Uncategorizedଓଡ଼ିଶା

ସମୁଦ୍ର ମଝିରେ ୨ ବୋଟ ଅଚଳ, ୧୪ ମତ୍ସ୍ୟଜୀବୀ ଜୀବନ ବିପଦରେ; ଉଦ୍ଧାର କାର୍ଯ୍ୟ ଜାରି

ଜଗତସିଂପୁର: ସମଗ୍ର ରାଜ୍ୟରେ ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ । ଏପରି ସ୍ଥିତିରେ ସମୁଦ୍ର ମଧ୍ୟ ଅଶାନ୍ତ ରହିଛି । ମୁହାଣରେ ଫସିଲା ଦୁଇଟି ବୋଟ । ପାରାଦୀପ ନେହେରୁ ବଙ୍ଗଳା ଏବଂ ମହାନଦୀ ମୁହାଣରେ ଫସିଛନ୍ତି ୧୪ ମତ୍ସ୍ୟଜୀବୀ ।

ଅନ୍ୟପଟେ ଦୁଇଟି ମାଛଧରା ବୋଟ ଅଚଳ ହୋଇଯିବାରୁ ଏମାନେ ମଝି ସମୁଦ୍ରରେ ଭାସୁଛନ୍ତି । ବୋଟ୍‌ର ନାମ ଧର୍ମଶାଖା-୨ ଏବଂ ଧର୍ମଶାଖା-୩ ହୋଇଥିବାବେଳେ ବୋଟ୍‌ରେ ରହିଛନ୍ତି ୧୪ ଜଣ ମତ୍ସ୍ୟଜୀବୀ । ଉଦ୍ଧାର ପାଇଁ କୋଷ୍ଟଗାର୍ଡ ଓ ମେରାଇନ ପୋଲିସର ଉଦ୍ୟମ ଜାରି । ମିଳିଥିବା ସୂଚନାରୁ, ସମୁଦ୍ର ଭିତରକୁ ମାଛ ଧରିବାକୁ ଧର୍ମଶାଖା-୨ ବୋଟ୍‌ ଯାଇଥିଲା ।

ମାଛଧରି ଫେରୁଥିବା ବେଳେ ବୋଟ୍‌ଟି ଖରାପ ହୋଇଥିଲା । ଖରାପ ବୋଟ୍‌କୁ ଧର୍ମଶାଖା-୩ ନାମକ ଆଉ ଏକ ବୋଟ୍‌ ଏକ ରଶି ସାହାଯ୍ୟରେ ଟାଣି ଆଣୁଥିବାବେଳେ ରଶି ଛିଡି ଫ୍ୟାନରେ ଲାଗି ଯାଇଥିଲା । ଫଳରେ ନେହେରୁ ବଙ୍ଗଳା ମୁହାଣରେ ଦୁଇଟି ବୋଟ୍‌ ଫସି ରହିଛି । ଏନେଇ ବୋଟ୍‌ରେ ଥିବା ଲୋକେ ମୋରାଇନ ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ତୁରନ୍ତ ସେମାନଙ୍କୁ ଉଦ୍ଧାର ପାଇଁ ପାରାଦୀପ ପୋର୍ଟ, ମେରାଇନ ପୁଲିସ୍‌ ଓ କୋଷ୍ଟଗାର୍ଡ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଛି। ମତ୍ସଜୀବୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ତୁରନ୍ତ ଦୁଇଟି ବୋଟ ସମୁଦ୍ର ମଧ୍ୟକୁ ପଠାଯାଇଛି ।

ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ପ୍ରୟାସ ଚାଲିଥିବା ବେଳେ ରିପୋର୍ଟ ଲେଖା ହେବା ବେଳକୁ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରି ନ ଥିବା ଜଣାଯାଇଛି । ତେବେ ଏନେଇ କାହାରି ପ୍ରତିକ୍ରିୟା ମିଳି ପାରିନି ।

Related Articles

Back to top button
WP Twitter Auto Publish Powered By : XYZScripts.com