ଓଡ଼ିଶା

୧୪୩୨ ସାଲ ୬୮ ଅଙ୍କରେ ପ୍ରବେଶ କଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ,

ପୁରୀ: ଶ୍ରୀନଅରରେ ଭାଦ୍ରବ ଶୁକ୍ଳ ଦ୍ବାଦଶୀ ତିଥିରେ ସୁନିଆଁ ପର୍ବ ପାଳିତ ହୋଇଯାଇଛି । ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଶାସନରେ ନୂଆ ଅଙ୍କ ପ୍ରଚଳନ ହୋଇଛି । ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହୋଇଛି ୧୪୩୨ ସାଲ ୬୮ ଅଙ୍କର ପ୍ରବେଶ । ଏହି ଅବସରରେ ଗଜପତିଙ୍କ ଶ୍ରୀନଅରରେ ସନ୍ଧ୍ୟାରେ ପାଳିତ ହୋଇଛି ସୁନିଆଁ ଉତ୍ସବ ।

ଆଜିଠାରୁ ଗଜପତି ମହାରାଜାଙ୍କର ୬୮ ଅଙ୍କ ଆରମ୍ଭ ହୋଇଛି । ଜାତକ ଓ ପାଞ୍ଜି, ଅଙ୍କ ଗଣନାର ବିଶେଷ ମହତ୍ତ୍ଵ ରହିଥିବା ବେଳେ ଏହି ସୁନିଆଁ ଅବସରରେ ଶ୍ରୀନଅର ପ୍ରାଙ୍ଗଣରେ ଥିବା କନକ ଦୂର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯିବା ପରେ କନକଦୂର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ , ନୃସିଂହ ଆଦି ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ ଗଜପତି ମହାରାଜ।

ପରେ ଗଜପତି ମହାରାଜାଙ୍କୁ ଅଭିଷେକ କରାଯାଇଥିଲା । ଗଜପତିଙ୍କର ଏହି ପୂଜାକୁ ଦେବାର୍ଚ୍ଚନା କୁହାଯାଏ । ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଶ୍ରୀନହରରେ ସୁନିଆଁର ବିଶେଷ ପର୍ବ ଆରମ୍ଭ ହୋଇଥିଲା । ଗଜପତିଙ୍କ ଉପସ୍ଥିତିରେ ଶ୍ରୀନହରରେ ଅଙ୍କ କଟା ନିତୀ ସମ୍ପାଦନ ହୋଇଥିଲା। ଏହି ଅବସରରେ ଶ୍ରୀନଅର ପକ୍ଷରୁ ନୂତନ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରାଯାଇଥିଲା । ସୁବର୍ଣ୍ଣ ମୁଦ୍ରାରୁ ପୁରୁଣା ଅଙ୍କକୁ ଲିଭାଯାଇ ନୂଆ ଅଙ୍କ ୬୮ ଉଲ୍ଲେଖ ପୂର୍ବକ ସୁବର୍ଣ୍ଣ ମୁଦ୍ରା ପ୍ରଚଳନ କରାଯାଇଥିଲା।

ଗଜପତି ମହାରାଜାଙ୍କ ପାରମ୍ପରିକ ରାଜଗୁରୁ ଦେବୀପ୍ରସନ୍ନ ରାଜଗୁରୁ, ସୁଧାଂଶୁ ରାଜଗୁରୁ ପ୍ରମୁଖ ଏହି ପୂଜାବିଧି ସଂପନ୍ନ କରିଥିଲେ। ଅନ୍ୟପଟେ ଆଜି ଶ୍ରୀକ୍ଷେତ୍ରର ବିଭିନ୍ନ ମଠ, ମନ୍ଦିରରେ ବି ସୁନିଆଁ ପର୍ବ ପାଳିତ ହୋଇଯାଇଛି। ପ୍ରତି ମଠରେ ଗାଦିପୂଜା କରାଯାଇଛି। ମଠାଧୀଶମାନେ ଗାଦିରେ ଉପବେଶନ ପରେ ଶିଷ୍ୟମାନେ ପୂଜାର୍ଚ୍ଚନା କରିଛନ୍ତି ।

ସେପଟେ ଉପସ୍ଥିତ ଶ୍ରୋତ୍ରୀୟ ବ୍ରାହ୍ମଣ ମାନେ ସୁନିଆ ପର୍ବ ଉପଲକ୍ଷେ ଗଜପତି ମହାରାଜାଙ୍କୁ ଭେଟି ପ୍ରଦାନ କରି ଆର୍ଶୀବାଦ ଦେଇଥିବା ବେଳେ ମଠ ମହନ୍ତଙ୍କ ପକ୍ଷରୁ ରୁଦ୍ରାକ୍ଷ ବୃକ୍ଷର ଏକ ଚାରା ମଧ୍ୟ ପ୍ରଦାନ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com