅରବିନ୍ଦ ଇଣ୍ଟିଗ୍ରାଲ୍‌ ଏଜୁକେସନ ଆଣ୍ଡ୍‌ ରିସର୍ଚ୍ଚ ସେଣ୍ଟରରେ ତାଙ୍କ ଶିକ୍ଷକତା ଦିନକୁ ସ୍ମରଣ କରାଇଦେଉଛି । ସେଠାରେ ପିଲାମାନଙ୍କଠାରୁ ତାଙ୍କୁ କେବଳ ସ୍ନେହ ମିଳିନଥିଲା, ଅନେକ କିଛି ଶିଖିବାର ମିଳିଥିଲା ।

ଆଜି ବି ମୁଁ ଯେତେବେଳେ ଶିକ୍ଷକ କିମ୍ବା ପିଲାମାନଙ୍କ ଗହଣରେ ରହୁଛି, ମୋ ଭିତରର ଶିକ୍ଷକ ଭାବ ପୁଣିଥରେ ଜୀବନ୍ତ ହୋଇଯାଉଛି । ‌ଗତ ଜୁଲାଇ ୨୫ରେ ରାଷ୍ଟ୍ରପତି ଭାବେ ମୋର କାର୍ଯ୍ୟକାଳର ଦ୍ବିତୀୟ ବର୍ଷ ଅବସରରେ ମୁଁ ନିଷ୍ପତ୍ତି ନେଲି ରାଷ୍ଟ୍ରପତି ଭବନ ପରିସରରେ ଥିବା ସ୍କୁଲରେ ମୁଁ ଛାତ୍ରଛାତ୍ରୀମାନଙ୍କ ସହିତ ସମୟ ବିତାଇବି ।

ଛାତ୍ରଛାତ୍ରୀମାନଙ୍କ ସହିତ ପ୍ରକୃତି ଓ ପର୍ଯ୍ୟାବରଣ ପ୍ରସଙ୍ଗରେ ଆଲୋଚନା କରି ମୋତେ ବହୁତ ଆନନ୍ଦ ଅନୁଭବ ହୋଇଥିଲା ବୋଲି ରାଷ୍ଟ୍ରପତି ମୁର୍ମୁ କହିଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜମୁଦାର, କେନ୍ଦ୍ର ଦକ୍ଷତା ବିକାଶ, ଉଦ୍ୟମିତା ଓ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com