ଓଡ଼ିଶା

ନିଲାମ ହେଲେ ସଂଗୃହିତ ଅର୍ପଣ ଚାଉଳ,କୁଇଣ୍ଟାଲ ପିଛା….

ପୁରୀ: ଶେଷରେ ବିକ୍ରି ହେଲା ଅର୍ପଣ ଚାଉଳ । ପୁରୀ ପରିକ୍ରମା ପ୍ରକଳ୍ପ ବେଳେ ସଂଗୃହିତ ଅର୍ପଣ ଚାଉଳ ନିଲାମ ହେଲା । କୁଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ଅର୍ପଣ ଚାଉଳ ନିଲାମ ହେଲା । ଅର୍ପଣ ଚାଉଳ ନିଲାମ ହୋଇଥିବା ନେଇ ଶୁକ୍ରବାର ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି । ୧୦ ହଜାର ୩୨୨ କୁଇଣ୍ଟାଲ ଚାଉଳ ନିଲାମ ହେଲା ।

୨ କୋଟି ୮୬ ଲକ୍ଷ ଟଙ୍କାରେ ସମୁଦାୟ ଚାଉଳ ନିଲାମ ହୋଇଛି । ତେବେ ଚଳିତ ନିର୍ବାଚନ ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନା ବେଳେ ପରିକ୍ରମା ପ୍ରକଳ୍ପ ଅର୍ପଣ ରଥ ନାଁରେ ମହାପ୍ରଭୁ ଜଗନ୍ନାଥଙ୍କୁ ବସାଇ ଘରୁ ଘରୁ ଚାଉଳ ଏବଂ ଗୁଆ ଆଣିଥିଲେ । ଯାହା ଦୀର୍ଘ ଦିନ ଧରି ପଡିରହିଥିଲା । ଏଥିରୁ କିଛି ଫୋପଡା ହୋଇଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

ହେଲେ ଏହାକୁ ଖଣ୍ଡନ କରିଥିଲେ ଜିଲ୍ଲାପାଳ । କହିଥିଲେ, ଯେତିକି ଶ୍ରୀମନ୍ଦିରରେ ବ୍ୟବହାର ହେବା କଥା ତାହା ହୋଇଛି । ଆଉ ଯାହା ବ୍ୟବହାରରେ ନ ଲାଗିପାରିବ, ସେଗୁଡିକୁ ଡିଲରମାନେ ଚାହିଁଲେ ତାହା ନେଇପାରିବେ । ଯାହାକୁ ନେଇ ଅକ୍ଟୋବରରେ ୧ରେ ଅର୍ପଣ ଚାଉଳ ବିକ୍ରି ହେବା ନେଇ ସୂଚନା ଦେଇଥିଲେ ପୁରୀ ଜିଲ୍ଲାପାଳ ।

ଜିଲ୍ଲାପାଳ କହିଥିଲେ, ସ୍ପଟ୍ ଭିଜିଟ୍ କରି ଟେଣ୍ଡର ମାଧ୍ୟମରେ କୌଣସି ବ୍ୟକ୍ତି ବିଶେଷ କିମ୍ବା ମିଲର ଅର୍ପଣ ଚାଉଳକୁ କିଣିପାରିବେ। ଏଥିରୁ ଯେଉଁ ଟଙ୍କା ମିଳିବ, ତାକୁ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବ। ମହାପ୍ରସାଦ ପ୍ରସ୍ତୁତ ଲାଗି ଯାହା ଯୋଗ୍ୟ ଥିଲା , ତାକୁ ବ୍ୟବହାର କରାଯାଇଛି ।

ବଳକା ଚାଉଳ ମହାପ୍ରସାଦ ପ୍ରସ୍ତୁତ ଲାଗି ଅନୁପଯୁକ୍ତ ବୋଲି ସୁଆର ମହାସୁଆର ନିଯୋଗ ସ୍ପଷ୍ଟ କରିଛି । ତେଣୁ ବଳକା ଚାଉଳକୁ କ’ଣ କରାଯିବ ବୋଲି ସେ ନେଇ ଆଲୋଚନା କରାଯାଇ ଏକ ପ୍ରସ୍ତାବ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପଠା ଯାଇଥିଲା ।

ସରକାର ଏହା ଉପରେ ପୁଙ୍ଖାନୁପୁଙ୍ଖ ବିଚାର କରି ପ୍ରସ୍ତାବକୁ ଅନୁମୋଦନ ଦେଇଥିଲେ । ସବୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଅର୍ପଣ ଚାଉଳ ବିକ୍ରି ନେଇ ନିଷ୍ପତ୍ତି ନିଆଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com