Breaking NewsFeaturedଓଡ଼ିଶାଜାତୀୟ

ଜାଣନ୍ତୁ NITI Aayogର ରିପୋର୍ଟ ଅନୁସାରେ ଓଡ଼ିଶାର ସବୁଠୁ କମ୍ ଗରିବ ଥିବା ୧୦ଟି ଜିଲ୍ଲା

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଭୋଟ୍ ଆସିଲେ ବିଭିନ୍ନ ଦଳ ପକ୍ଷରୁ ମନେପଡ଼େ ଗରିବଙ୍କ କଥା । ଆମେ ଅମୁକ କରିବୁ, ସମୁକ କରିବୁ ବୋଲି ନେତାଏ ମାରନ୍ତି ଭାଷଣ । ଲାଗେ ସତେ ଯେମିତି ଏଥର ଦେଶରୁ ଗରିବୀ ପୂରା ମୂଳ ପୋଛ ହୋଇଯିବ । ତେବେ ବାସ୍ତବ ସ୍ଥିତି ଓଲଟା । ନିର୍ବାଚନ ପରେ ନିର୍ବାଚନ ଆସେ ଆଉ ଯାଏ କିନ୍ତୁ ଗରିବଙ୍କ ଦୁଃଖ ଯାଏନି କି ଗରିବ ପାଇଁ କେହି ଆହା ପଦେ କହନ୍ତିନି । ସବୁ ପ୍ରତିଶୃତି ଭାଷଣରେ ଅଟକି ଯାଏ ଆଉ ପରେ ସମସ୍ତେ ଭୁଲିଯାଆନ୍ତି । ଏଭଳି ସ୍ଥିତିରେ ଆମ ରାଜ୍ୟ ଓଡ଼ିଶା ପାଇଁ ଆସିଛି ଏକ ସୁଖଦ ଖବର । ନିତି ଆୟୋଗଙ୍କ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଆଧାରରେ ରାଜ୍ୟର ଅନେକ ଜିଲ୍ଲାରେ ଦାରିଦ୍ର‌୍ୟ ସମୀ ରେଖା ତଳେ ରହିଥିବା ଲୋକଙ୍କ ସଂଖ୍ୟା ବହୁ ହାରରେ କମିଛି । ଏମିତି ପ୍ରତୀତ ହେଉଛି ଯେ ପୁରୀ ଓ ଜଗତସିଂହପୁରରେ ଜିଲ୍ଲାରେ ସତେ ଯେମିତି ଆଉ ଗରିବ ନାହାନ୍ତି!

ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଏବେ ପୁରୀବାସୀ ଓ ଜଗତସିଂହପୁରିଆ ଭାରୀ ଖୁସି । ନେସନାଲ୍ ମଲ୍ଟି ଡାଇମେନସିଆଲ୍ ପୋଭର୍ଟି ଇଣ୍ଡେକ୍ସ-୨୦୨୩ ଅନୁଯାୟୀ ଓଡ଼ିଶାରେ ମୋଟ ଦାରିଦ୍ର‌୍ୟ ହାର ୧୫ ଦଶମିକ ୬-୮ ପ୍ରତିଶତ ରହିଥିବାବେଳେ ପୁରୀ ଜିଲ୍ଲାରେ ମାତ୍ର ୩ ଦଶମିକ ୨-୯ ପ୍ରତିଶତ ଗରିବ ରହିଥିବା ରିପୋର୍ଟ ପ୍ରକାଶ ପାଇଛି ।

