ଓଡ଼ିଶା

ଚୁଡ଼ା ମୁଢି ପ୍ରସଙ୍ଗକୁ ନେଇ ବିଧାନସଭାରେ ହଟ୍ଟଗୋଳ, ଜିଏସଟି ହଟାଇବାକୁ ବିଧାୟକଙ୍କ ଦାବି-ଗୃହ ମୁଲତବୀ

ଚୁଡ଼ାମୁଢି ପ୍ରସଙ୍ଗକୁ ନେଇ ସୋମବାର ବିଧାନସଭାରେ ତୁମୁଳ ହଟ୍ଟଗୋଳ ସୃଷ୍ଟି ହୋଇଛି । ଏହି ସବୁ ସାଧାରଣ ଲୋକଙ୍କ ଖାଦ୍ୟ ଉପରେ ଟିକସ ଲାଗୁ ନିଷ୍ପତ୍ତିର ପୁର୍ନବିଚାର ପାଇଁ ବିଧାୟକମାନେ ଦାବି କରିଛନ୍ତି ।  ଚୁଡ଼ା ମୁଢି ପରି ସାଧାରଣ ଏବଂ ମଧ୍ୟବିତ୍ତ ପରିବାରର ସବୁଦିନିଆ ଲୋକପ୍ରିୟ ଖାଦ୍ୟ  ଉପରେ GST ଲାଗୁକୁ ସମସ୍ତେ ସହଜରେ ନେଇ ପାରିନାହାନ୍ତି । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ସୋମବାର ପ୍ରଶ୍ନକାଳରେ ଏହି ପ୍ରସଙ୍ଗ ଉଠାଇ ଚୁଡ଼ା ମୁଢି ଉପରେ ଟିକସ ଲାଗିବା ଗରିବ ଲୋକଙ୍କ ପେଟରେ ଲାତ ବୋଲି କହିଥିଲେ ।  ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯିବା ଜରୁରୀ । ନଚେତ୍ ରାଜ୍ୟ ସରକାର ଏହି ଟିକସ ବୋଝ ନିଜେ ବହନ କରନ୍ତୁ ବୋଲି ସେ ଦାବି କରିଥିଲେ । ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା ଏହି ପ୍ରସଙ୍ଗ ଉଠାଇବା  ସହ ଜିଏସଟି ପ୍ରତ୍ୟାହାର କରିବାକୁ  ଗୁରୁତ୍ୱାରୋପ କରିଛନ୍ତି । ସେହି ଭଳି ଶାସକ ଦଳର ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ ଅନୁରୂପ ଭାବେ ସମ୍ପୃକ୍ତ ପ୍ରସଙ୍ଗରେ ମତ ଦେଇ ଅର୍ଥମନ୍ତ୍ରୀ ବିବୃତ୍ତି ରଖିବାକୁ ଦାବି କରିଥିଲେ । ତେବେ ଏହା କେନ୍ଦ୍ରୀୟ ପ୍ରସଙ୍ଗ –ରାଜ୍ୟ ସରକାରଙ୍କର ଏଥିରେ କୌଣସି ଭୂମିକା ନାହିଁ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ।  ମାତ୍ର ଅର୍ଥମନ୍ତ୍ରୀଙ୍କ ଉତ୍ତର ବିଧାୟକମାନଙ୍କୁ ସନ୍ତୁଷ୍ଟ କରିପାରିନଥିଲା । ବିଧାୟକମାନେ ପ୍ରତିବାଦରେ ପ୍ରବଳ ପାଟିତୁଣ୍ଡ କରିବାରୁ ଗୃହକୁ ମୁଲତବୀ ରଖିବାକୁ ପଡ଼ିଥିଲା । କେବଳ ବିଧାନସଭାରେ ନୁହେଁ –ଚୁଡ଼ା ମୁଢି ପରି ଅଣବ୍ରାଣ୍ଡେଡ଼ ଖାଦ୍ୟ ସାମଗ୍ରୀ ଉପରେ ଟିକସ ବୃଦ୍ଧିକୁ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com