ନୂଆଦିଲ୍ଲୀ: ଦିଲ୍ଲୀ ଗସ୍ତରେ ସୁର ରାଉତରାୟ । ଦୀର୍ଘ ୬ ମାସ ହେଲାଣି କୌଣସି ଦଳରେ ନଥିବା ଏହି ବରିଷ୍ଠ ନେତା ହଠାତ୍ କାହିଁକି ଦିଲ୍ଲୀ ଗଲେ ତାକୁ ନେଇ ଏବେ ଚର୍ଚ୍ଚା । ତେବେ କୁହାଯାଉଛି ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଓଡିଶା ଆସିବାକୁ ନିମନ୍ତ୍ରଣ କରିବାକୁ ଯାଇଛନ୍ତି ସୁର ।
ଏହା ସହିତ ଦୀର୍ଘ ସମୟ ଧରି ରହିଥିବା ନିଜର କ୍ଷୋଭ ମଧ୍ୟ ରାହୁଲଙ୍କ ଆଗରେ ପ୍ରକାଶ କରିପାରନ୍ତି ଏହି ବରିଷ୍ଠ ନେତା । କାରଣ ପୂର୍ବରୁ ସେ ଗଣମାଧ୍ୟମକୁ ଦେଇ ସାରିଛନ୍ତି ଅନେକ ବୟାନ । ଯେଉଁଥିରେ ସେ ବାରମ୍ବାର କହିଛନ୍ତି – ମୁଁ କଂଗ୍ରେସିଆ, ୬୦ ବର୍ଷ ହେଲା ଅଛି, କଂଗ୍ରେସରେ ମରିବି । ହେଲେ କିଛି ନକରି ଦଳ କାହିଁକି ମତେ ନିଲମ୍ବନ କଲା ।
ତେବେ ଏଭଳି ଅନେକ ପ୍ରଶ୍ନକୁ ନେଇ ଦିଲ୍ଲୀ ଯାଇଛନ୍ତି ସୁର । ଆଉ ରାହୁଲଙ୍କୁ ଭେଟି ସେ ସମ୍ପର୍କରେ କରିବେ ଆଲୋଚନା । ସେପଟେ ଏହା ପୂର୍ବରୁ ଦିଲ୍ଲୀରେ ପହଞ୍ଚି ରାଷ୍ଟ୍ରପତିଙ୍କୁ ଭେଟି ସାରିଛନ୍ତି ସୁର । ଲବଙ୍ଗଗିରି ପାହାଡ଼ରେ ନିର୍ମାଣ ହୋଇଥିବା ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ କରିଛନ୍ତି ନିମନ୍ତ୍ରଣ ।
ଡିସେମ୍ବର ୧୨ରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଥିବାରୁ ସୁରଙ୍କ ଅନ୍ୟ ୩ ପ୍ରତିନିଧି ଅନୁରୋଧ କରିଛନ୍ତି । ଏହିକ୍ରମରେ ରାହୁଲଙ୍କୁ ମଧ୍ୟ ସୁର ନିମନ୍ତ୍ରଣ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି l