ଓଡ଼ିଶା

ରାତି ୨ଟାରେ ମହିଳା ଥାନାକୁ ଗଲେ ଅଭିଯୋଗ ଶୁଣ, ମାମଲା ଦାଏର କର: ମୁଖ୍ୟମନ୍ତ୍ରୀ

ଭୁବନଶ୍ୱର: ଚୋର ଡାଳେ ଡାଳେ ଗଲେ ପୋଲିସ ପତ୍ରେ ପତ୍ରେ ଯାଉ । ଥାନାରେ ଭଲ ବ୍ୟବହାର କର l ରାତି ୨ଟାରେ ବି ମହିଳା ଜଣକ ଥାନାକୁ ଗଲେ ଧୈର୍ଯ୍ୟର ସହ ଶୁଣ ଓ ତୁରନ୍ତ ମାମଲା ଦାଏର କର । ଅପରାଧୀ ଯେଉଁ ପଦରେ ରହିଲେ ବି ହେଉ ଆକ୍ସନ୍ ।

ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀର ଦ୍ବିତୀୟ ଦିନରେ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡିଶା ପୋଲିସର ମନ୍ତ୍ର ହେଉଛି ସେବା ଓ ସୁରକ୍ଷା । ତେଣୁ ଏହାକୁ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟର ସବୁ ମେଡିକାଲ କଲେଜରେ ସୁରକ୍ଷାକୁ କଡାକଡି କରାଯିବ । ୧୦ଟି ଯାକ ମେଡିକାଲ କଲେଜରେ ଫାଣ୍ଡି କରାଯିବ।

ସେହିପରି ବରମୁଣ୍ଡା ବସଷ୍ଟାଣ୍ଡରେ ମଧ୍ୟ ଆଉଟପୋଷ୍ଟ କରାଯିବ ବୋଲି ମୋହନ ମାଝୀ କହିଛନ୍ତି । ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀର ଦ୍ୱିତୀୟ ଦିନରେ ଗତକାଲି ଭଳି ଆଜି ବି ଅଧିକାରୀଙ୍କୁ ପାଠ ପଢ଼ାଇଛନ୍ତି ସିଏମ୍ । ସମ୍ମିଳନୀ ଆରମ୍ଭରୁ ହିଁ ମହିଳାଙ୍କ ଅପରାଧକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

ରାଜ୍ୟରେ ୨୦୨୨ ପର୍ଯ୍ୟନ୍ତ ମହିଳା ବିରୋଧୀ ହିଂସା ଦଣ୍ଡହାର ମାତ୍ର ୯.୭୩% । ମହିଳା ଅସଦାଚରଣ ମାମଲା ରାଜ୍ୟରେ ଅଧିକ ରହିଛି। ଏହାକୁ ଦୃଷ୍ଟିରେ ରଖି ସପ୍ତାହକ ମଧ୍ୟରେ ଜିଲ୍ଲାୱାରୀ ତଦନ୍ତ ଓ ଦଣ୍ଡବିଧାନ ରିପୋର୍ଟ ପୁଲିସ୍ ଡିଜିଙ୍କୁ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ଅପରାଧରେ ଲଗାମ୍ ଲଗାଇବାକୁ ପୋଲିସ କର୍ମଚାରୀ ୮ଘଣ୍ଟିଆ ଡ୍ୟୁଟି ବଦଳରେ ସବୁବେଳେ ସଜାଗ ରହିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ନିଜେ ପ୍ରତିଦିନ ରାତି ୨ଟା ୩ଟା ବେଳେ ଶୋଉଛନ୍ତି ।

ଲୋକସେବା ଭବନରେ ରାତି ୧୨ଟା ଯାଏଁ କାମ କରୁଥିବା କହିଛନ୍ତି ମୋହନ ମାଝୀ । ତେଣୁ ଡ୍ୟୁଟି କେବଳ ୮ଘଣ୍ଟାରେ ସୀମିତ ନୁହେଁ ବୋଲି ଜିଲ୍ଲାପାଳ ଓ ଏସପିଙ୍କୁ ତାଗିଦ୍ କରିଛନ୍ତି । ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ କର୍ମଚାରୀଙ୍କୁ ଅଧିକ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ।

ସେହିପରି ପାର୍ବଣବେଳେ ଆଇନଶୃଙ୍ଖଳା ସ୍ଥିତି, ନକ୍ସଲବାଦ ଦମନ ଏବଂ ସାଇବର କ୍ରାଇମ୍ ବିରୋଧରେ ଆକ୍ସନ ନେବା ଜରୁରୀ ବୋଲି ସେ କହିଛନ୍ତି। ଏହାବ୍ୟତୀତ ବାଂଲାଦେଶୀ ଏବଂ ରୋହିଙ୍ଗ୍ୟାଙ୍କ ଅନୁପ୍ରବେଶ ରୋକିବା ଉପରେ ବି ସେ ଗୁରୁତ୍ୱାରୋପ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com