ଭୁବନେଶ୍ୱର: ଓଡିଶାରେ ଚାଲିଛି ବିଜେପି ସରକାର । ହଟିଛି ୨୪ ବର୍ଷର ବିଜେଡି ଶାସନ । ଆଉ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବାର ପୁରୁଲାଣି ୩ମାସ । ସେହିପରି ମୁଖ୍ୟ ବିରୋଧୀ ଆସନରେ ରହିଛି ବିଜୁ ଜନତା ଦଳ । କିନ୍ତୁ ଏବେ ଉଭୟଙ୍କ ଭିତରେ ଦେଖା ଦେଇଛି ରାଜନୈତିକ ବୟାନ ବାଜି । ସୋସିଆଲ ମିଡିଆରେ ବଢୁଛି ବାକ୍ ଯୁଦ୍ଧ ।
ଏହାରି ଭିତରେ ଏବେ ବିଜେଡିର ମନ୍ତବ୍ୟ ଉପରେ କଡା ଜବାବ ଦେଇଛି ଶାସକ ବିଜେପି । ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛି ଦଳ । ଓଡ଼ିଶା ଅଶାନ୍ତି ପଛରେ ନବୀନଙ୍କ ହାତ ଥିବା ନେଇ ପରୋକ୍ଷରେ କହିବା ସହ ଏନେଇ ଟ୍ୱିଟ କରି ଜୋରଦାର ସମାଲୋଚନା କରିଥିବା ଦେଖିବାକୁ ମିଳିଛି ।
ବିଜେପି କହିଛି କି ଭାଙ୍ଗି ପଡିଥିବା ବିଜେଡି କର୍ମୀଙ୍କୁ ବୋଧ ଦେବାକୁ ଯାଇ ବିଜେଡି ସଭାପତି ନବୀନ ବାବୁ ନିଜେ ଶେଷରେ ଏତେ ତଳକୁ ଖସିଯିବେ ତାହା ଆଶ୍ଚର୍ୟ୍ୟ ଲାଗୁଛି । ନବୀନ ବାବୁଙ୍କ ବକ୍ତବ୍ୟରୁ ଏହା ପ୍ରମାଣିତ ହେଉଛି ଯେ ନବୀନ ବାବୁ ନିଜେ ଓଡିଶାକୁ ଅଶାନ୍ତି କରିବା ପାଇଁ ଚାହୁଁଛନ୍ତି ।
ନବୀନ ବାବୁ ନିଜେ କ୍ରମାଗତ ୨୪ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ସେ ପ୍ରଥମେ ଉତର ଦିଅନ୍ତୁ ଯେ, କନ୍ଧମାଳ ଦଙ୍ଗା ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ କିଏ ଥିଲେ? ୨୦୧୭ରେ ରାମ ନବମୀ ସମୟରେ ଭଦ୍ରକରେ ହୋଇଥିବା ଦଙ୍ଗା ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ଥିଲେ? ନିଜେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିଲେ ନା ନାହିଁ ତାହା ସ୍ପଷ୍ଟ କରନ୍ତୁ ।
୨୦୨୧ରେ ସମ୍ବଲପୁର ହନୁମାନ ଜୟନ୍ତୀ ସମୟରେ ହୋଇଥିବା ପଥରମାଡ ଆଉ ଦଙ୍ଗା ସମୟରେ ରାଜ୍ୟରେ କେଉଁ ଦଳ ଶାସନ କରୁଥିଲା ? ୨୪ ବର୍ଷରେ ଓଡିଶାରେ ଅଶାନ୍ତି ବାଂଟିଥିବା ନବୀନ ବାବୁ ଏବେ ନିଜର ରାଜନୈତିକ ରୁଟି ସେକିବା ପାଇଁ ଶେଷରେ ସାମ୍ପ୍ରଦାୟିକ ବୟାନ ବାଜି କରିବା ନିନ୍ଦନୀୟ ।
ତେବେ କହିରଖୁଛୁ ଯେ, ଗତ ସୋମବାର ବିଜେପିକୁ ଟାର୍ଗେଟ କରି ଟ୍ୱିଟ କରିଥିଲା ବିଜେଡି । ଦଳ କହିଥିଲା କି ବିଜେଡି ସରକାରର ୨୪ବର୍ଷ ଶାସନରେ ରାଜ୍ୟର ସବୁ ଅଞ୍ଚଳ ଓ ସବୁ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦିଆଯାଇଥିଲା । ବିଜେପି ସରକାର ଆସିବାର ତିନି ମାସ ଭିତରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମ୍ପ୍ରଦାୟିକ ଅଶାନ୍ତି ଓଡ଼ିଶାର ଛବିକୁ ମଳିନ କରିଛି ।
ସେହିପରି ବିଗତ ତିନିମାସରେ ଚାରିଥର ସାମ୍ପ୍ରଦାୟିକ ଅଶାନ୍ତି ଦେଖାଯାଇଛି। ଏହା ବିଜେପି ସରକାରର କାର୍ୟ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସଭାପତି କହିଛନ୍ତି । ଶାନ୍ତି ଓ ସଦଭାବ ବଜାୟ ରଖିବା ପାଇଁ ସମସ୍ତେ ଏକ ହୋଇ କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଯାହାକୁ ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ବିଜେପି ବିଜେଡି ।