ଗୁଜରାଟ(ଅହମ୍ମଦାବାଦ୍): ଜବତ କଲା ପୋଲିସ୍ ବିଡା ବିଡା ନୋଟ୍ । ଠକେଇର ନୂଆ ନୂଆ ଉପାୟ ସାମ୍ନାକୁ ଆସୁଛି । ନିକଟରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଠକ ଜଣେ ବ୍ୟବସାୟୀଙ୍କୁ କୋଟି କୋଟି ଟଙ୍କାର ଚୁନ ଲଗାଇଛନ୍ତି ।
ହଜାର ନୁହେଁ କି ଲକ୍ଷେ ନୁହେଁ ପୋଲିସ୍ ହାତରେ ଲାଗିଛି ଏକ କୋଟିରୁ ଉର୍ଦ୍ଧ୍ବ ନକଲି ନୋଟ୍ । ହେଲେ ଏ ନକଲି ନୋଟ ଜବତରେ ସବୁଠୁ ରୋଚକ କଥା ହେଉଛି ଏହି ନୋଟରେ ଗାନ୍ଧିଙ୍କ ବଦଳରେ ରହିଛି ବଲିଉଡ ଅଭିନେତା ଅନୁପମ ଖେରଙ୍କ ଫଟୋ । ଗୁଜରାଟ ଅହମ୍ମଦାବାଦରୁ ଅନୁପମଙ୍କ ଫଟୋ ଥିବା ପ୍ରାୟ ୧.୬୦କୋଟି ନୋଟ୍ ପୋଲିସ୍ ଜବତ କରିଛି ।
ଖାଲି ସେତିକି ନୁହେଁ, ଆରବିଆଇ ନାଁଙ୍କୁ ମଧ୍ୟ ବଦଳାଇ ସେହି ନୋଟ ଗୁଡିକରେ ଲେଖାଯାଇଛି ରେଜୋଲ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ବିଡା ବିଡା ନୋଟରେ ଝଲସୁଛନ୍ତି ଅନୁପମ ଖେର୍ । ସୂଚନା ମୁତାବକ, ଅହମ୍ମଦାବାଦର ନବରଙ୍ଗପୁରା ଥାନା ଅଞ୍ଚଳର ଏକ ଜୁଏଲାରୀ ଦୋକାନରୁ ୨୧୦୦ ଗ୍ରାମ ସୁନା କିଣିବାକୁ କହି ୧କୋଟି ୩୦ ଲକ୍ଷର ନକଲି ନୋଟ ଦେଇଥିଲେ ୩ ଦୁର୍ବୃତ୍ତ ।
ନୋଟ ଗଣତି ବେଳେ ଠକେଇ ସଂପର୍କରେ ଜଣାପଡିଥିଲା । ୫୦୦ ଟଙ୍କିଆ ନୋଟ୍ରେ ଗାନ୍ଧିଜୀଙ୍କ ଫଟୋ ବଦଳରେ ଅନୁପମ ଖେର୍ଙ୍କ ଫଟୋ ଦେଖି ଚକିତ ହୋଇପଡିଥିଲେ ସୁନା ଦୋକାନୀ । ଏହାପରେ ଥାନାରେ ଏତଲା ଦେଇଛନ୍ତି ଦୋକାନ ମାଲିକ ।
୩ ଠକ ଫେରାର ଥିବା ବେଳେ, ପୁଲିସ ତନାଘନା ଜାରି ରଖିଛି। ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି । ନୋଟ୍ ଅନୁପଖ ଖେରଙ୍କ ଫୋଟ ଥିବା ସହ ରିଜର୍ଭ ବ୍ୟାଙ୍କ ସ୍ଥାନରେ ରେସୋଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲେଖାଯାଇଛି।
ଏହି ମାମଲା ଭାଇରାଲ ହେବା ପରେ ଏନେଇ ନିଜ ସୋସିଆଲ ମିଡିଆ ସାଇଟରେ ପ୍ରତିକ୍ରିୟା ରଖି ଅଭିନେତା ଅନୁପମ ଖେର କହିଛନ୍ତି, ଏଠି କିଛି ବି ସମ୍ଭବ। ଖବର ସାମ୍ନାକୁ ଆସିବା ପରେ ଅନୁପମ ଖେର ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘‘ପାଞ୍ଚ ଶହ ଟଙ୍କିଆ ନୋଟରେ ଗାନ୍ଧୀଜୀଙ୍କ ଫଟୋ ଜାଗାରେ ମୋ ଫଟୋ ???? କିଛି ବି ହୋଇପାରେ’’!