ଓଡ଼ିଶା

୩ ଦଫା ଦାବି ପାଇଁ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ କୋରାପୁଟ ବନ୍ଦ,

କୋରାପୁଟ: ଆଜି ୧୨ ଘଣ୍ଟିଆ କୋରାପୁଟ ଜୀବନ ଯାତ୍ରା ଠପ । ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତି ଦାବିରେ ଆଜି କୋରାପୁଟ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ କୋରାପୁଟରେ ବନ୍ଦ ଡାକରା ପାଳନ ହେଉଛି ।

ବନ୍ଦ ପାଳନ ହେତୁ ଦୋକାନ, ବଜାର ସହ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି । ସରକାରୀ ଚାକିରିରେ ଜିଲ୍ଲାଭିତ୍ତିକ ନିଯୁକ୍ତିକୁ ପ୍ରସଙ୍ଗ କରି କୋରାପୁଟରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଉଛି l ଯୁବ କଂଗ୍ରେସର ବନ୍ଦ ଡାକରାକୁ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ସହ ଘରୋଇ ବସ ମାଲିକ ସଂଘ, ଲରି ଆସୋସିଏସନ, ଡ୍ରାଇଭର ସଂଘ ଓ ଜିଲ୍ଲା ଓକିଲ ସଂଘ ସମର୍ଥନ ଦେଇଛନ୍ତି ।

ଆସନ୍ତାକାଲି ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିବା ବେଳେ ଦାବି ପୂରଣ ନ ହେଲେ ୫ ତାରିଖରେ ଜିଲ୍ଲାରେ କଳାଦିବସ ପାଳନ କରାଯିବ । ଏହାସହ ୫, ୬ ଓ ୭ ତାରିଖ ତିନି ଦିନ ଧରି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କରାଯିବ ବୋଲି କମିଟି କହଛି । କନିଷ୍ଠ ଶିକ୍ଷକ ପଦବୀ ଜିଲ୍ଲା ଭିତ୍ତିକ କରିବା, ପେଶା ଆଇନ ଲାଗୁ କରିବା, ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀକୁ ଜିଲ୍ଲା ଭିତ୍ତିକ କରିବା ପାଇଁ ଦାବି କରିଛି କମିଟି ।

ତେବେ ପାର୍ବଣ ସମୟ ଓ ଛାତ୍ରଛାତ୍ରୀଙ୍କ ପରୀକ୍ଷା କାରଣରୁ ସେମାନଙ୍କ ପାଇଁ କୋହଳ କରାଯିବ । ବିଶେଷ କରି ଜରୁରୀ କାଳିନ ସେବାକୁ ବ୍ୟାହତ କରାଯିବ ନାହିଁ ବୋଲି କହିଛି କମିଟି । ଆଦିବାସୀ ଅଧ୍ୟୁଷିିତ ଜିଲ୍ଲାରେ ହଜାର ହଜାର ଶିକ୍ଷିତ ଆଦିବାସୀ ଯୁବକ ଯୁବତୀ ଚାକିରୀ ପାଇଁ ଆଶାୟୀ ଥିବାବେଳେ ସରକାର ସେମାନଙ୍କ ପ୍ରତି ଅଣଦେଖା କରି ବାହାର ଜିଲ୍ଲାର ପ୍ରାର୍ଥୀଙ୍କୁ ଚାକିରି ଦେଉଥିବା ଅଭିଯୋଗ ହୋଇଛି ।

ଏହାଫଳରେ ଜିଲ୍ଲାର ଯୁବକ ଯୁବତୀ କର୍ମସଂସ୍ଥାନ ସନ୍ଧାନରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାପାଇଁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି । କୋରାପୁଟ ଜିଲ୍ଲାରେ ୯୨୨ରୁ ମାତ୍ର ୪୦ ଜଣ ଏବଂ ନବରଙ୍ଗପୁରରେ ୮୬୦ରୁ ୧୩୪ ଜଣ ଜିଲ୍ଲାର ପ୍ରାର୍ଥୀ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଛନ୍ତି ବୋଲି ଅଭିଯୋଗ ହୋଇଛି। ତେବେ ଏନେଇ ବିଭାଗୀୟ ପ୍ରତିକ୍ରିୟା ମିଳିପାରିନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com