  • ଏଥର ଦେଖନ୍ତୁ ନିତି ଆୟୋଗଙ୍କ ତଥ୍ୟକୁ

ରାଜ୍ୟର ପୁରୀ ଜିଲ୍ଲାରେ ସବୁଠୁ କମ୍ ଗରିବୀ ରହିଛି । ୨୦୧୫-୧୬ରେ ଏହି ଜିଲ୍ଲାରେ ୧୧ ଦଶମିକ ୬୪ ପ୍ରତିଶତ ଦାରିଦ୍ର‌୍ୟ ସୂଚକାଙ୍କ ରହିଥିବାବେଳେ ୨୦୧୯-୨୧ ବେଳକୁ ଏହା ବହୁମାତ୍ରାରେ କମି ୩ ଦଶମିକ ୨୯କୁ ପହଞ୍ଚି ଯାଇଛି । ଅର୍ଥାତ୍ ସବୁଠୁ କମ୍ ଗରିବୀ ଜିଲ୍ଲା ଭାବେ ପୁରୀ ନଂ-୧ରେ ରହିଛି । ଏହାର ତଳକୁ ରହିଛି ଜଗତସିଂହପୁର ଜିଲ୍ଲା । ଏହି ଜିଲ୍ଲାର ଗରିବୀ ହାର ପ୍ରାୟ ପୁରୀ ପାଖାପାଖି । ମାତ୍ର ୩ ଦଶମିକ ୫-୩ ପ୍ରତିଶତ । ଅର୍ଥାତ୍ ଏହା କମ୍ ଗରିବୀ ଜିଲ୍ଲା ଭାବେ ୨ୟ ସ୍ଥାନରେ ରହିଛି । ସେହିପରି ତୃତୀୟରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଯେଉଁ ଜିଲ୍ଲାରେ ରାଜ୍ୟର ରାଜଧାନୀର କଳେବର ମିଶି ରହିଛି ସେହି ଖୋର୍ଦ୍ଧା ଜିଲ୍ଲାରେ ଗରିବୀ ହାର ରହିଛଇ ୩ ଦଶମିକ ୯୫ ପ୍ରତିଶତ । ସେହିପରି ଏହା ତଳକୁ ଚତୁର୍ଥ ସ୍ଥାନରେ ରହିଛି କଟକ ଜିଲ୍ଲା । ଏହି ଜିଲ୍ଲାରେ ୬ ଦଶମିକ ୩-୧ ପ୍ରତିଶତ ଗରିବୀ ଥିବା ରିପୋର୍ଟରେ ପ୍ରକାଶ ପାଇଛି । ଏହାରି ତଳକୁ ରହିଛି ଗଞ୍ଜାମ ଜିଲ୍ଲା । ଏକଦା ସାକ୍ଷର ଗଞ୍ଜାମ ଓ ସୁନ୍ଦର ଗଞ୍ଜାମରେ ପ୍ରଥମେ ସଫଳତା ହାସଲ କରିଥିବା ଗଞ୍ଜାମ ଜିଲ୍ଲାର ଅନେକ ଯୁବକ ଗୁଜରାଟର ସୁରଟକୁ ଖଟିବାକୁ ଯାଉଥିବା ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଆସିଥିଲା । ତେବେ ଏବେ ଏହି ଜିଲ୍ଲାରେ ମାତ୍ର ୬ ଦଶମିକ ୩-୧ ପ୍ରତିଶତ ଗରିବୀ ରହିଥିବା ଜଣାପଡ଼ିଛି । ଏହିକ୍ରମରେ ଦେଖିବାକୁ ଗଲେ ତଳକୁ ତଳ ଜିଲ୍ଲା ହିସାବରେ ନୟାଗଡ଼ରେ ୬ ଦଶମିକ ୬୩ ପ୍ରତିଶତ, ଝାରସୁଗୁଡ଼ାରେ ୭ ଦଶମିକ ୦୯ ପ୍ରତିଶତ, ସୋନପୁରରେ ୮ ଦଶମିକ ୬୮ ପ୍ରତିଶତ, କେନ୍ଦ୍ରାପଡ଼ାରେ ୮ ଦଶମିକ ୯ ପ୍ରତିଶତ ଏବଂ ନମ୍ବର ୧୦ରେ ରହିଥିବା ବଲାଙ୍ଗିର ଜିଲ୍ଲାରେ ଗରିବୀ ହାର ରହିଛି ୯ ଦଶମିକ ୫-୨ ପ୍ରତିଶତ ।

ଏଠାରେ ଗୁରୁତ୍ୱପୂର୍ଣ୍ଣ ଯେ ଏହି ସମସ୍ତ ୧୦ ଟି ଜିଲ୍ଲାରେ ୧୦ ପ୍ରତିଶତରୁ କମ୍ ଦାରିଦ୍ର‌୍ୟ ହାର ରହିଥିବା ସୂଚକାଙ୍କ ଦର୍ଶାଉଛି । ସେହିପରି ୨୦୧୫-୧୬ ତୁଳନାରେ ମାତ୍ର ୪ ବର୍ଷ ଭିତରେ ଓଡ଼ିଶାର ଏହି ସବୁ ଜିଲ୍ଲାରେ ଗରିବୀ ସଂଖ୍ୟା କମିବା ରାଜ୍ୟର ବିକାଶ ଦିଗକୁ ଦର୍ଶାଉଥିବା ସ୍ପଷ୍ଟ ହେଉଛି । ଲୋକେ ଧୀରେ ଧୀରେ ସ୍ୱାବଲମ୍ବୀ ହେବା ସହ ଗରିବୀ ଟାଗ ଲାଇନରୁ ମୁକ୍ତି ପାଇବା ପାଇଁ ଚେଷ୍ଟା କରୁଥିବା ଅନୁମାନ କରିହେଉଛି । ସେହିପରି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସୁଫଳ ମିଳୁଥିବା ସ୍ପଷ୍ଟ ଭାବେ ପ୍ରତୀତ ହେଉଛି । ଆଗକୁ ରାଜ୍ୟର ସମସ୍ତ ଜିଲ୍ଲାରୁ ଗରିବୀ ହାର ସମ୍ପୂର୍ଣ୍ଣ ମୂଳପୋଛ ହୋଇଯାଉ ଓ ସୁଖକର କର୍ମମୟ ଜୀବନ ବିତାନ୍ତୁ ବୋଲି ବିଭିନ୍ନ ମହଲରେ ଆଶା ପ୍ରକାଶ ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com